ସିନାପାଲି ଶିଶୁ ବିକ୍ରି ଅଭିଯୋଗ ଘଟଣା : ଧରାପଡ଼ିଲା ବାପାର ମିଛ, ମିଳିଲା ଜନ୍ମର ପ୍ରମାଣ

ନ୍ୟାୟ ପ୍ରଦାନ ପାଇଁ ପୀଡ଼ିତା ମହିଳାଙ୍କ ଗୁହାରି

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ନବଜାତ ଶିଶୁକୁ ବିକ୍ରି ଅଭିଯୋଗ ଘଟଣା ଏବେ ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ବାପାର ମିଛ ଧରାପଡ଼ି ଯାଇଛି। ଧର୍ମଗଡ଼ ଡାକ୍ତରଖାନା ରେକର୍ଡରୁ ଶିଶୁଜନ୍ମର ସମସ୍ତ ପ୍ରମାଣ ମିଳିଛି। ଇତିମଧ୍ୟରେ ଶିଶୁଟିର ଜନ୍ମ ପ୍ରମାଣପତ୍ର ମଧ୍ୟ ବାହାର କରାଯାଇ ସାରିଛି। କିନ୍ତୁ ଶିଶୁଟିକୁ କାହା ହାତରେ ଟେକି ଦିଆଯାଇଥିଲା ଓ ଏବେ ୧୨ ବର୍ଷର ହୋଇ ସାରିଥିବା ସେହି ପିଲାଟି କେଉଁଠି ଅଛି ତାହା ଜଣାପଡ଼ିନାହିଁ। ନୂଆପଡ଼ା ଜିଲ୍ଲାର ସିନାପାଲି ପୁଲିସ ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ପୁଲିସ ଦୀର୍ଘ ଦୁଇ ବର୍ଷ ହେଲାଣି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଶିଶୁଟିକୁ ଠାବ କରିବାରେ ବିଫଳ ହୋଇଛନ୍ତି। ପୁଅକୁ ଖୋଜି ଦେବା ସହ ତାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବା ପାଇଁ ପୀଡ଼ିତା ମହିଳା ପୁଲିସ ଓ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।

ସୂଚନାନୁସାରେ ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ସୁଲୋଚନା ମେହେର(୩୫) ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ପରେ ବଲାଙ୍ଗୀର ଜିଲା ନାନ୍ଦୋଳ ଗ୍ରାମର ଚନ୍ଦ୍ରଧ୍ୱଜ ମେହେରଙ୍କୁ ୨୦୦୮ରେ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥିଲେ। ୨୦୦୯ ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଧର୍ମଗଡ଼ ଡାକ୍ତରଖାନାରେ ଜନ୍ମ ହୋଇଥିଲା। କିନ୍ତୁ ଏହି ଶିଶୁଟିର ଲାଳନପାଳନ ପାଇଁ ଅକ୍ଷମତା ଦର୍ଶାଇ ଚନ୍ଦ୍ରଧ୍ବଜ ଜନ୍ମର ଦୁଇଦିନ ପରେ ଶିଶୁଟିକୁ ଅନ୍ୟ କାହା ହାତରେ ଟେକି ଦେଇଥିଲା। ଏହାକୁ ସୁଲୋଚନା ବିରୋଧ କରିଥିଲେ ମଧ୍ୟ କୌଣସି ପ୍ରକାରେ ସେ ତାଙ୍କୁ ବୁଝାଇ ଦେଇଥିଲା। ପରିସ୍ଥିତି ସୁଧୁରିଲେ ସେମାନେ ପୁଣି ପିଲା କରିପାରିବେ ବୋଲି କହିଥିଲା। ଏହାପରେ ଦୀର୍ଘ ବର୍ଷ ଉଭୟେ ସ୍ୱାମୀ ସ୍ତ୍ରୀ ଭାବରେ ରହିଥିଲେ। ପୁଅର କଥା ପଚାରିଲେ ଚନ୍ଦ୍ରଧ୍ବଜ ସବୁବେଳେ ବାହାନା ଦେଖାଇ କଥା ଏଡ଼ାଇ ଯାଉଥିବା ସୁଲୋଚନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଚନ୍ଦ୍ରଧ୍ବଜ ବେକାର ଥିବାରୁ ସୁଲୋଚନା ତାମିଲନାଡ଼ୁରେ କାମ କରି ତାଙ୍କୁ ଟଙ୍କା ପଠାଉଥିଲେ ମଧ୍ୟ ଚନ୍ଦ୍ରଧ୍ବଜଙ୍କ ମନରେ କିଛି ଅଲଗା ଯୋଜନା ଥିଲା। ଇତିମଧ୍ୟରେ ଚନ୍ଦ୍ରଧ୍ବଜ ଦ୍ବିତୀୟ ବିବାହ କରିଥିଲେ।

