ଭୂତକୋଠି ପାଲଟିଛି ପଠାଣୀ ସାମନ୍ତ ଡିଜିଟାଲ ପ୍ଲାନେଟାରିୟମ; ୫ ବର୍ଷ ହେଲା ଖୋଲୁ ନାହିଁ, ଖତ ଖାଉଛି ମେସିନ

ମାଲକାନଗିରି: ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରହିଥିବା ପଠାଣୀ ସାମନ୍ତ ଡିଜିଟାଲ ପ୍ଲାନେଟାରିୟମ ବାବଦକୁ ଲକ୍ଷାଧିକ ଟଂକା ଖର୍ଚ୍ଚ କରି ତାହାକୁ ଦୀର୍ଘ ଦିନ ହେଲା ବନ୍ଦ କରିଦିଆଯାଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଡିଏନକେ ସ୍ଥିତ ପୁରୁଣା କଲେକ୍ଟର ଅଫିସ ପରିସରରେ ରହିଥିବା ଏକ ପୁରୁଣା କଠୋରୀକୁ ମରାମତି କରାଯାଇ ସେଠାରେ ଗତ ୨୦୧୭ ମସିହାରେ ପଠାଣୀ ସାମନ୍ତ ଡିଜିଟାଲ ପ୍ଲାନେଟାରିୟମ ଖୋଲାଯାଇଥିଲା।ଯାହା କିଛି ଦିନ ଖୋଲିବା ପରେ ବନ୍ଦ ହୋଇଯାଇଥିଲା।

ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କ ପାଇଁ ଏହା ଥିଲା ଏକ ଅଦ୍ଭୁତ ପୂର୍ବ ଜିନିଷ। ମାଲକାନଗିରି ଆଇଟିଡିଏ ତରଫରୁ ଏହି ପ୍ଲାନେଟରିୟମ ଖୋଲାଯାଇଥିଲା। ୨୦୧୭ ମସିହାରେ ଲକ୍ଷାଧିକ ଟଂକା ଖର୍ଚ୍ଚ କରାଯାଇ ଏକ ପୁରୁଣା କଠୋରୀକୁ ମରାମତି କରାଯିବା ସହ ରଙ୍ଗ ବଳି ଦିଆଯାଇଥିଲା। ସେହି କଠୋରୀରେ ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିୟମ ତରଫରୁ ଲକ୍ଷାଧିକ ଟଂକାର ଏକ ମେସିନ ବସାଗଲା।ଯାହାକି ପୃଥିବୀ ଚାରିପାଖେ ରହିଥିବା ଗ୍ରହ ନକ୍ଷତ୍ର ସମେତ ସୌର ଜଗତ ସଂପର୍କରେ ବିଶେଷ ଜ୍ଞାନ ପ୍ରଦାନ କରିବ।ତେବେ କିଛି ଦିନ ଟିକଟ କରି ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ଏହି ପ୍ଲାନେଟରିୟମକୁ ଯାଇ ବହୁ ଜିନିଷ ଶିକ୍ଷା ଲାଭ କରିପାରିଥିଲେ।

ତେବେ ହଠାତ୍ କାହିଁକି କେଜାଣି ଏହି ପ୍ଲାନେଟାରିୟମ ବନ୍ଦ ହୋଇଯାଇଥିଲା। ଏହା କାହିଁକି ବନ୍ଦ ହେଲା କେହି ଆଇଟିଡିଏ ଅଧିକାରୀଙ୍କୁ ପଚାରିନଥିଲେ କିମ୍ବା ଏହା ଖୋଲାଯିବା ନେଇ ଦାବି କରିନଥିଲେ।ଯାହାଫଳରେ ଏହା ଗତ ୫ ବର୍ଷ ହେଲା ବନ୍ଦ ହୋଇ ପଡିଛି, ଯାହାଫଳରେ ଏହି ପ୍ଲାନେଟାରିୟମ ଏବେ ଭୂତକୋଠି ପାଲଟିଛି। ଉଦଘାଟନ ହେବା ପରେ କିଛି ଦିନ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଅପରାହ୍ନ ୫ଟୁର ୬ଟା ପର୍ଯ୍ୟନ୍ତ ଖୋଲାଯାଉଥିବା ବେଳେ ରବିବାର ଦିନ ସକାଳ ୧୦ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଖୋଲାଯାଉଥିଲା। ଏଥିପାଇଁ ଏକ ଘଣ୍ଟା ପୂର୍ବରୁ ଟିକଟ କରିବାକୁ ପଡୁଥିଲା।

ତେବେ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଏହା ଦ୍ବାରା ସୌର ଜଗତ ସଂପର୍କରେ ଅବଗତ ହେବା ସହ ବହୁ ଜିନିଷ ଶିକ୍ଷା ଲାଭ କରିପାରିଥାନ୍ତେ ବୋଲି କୁହାଯାଇଛି।ତେବେ ଏନେଇ ଆଇଟିଡିଏ ଅଧିକାରୀଙ୍କୁ ପଚାରିବାରୁ ଏହା ବନ୍ଦ ହେବା ସ୍ବୀକାର କରିବା ସହ ଖୁବଶୀଘ୍ର ଖୋଲାଯିବ ବୋଲି କହିଥିଲେ। ଏହାକୁ ଡିପିଇପିକୁ ହସ୍ତାନ୍ତର କରାଯାଇଥିବା ଯୁକ୍ତି ବାଢିଥିଲେ। ଅନ୍ୟ ଦିଗରେ ଡିପିଇପି ବିଭାଗ ତରଫରୁ ଏହାକୁ ଅସ୍ବୀକାର କରାଯାଇଛି।ପ୍ଲାନେଟରିୟମକୁ ଦୀର୍ଘଦିନ ଧରି ବନ୍ଦ ହୋଇ ପଡିଥିବା ବେଳେ ଆଇଟିଡିଏ ଏହାର ରକ୍ଷଣାବେକ୍ଷଣ କରିନପାରି ଅନ୍ୟ ମୁଣ୍ଡରେ ଓଠା ବଲିବାକୁ ଚେଷ୍ଟା କରୁଥିବା କୁହାଯାଇଛି। ଲକ୍ଷାଧିକ ଟଂକା ଖର୍ଚ୍ଚ କରି ପୁରୁଣା ଘରକୁ ନୂଆ କରାଯିବା ସହ ଲକ୍ଷାଧିକ ଟଂକା ମେସନ ବସାଗଲା।କିନ୍ତୁ ଏହା ସେହି ମେସିନ କାର୍ଯ୍ୟକ୍ଷମ କି ନୁହେଁ ତାହା ମଧ୍ୟ ବିଭାଗ ଜାଣି ନାହିଁ।ଯାହାକୁ ନେଇ ସାଧାରଣରେ ତୀବ୍ର ଅସଂତୋଷ ଦେଖା ଦେଇଛି।ତୁରନ୍ତ ଏହି ପ୍ଲାନେଟେରିୟମକୁ ଖୋଲାଯିବା ସହ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଟିକଟର ମୂଲ୍ୟ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ କମ୍ ରଖିବା ପାଇଁ ଦାବି ହୋଇଛି। ତେବେ ଏତେ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିଥିବା ଏହା ପ୍ଲାନେଟାରିୟମକୁ ପୁନଃ ମରାମତି କରାଯିବା ସହ ଏଠାରେ ଥିବା ମେସିନକୁ ମଧ୍ୟ ମରାମତି କରାଯିବା ଉଚିତ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର