ଆସିକା : ୨୦୧୦ ମସିହା ନଭେମ୍ବର ୨୬ ତାରିଖ। ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁଲିସ ଓ ପ୍ରଶାସନ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଏକ ସମ୍ବେଦନଶୀଳ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା। ରାତିରେ ଶେରଗଡ଼ ଥାନାର ପ୍ରାକ୍ତନ ଓଆଇସି ମନୋରଞ୍ଜନ ମିଶ୍ର ଡ୍ୟୁଟି ସାରି ବାଇକ୍‌ରେ ଶେରଗଡ଼ରୁ ହିଞ୍ଜିଳିକାଟୁ ସରକାରୀ କ୍ବାର୍ଟର୍ସକୁ ଫେରୁଥିବା ବେଳ‌େ ତାଙ୍କୁ ଅତି ନିକଟରୁ ଗୁଳି କରି ଅପରାଧୀ ନିର୍ମମ ଭାବେ ହତ୍ୟା କରିଥିଲେ। ପରଦିନ ସକାଳେ ଶେରଗଡ଼ ଥାନା ଅଧୀନ ତାକରଡ଼ା କେନାଲ ବନ୍ଧ ନିକଟରୁ ତାଙ୍କ ଗୁଳିବିଦ୍ଧ ଶବ ସହ ବାଇକ୍ ଜବତ ହୋଇଥିଲା।
Advertisment
ମନୋରଞ୍ଜନଙ୍କୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ୍ ଗୁଳି କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳ‌େ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଶେଷ କରିଥିଲେ। ଏହାସହ ମନୋରଞ୍ଜନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହେଲେ ଇତିମଧ୍ୟରେ ଏହି ଘଟଣାକୁ ୧୨ ବର୍ଷ ବିତିବ, ଏଯାଏ ମନୋରଞ୍ଜନଙ୍କ ପରିବାରକୁ ନ୍ୟାୟ ମିଳିପାରିନି କି ଅଭିଯୁକ୍ତ ଶାସ୍ତି ପାଇନାହାନ୍ତି। ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେପଟେ ଅଭିଯୁକ୍ତମାନେ ଜାମିନରେ ମୁକୁଳି ଖୁଲମ୍‌ଖୁଲା ବୁଲୁଛନ୍ତି। ଯଦି ଜଣେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ କ୍ଷେତ୍ରରେ ନ୍ୟାୟ ମିଳିବାରେ ବିଚାର ପ୍ରକ୍ରିୟାରେ ଏଭଳି ବିଳମ୍ବ ଘଟୁଛି, ତା’ହେଲେ ସାଧାରଣ ଲୋକଙ୍କ ‌କ୍ଷେତ୍ରରେ କ’ଣ ନ ବିତୁଥିବ, ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଶେରଗଡ଼ ଥାନାରେ ସେତେବେଳେ କେସ୍ ନମ୍ବର ୫୦/୧୦ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଦୁଇ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡା ଓ ସୁଶାନ୍ତ ବେହେରା ଏବଂ ଷଡ଼୍‌ଯନ୍ତ୍ରକାରୀ ସୁନୀଲ ବେହେରାକୁ ଗିରଫ କରା ଯାଇଥିଲା। ଇତିମଧ୍ୟରେ ସୁନୀଲ ‌ଜାମିନ ପାଇ ଜେଲ୍‌ରୁ ମୁକୁଳିଥିବା ବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ସମୀର ଓ ସୁଶାନ୍ତ ମଧ୍ୟ କିଛିମାସ ତଳେ ସୁପ୍ରିମକୋର୍ଟରୁ ଜାମିନ ପାଇ ବାହାରେ ଅଛନ୍ତି।
ବର୍ତ୍ତମାନ ଏହି ମାମଲା (ଏସ୍‌ଟି ୪୩/୧୩) ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି। ବେସରକାରୀ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଲିସ ସାକ୍ଷ୍ୟ ଗ୍ରହଣ ଜାରି ରହିଛି। ‌କିନ୍ତୁ ମାମଲାର ବିଚାରଣା କେବେ ସରିବ ଓ କେବେ ଅଭିଯୁକ୍ତମାନେ ଦଣ୍ଡିତ ହେବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିବଙ୍ଗତ ମନୋରଞ୍ଜନଙ୍କ ପତ୍ନୀ ତନ୍ମୟୀ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାକିରି କରୁଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ହେଲେ ନ୍ୟାୟ କେବେ ମିଳିବ, ଏହାକୁ ତାଙ୍କ ପରିବାରବର୍ଗ ଅପେକ୍ଷା କରି ରହିଛନ୍ତି।
ଅନ୍ୟପକ୍ଷରେ କିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ବୁଦ୍ଧିଜୀବୀଙ୍କ ମତରେ, ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନ କରିବା ସହ ନିଜ କାର୍ଯ୍ୟଦକ୍ଷତାର ପରିଚୟ ଦେଇଥିବା ମନୋରଞ୍ଜନ ହାର୍ଡ଼‌କୋର୍ ଅପରାଧୀଙ୍କ ଷଡ଼୍‌ଯନ୍ତ୍ର ଜାଲରେ ଛନ୍ଦି ହୋଇ ହତ୍ୟାର ଶିକାର ହେଲେ। କିନ୍ତୁ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନରେ ବିଳମ୍ବ ଅନ୍ୟ ପୁଲିସ ଅଧିକାରୀଙ୍କ ମନୋବଳକୁ ଦୁର୍ବଳ କରୁଛି। ଏଭଳି ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତେବ‌େ ସମାଜର ରକ୍ଷକ ପୁଲିସ ପରିବାରକୁ ନ୍ୟାୟ ପ୍ରଦାନରେ ବିଳମ୍ବ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାରୁ ନ୍ୟାୟ ପ୍ରଦାନ ପ୍ରକିୟାକୁ ନ୍ୟାୟପାଳିକା ତ୍ବରାନ୍ବିତ କରୁ ବୋଲି ମତପ୍ରକାଶ ପାଇଛି।