ଏହାପରେ ୨୦୧୯ରେ ପ୍ରେମ ପ୍ରତାରଣା ଓ ନିର୍ଯାତନା ଏବଂ ଶିଶୁବିକ୍ରି ଅଭିଯୋଗ ଆଣିଥିଲେ ସୁଲୋଚନା। ନ୍ୟାୟ ଦାବି କରି ସିନାପାଲି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘଦିନ ପରେ ମଧ୍ୟ ପୁଲିସ କୋଣସି ପଦକ୍ଷେପ ନେଇନଥିଲା। ତୁରେକେଲା ଥାନାରେ ବି ଏ ନେଇ ଅଭିଯୋଗ ହୋଇଥିଲା। ପରେ ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଅଭିଯୁକ୍ତ ଚନ୍ଦ୍ରଧ୍ବଜକୁ ଗତ ୧୩ତାରିଖ ଦିନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ସୁଲୋଚନାଙ୍କ ସହ ସଂପର୍କକୁ ଅଭିଯୁକ୍ତ ଚନ୍ଦ୍ରଧ୍ବଜ ରୋକଠୋକ ଖଣ୍ଡନ କରିଥିଲା। ଆଦୌ ପୁଅ ଜନ୍ମ ହୋଇନଥିବା ବେଳେ ବିକ୍ରିର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ଗଣମାଧ୍ୟମକୁ କହିଥିଲା। କିନ୍ତୁ ଇତିମଧ୍ୟରେ ତା’ର ମିଛ ଧରାପଡ଼ିଯାଇଛି।

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଶିଶୁ ଜନ୍ମ ହୋଇଥିବାର ପ୍ରମାଣ ମିଳିବା ପରେ ଇତିମଧ୍ୟରେ ପୀଡ଼ିତା ସେଠାରୁ ଶିଶୁର ଜନ୍ମ ପ୍ରମାଣପତ୍ର ବାହାର କରିଛନ୍ତି। ଶିଶୁଟିର ଜନ୍ମ ୨୦୦୯ ମସିହା ଅଗଷ୍ଟ ୨୨ ତାରିଖରେ ହୋଇଥିବା ବେଳେ ଜନ୍ମର ରେଜିଷ୍ଟ୍ରେସନ ନମ୍ବର ୧୮୩୬/୨୦୦୨ ବୋଲି ଜଣାପଡିଛି। ଶିଶୁର ପିତା ନାମ ଚନ୍ଦ୍ରଧ୍ୱଜ ମେହେର ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ବର୍ତମାନ ଘଟଣାଟି ଭିନ୍ନ ମୋଡ଼ ନେଇଛି। ଶିଶୁବିକ୍ରି ଘଟଣାକୁ ନେଇ ଜନସାଧାରଣ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଘଟଣାର ପର୍ଦାଫାସ କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏଥିସହ ୧୨ ବର୍ଷ ତଳେ ଜନ୍ମ ହୋଇଥିବା ଶିଶୁଟିକୁ ତୁରନ୍ତ ଉଦ୍ଧାର କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର