ଭୁବନେଶ୍ବର: ଆଜି ଅପରାହ୍‌ଣରେ ରାଜଧାନୀରେ ସୃଷ୍ଟି ହେଲା ଅଭାବନୀୟ ପରିସ୍ଥିତି। ଅଦିନିଆ ଅସରାଏ ବର୍ଷାରେ ଆଜି ଉବୁଟୁବୁ ହୋଇଗଲା ସ୍ମାର୍ଟସିଟି। ମାତ୍ର ୨୦ ମିନିଟ୍‌ ଅବଧି ଭିତରେ ହୋଇଥିବା ୩୨.୨ ମିମି ବର୍ଷାରେ ରାଜଧାନୀରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା। ଖାଲୁଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବା ବେଳେ ରାସ୍ତାରେ ସୁଅ ଛୁଟିଲା। ରାସ୍ତା ଉପରେ ଜମି ରହିଥିବା ପାଣିରେ ଗାଡ଼ିମୋଟର ଫସି ଅଟକି ରହିଥିଲା। ସବୁଥର ଭଳି ନୂଆପଲ୍ଲୀ ଇସ୍କନ ମନ୍ଦିର ସାମ୍ନାରେ ଆଜି ବୃହତ୍ ଜଳାଶୟର ଭ୍ରମ ସୃଷ୍ଟି ହୋଇଥିଲା। ତେବେ ଅଚାନକ ଏହି ପରିସ୍ଥିତି ପାଇଁ ଆଦୌ ପ୍ରସ୍ତୁତ ନଥିବା ବିଏମ୍‌ସି ବାଧ୍ୟ ହୋଇ ହାତ ଟେକି ଦେଇଥିଲା ଓ ରାଜଧାନୀବାସୀ ବହୁ ହନ୍ତସନ୍ତ ହୋଇଥିଲେ। କିନ୍ତୁ ଆଜିର ସମସ୍ୟା ଆଗାମୀ ବର୍ଷା ଋତୁ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।

Advertisment

ପାଣିପାଗ ସୂଚନାନୁସାରେ ଆଜି ରାଜଧାନୀରେ ଖୁବ୍‌ କମ୍ ପରିମାଣର ବର୍ଷା ହେବାର ସମ୍ଭାବନା ଥିଲା। ଦିନ ସାରା ପାଗ ବି ମେଘୁଆ ରହିଥିଲା। ହଠାତ୍ ଅପରାହ୍‌ଣରେ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଗଲା। ବିଜୁଳି, ଘଡ଼ଘଡ଼ି ନଥିଲା, କିନ୍ତୁ ବର୍ଷା ଦିନ ଭଳି ଗାଳିଲା। ମାତ୍ର ୨୦ ମିନିଟ୍‌ରେ ୩୨ ମିମିରୁ ଅଧିକ ବର୍ଷା ହେଲା। ଅପ୍ରସ୍ତୁତ ଥିବା ରାଜଧାନୀବାସୀ ବର୍ଷାର ଅତର୍କିତ ତାଣ୍ଡବର ମୁକାବିଲା କରିପାରି ନଥିଲେ। ରାସ୍ତାଘାଟରେ ସମସ୍ତେ ଭିଜିଲେ। ବର୍ଷାରୁ ବର୍ତ୍ତିବା ପାଇଁ ନିରାପଦ ସ୍ଥାନରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଧାଁ ଧଉଡ଼ କଲେ। ବହୁ ମହିଳା ଓଦା ହୋଇ ବସ୍‌ ଓ ଅଟୋରେ ଯାତ୍ରା କରିବାକୁ ବାଧ୍ୟ ହେଲେ। ବାଇକ୍‌ ଆରୋହୀମାନେ ପୂରା ଓଦା ହେଲେ। ଅନେକ ରାସ୍ତାରେ କୃତ୍ରିମ ବନ୍ୟା ଗାଡ଼ି ଚାଳକମାନଙ୍କୁ ସମସ୍ୟାରେ ପକାଇଲା। ଇସ୍କନ ମନ୍ଦିର ସାମ୍ନାରେ ପୁଣି ଜଳଭଣ୍ଡାର ସୃଷ୍ଟି ହେଲା ଓ ବସ୍‌, କାର୍‌, ବାଇକ୍‌ ଆଦି ବୁଡ଼ିଲା।

ସବୁଠୁ ବେଶି ପ୍ରଭାବିତ ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଲୋ‌କେ। ଏଠାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଗଲା। ଟଙ୍କପାଣି ରୋଡ୍‌ରେ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଲା। ଇଏ କଲୋନିରେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ମେଘେଶ୍ବର କଲୋନିରେ ୪୦ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିଲା। ନର୍ଦ୍ଦମାର ମଇଳା ପାଣି ଘରେ ପଶିଯିବାରୁ ଲୋକେ ବଡ଼ କଲବଲ ହୋଇଥିଲେ। ବର୍ଷା ଛାଡ଼ିବା ପରେ ଘରୁ ମଇଳା ପାଣି ବାହାର କରିବାକୁ ନେଇ ଲୋକେ ବହୁ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ରାଜଧାନୀରେ ଏହି ଜଳଯନ୍ତ୍ରଣା ନୂଆ ନୁହେଁ। କିନ୍ତୁ ଫଗୁଣ ମାସରେ ଏମିତି ଅନୁଭୂତି ପୂରା ନୂଆ ଥିଲା। ଅଦିନିଆ ଅସରାଏ ବର୍ଷାରେ ରାଜଧାନୀ ଏମିତି ଉବୁଟୁବୁ ହୋଇଯିବ ବୋଲି କେହି ଭାବି ନଥିଲେ। ମାତ୍ର ଆଜିର ପରିସ୍ଥିତି ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଏମ୍‌ସି କେବେ ଏହି ଜଳ ଯନ୍ତ୍ରଣାରୁ ମୁକ୍ତି ଦେବ ବୋଲି ଆଜି ରାଜଧାନୀର ସବୁଆଡ଼େ ଚର୍ଚ୍ଚା ହୋଇଛି।