ସାକାର ହେଲା ଡଙ୍ଗରିଆ ଛାତ୍ରର ସ୍ବପ୍ନ: ସ୍କୁଲ୍ ଗଲେ ସିନା କାଡ୍ରକା

ପାଠପଢ଼ା ଓ ହଷ୍ଟେଲ ଖର୍ଚ୍ଚ ବହନ କରିବେ ସରକାର

ରାୟଗଡ଼ା : ପାଠ ପଢ଼ି ବଡ଼ ମଣିଷ ହେବାର ଇଚ୍ଛା ରଖିଥିବା ଡଙ୍ଗରିଆ ଛାତ୍ରଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। ବୟସ ସମସ୍ୟା ଯୋଗୁ ସ୍କୁଲରୁ ସ୍କୁଲ ଘୂରିଥିବା ସିନା କାଡ୍ରାକା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଭୁବନେଶ୍ବର ୟୁନିଟ୍-୧ ସରକାରୀ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଛନ୍ତି। ନବମ ଶ୍ରେଣୀରେ ଆଜିଠୁ ତାଙ୍କର ପାଠପଢ଼ା ଆରମ୍ଭ ହୋଇଛି। ସିନାଙ୍କ ପାଠପଢ଼ା ଓ ହଷ୍ଟେଲ୍ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଘୋଷଣା କରିଛନ୍ତି।

ପ୍ରକାଶ ଥାଉକି, ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନା ଅନ୍ତର୍ଗତ ସେରକପାଡ଼ି ଗ୍ରାମର ଛାତ୍ର ସିନା କାଡ୍ରାକା ୨୦୧୮ ମସିହାରେ ସରାବାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ। କିନ୍ତୁ ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଖରା ଛୁଟିରେ ଦାଦନ ଖଟିବାକୁ ଗୁଜୁରାଟ ଚାଲି ଯାଇଥିଲେ ସିନା। ଏଥିଯୋଗୁ ସେ ୨୦୨୦ ଶିକ୍ଷାବର୍ଷରେ ସ୍କୁଲରେ ନାମ ଲେଖାଇ ପାରିନଥିଲେ। ୨୦୨୧ ଶିକ୍ଷାବର୍ଷରେ ସ୍କୁଲ ଖୋଲିବା ପରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ସିନା ମୁନିଗୁଡ଼ା ବ୍ଲକର ବିଭିନ୍ନ ସ୍କୁଲକୁ ଯାଇଥିଲେ। କିନ୍ତୁ ବୟସ ୧୮ ପୂରି ଯାଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ମନା କରି ଦେଇଥିଲେ। ଶେଷରେ ବାପା ଟିମା କାଡ୍ରାକା ସିନାକୁ ନେଇ ବିଷମକଟକର ସାହାଡ଼ା ସରକାରୀ ହାଇସ୍କୁଲକୁ ଯାଇଥିଲେ। ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରି ନାମ ଲେଖାଇବାକୁ ନିବେଦନ କରିବା ପରେ ସାହାଡ଼ା ପ୍ରଧାନଶିକ୍ଷକ ଅଗଷ୍ଟ ୧୯ ତାରିଖରେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଲୋଡ଼ିଥିଲେ। କିନ୍ତୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିକଟରେ କ୍ଷମତା ନଥିବାରୁ ଅଗଷ୍ଟ ୨୩ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ହେଲେ ବିଭାଗ ପକ୍ଷରୁ ଚିଠିର ଉତ୍ତର ମିଳିବାରେ ବିଳମ୍ବ ହେବାରୁ ଡଙ୍ଗରିଆ ଛାତ୍ର ସିନା କାଡ୍ରାକା ପାଠ ପଢ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ସିନାଙ୍କୁ ଭୁବନେଶ୍ବର ଡକାଇଥିଲା। ବିଧାୟକ ପ୍ରଣବ ପ୍ରକାଶ ଦାଶ ସିନାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଭୁବନେଶ୍ୱର ୟୁନିଟ୍‌-୧ ସରକାରୀ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ଚଳିତ ମାସ ୫ତାରିଖରେ ଚିଠି ନଂ-୨୬୮୨୪ରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପୂଜା ଛୁଟି ପରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇ ସିନାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ପାଇଁ ସୂଚନା ଦେଇଥିଲେ। ଗତକାଲି ଛାତ୍ର ସିନା, ବାପା ଟିମା କାଡ୍ରାକା ଓ ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଗୋଷ୍ଠୀ ସମ୍ବଳ ବ୍ୟକ୍ତି ପ୍ରକାଶ କରସିକା ଭୁବନେଶ୍ବର ଯାଇଥିଲେ। ଆଜି ସକାଳେ ସିନା ୟୁନିଟ୍-୧ ହାଇସ୍କୁଲରେ ପହଞ୍ଚିବା ପରେ ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରି ନବମ ଶ୍ରେଣୀରେ ନାମ ଲେଖାଇବା ସହ ପଢ଼‌ା ଆରମ୍ଭ କରିଛନ୍ତି। ସ୍କୁଲ ପରିସରରେ ଥିବା ସହିଦ ଲକ୍ଷ୍ମଣ ନାୟକ ଛାତ୍ରାବାସରେ ସିନା ରହିବା ପାଇଁ ମଧ୍ୟ ଅନୁମତି ମିଳିଛି। ସିନାଙ୍କ ସ୍ବପ୍ନ ପୂରଣ ପରେ ବାପା ଟିମା କାଡ୍ରାକା ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର