ସିମ୍ କେଳେଙ୍କାରୀ: ୩ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ

ଭୋଡାଫୋନ୍ ସଂସ୍ଥାର କର୍ମଚାରୀ ଏବେ ବି ଫେରାର୍‌

କଟକ : ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ପ୍ରିଆକ୍ଟିଭ୍ ସିମ୍ କେଳେଙ୍କାରୀ ମାମଲାରେ କୋଟିପତି ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ ସାହୁ ସମେତ ତିନି ଜଣଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଢେଙ୍କାନାଳ ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଛି। ପୁଣି ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା ଚଳାଇଛି।

ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତର ୧୦ଟି ବ୍ୟାଙ୍କ ଓ ପେଟେମ୍ ଆକାଉଣ୍ଟରୁ ୩୦ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଥିବା ବେଳେ ସେ ପାଖାପାଖି ୧୫ କୋଟି ଟଙ୍କାର ଅର୍ଥ କାରବାର କରିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ଅବଶିଷ୍ଟ କେଉଁ ଆକାଉଣ୍ଟରେ ଏହି ଟଙ୍କା କାରବାର ହୋଇଛି, ସେ ସମ୍ପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଦୁଷ୍ମନ୍ତର ବୟାନ ଆଧାରରେ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ତଥ୍ୟ ମାଗିଥିବା ସୂଚନା ମିଳିଛି।

ସାଇବର୍ ଅପରାଧୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ନକଲି ହ୍ବାଟସଆପ୍ ଆକାଉଣ୍ଟ ଖୋଲିବା ପରେ ଏପ୍ରିଲ ୩୦ ତାରିଖରେ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ଢେଙ୍କାନାଳରୁ ନାଇଜେରିଆ ଯାଏ ଏକ ବଡ଼ ଲିଙ୍କ୍‌ ସାମନାକୁ ଆସିଛି। ଏହି ମାମଲାରେ ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ ସମେତ ବିଏସଏନଏଲ୍ ଡିଲର୍ ସାଇ ପ୍ରକାଶ ଦାସ, ସହଯୋଗୀ ଅବିନାଶ ନାୟକ ଓ ଜିଓ ସେଲର୍ ଦୋଳଗୋବିନ୍ଦ ପରିଡ଼ାକୁ ଗିରଫ କରିଥିବା ବେଳେ ଏହି କାରବାରରେ ଆହୁରି ଏକାଧିକ ସଦସ୍ୟଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି।

ଅନ୍ୟପକ୍ଷରେ, ପ୍ରିଆକ୍ଟିଭ୍ ସିମ୍ ଯୋଗାଇଥିବା ଜିଓ ଓ ବିଏସଏନଏଲ୍ କର୍ମଚାରୀ ଗିରଫ ହୋଇଥିବା ବେଳେ ଦୁଷ୍ମନ୍ତକୁ ୯ ହଜାର ୬୮୫ଟି ଭୋଡାଫୋନ୍ ସିମ୍ ଯୋଗାଇଥିବା ଢେଙ୍କାନାଳର ଭୋଡାଫୋନ୍ କର୍ମଚାରୀ ଏବେ ସୁଦ୍ଧା ଫେରାର ଅଛନ୍ତି। କ୍ରାଇମବ୍ରାଞ୍ଚର ଟାର୍ଗେଟରେ ଏବେ ଭୋଡାଫୋନ୍ କର୍ମଚାରୀ ଥିବା କୁହାଯାଉଛି।

ଗଞ୍ଜାମରେ ରାକେଟ୍‌ ସକ୍ରିୟ, ୩ ଗିରଫ
ପାଟପୁର : ଗଞ୍ଜାମ ଜିଲ୍ଲାରେ ସକ୍ରିୟ ଅଛନ୍ତି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ଼ ବିକ୍ରି ରାକେଟ୍। ବିନା ଦସ୍ତାବିଜ୍ ଓ ପରିଚୟପତ୍ରରେ ବିଭିନ୍ନ କମ୍ପାନିର ଉପଭୋକ୍ତାଙ୍କୁ ସିମ୍ କାର୍ଡ଼ ବିକ୍ରି କରାଯାଉଛି। ଯାହାର ଦୁରୁପଯୋଗ ହେଉଛି। ତେବେ ପାଟପୁର ପୁଲିସ ଏଭଳି ଏକ ରାକେଟ୍‌କୁ ଠାବ କରିବାରେ ସଫଳ ହୋଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଭଳି ୩୮ଟି ସିମ୍‌ କାର୍ଡ଼ ଜବତ କରାଯାଇଥିବା ‌ବେଳେ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ; ପାଟପୁର ଥାନା ଅଧୀନ ସିଙ୍ଗିପୁର ଗ୍ରାମ ଲାବଣ୍ୟନଗରର ବି.ରବି କୁମାର ପାତ୍ର, ନୂଆସାହିର କବିରାଜ ସାହୁ ଓ ବାଙ୍ଗରଡ଼ାର ବୁଲୁ ଚୌଧୁରୀ। ଏନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର