ଭୁବନେଶ୍ୱର: ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ। ସିନ୍ଧିଆ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏଏଆଇ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଜମି ହସ୍ତାନ୍ତର କରାଯାଇନାହିଁ ବୋଲି ସେ ଚିଠିରେ ଲେଖିଛନ୍ତି । ସେହିପରି ଆଞ୍ଚଳିକ ଯୋଗାଯୋଗ ଯୋଜନା-ଉଡ଼ାନ ଅନ୍ତର୍ଗତ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜୟପୁର ଏବଂ ଉତକେଲା ବିମାନ ବନ୍ଦର ବିକଶିତ କରାଯିବାର ଆବଶ୍ୟକତା ରହିଛି।
ଆଞ୍ଚଳିକ ବିମାନ ଯୋଗାଯୋଗ ଫଣ୍ଡ ଟ୍ରଷ୍ଟ (ଆରଏସିଏଫଟି) ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଅଂଶଧନ ଭାବେ ରାଜ୍ୟ ସରକାରଙ୍କ ଉପରେ ୧.୪୮ କୋଟି ଟଙ୍କା ବକେୟା ରହିଛି। ଭୁବନେଶ୍ୱର-ଦୁବାଇ, ଭୁବନେଶ୍ୱର-ଆବୁଧାବି, ଭୁବନେଶ୍ୱର-ବ୍ୟାଙ୍କକ, ଭୁବନେଶ୍ୱର-କ୍ବାଲାଲୁମ୍ପୁର, ଭୁବନେଶ୍ୱର-କଲୋମ୍ବୋ, ଭୁବନେଶ୍ୱର-ସିଙ୍ଗାପୁର ଏବଂ ଭୁବନେଶ୍ବର-କାଠମାଣ୍ଡୁ ମାର୍ଗରେ ଅନ୍ତର୍ଜାତୀୟ ଉଡାନ୍ ବିମାନ ଚଳାଚଳ ନିମନ୍ତେ ୧୦୦ ପ୍ରତିଶତ ଭିଜିଏଫ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ତାଙ୍କର ସହମତି ଦେଇପାରିବେ। ୧୦୦ ପ୍ରତିଶତ ଭିଜିଏଫ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯିବା ପରେ ବିମାନ କମ୍ପାନୀଗୁଡ଼ିକ ପାଇଁ ବିଡିଂ ନିମନ୍ତେ ଏସବୁ ମାର୍ଗକୁ ଖୋଲାଯିବ ବୋଲି ସିନ୍ଧିଆ ତାଙ୍କର ପତ୍ରରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/jharsuguda-airport2.png)