ଆନନ୍ଦପୁର: ସାମାନ୍ୟ ବଚସାରୁ ଘସିପୁରା ଥାନା ରାଧିକାଦେଈପୁର ପଞ୍ଚାୟତ କେନ୍ଦୁଆ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ରାମଚନ୍ଦ୍ର ପଲେଇ (୫୩)ଙ୍କୁ ସେହି ଗ୍ରାମର ସୁବଳ ପଲେଇଙ୍କ ପୁଅ କନ୍ଦା ପଲେଇ(୧୯) ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍‌ଣରେ ଗାଁଛକରେ କନ୍ଦା ଏବଂ ରାମଚନ୍ଦ୍ରଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ‌ହୋଇଥିଲା। କନ୍ଦା ଧକ୍କା ମାରିବାରୁ ରାମଚନ୍ଦ୍ର ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ରାମଚନ୍ଦ୍ରଙ୍କ ବଡ଼ଭାଇ ପରେନ୍ଦ୍ର ପଲେଇ ଏନେଇ ଘସିପୁରା ଥାନାରେ ଏତଲା ଦେଇଥିଲେ। ପୁଲିସ୍ କେସ୍‌ ନମ୍ବର ୧୨୧/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କନ୍ଦାକୁ ଗିରଫ କରିଛି। ମୃତଦେହକୁ ଆଜି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ସୂଚନା ଦେଇଛନ୍ତି।