ବ୍ରହ୍ମପୁର: ଟାଟା ଜମି ଅଧିଗ୍ରହଣକୁ ବି‌େରାଧ କରି ୧୯୯୮ମସିହାରେ ସିନ୍ଧିଗାଁ ଠାରେ ବୋମାମଡ଼ରେ ତତ୍କାଳୀନ ଆର୍‌ଆଇଙ୍କ ମୃତ୍ୟୁ ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା। ପ୍ରାୟ ୨୫ବର୍ଷ ତଳର ଏହି ମାମଲା ଏଡିଜେ-୩ ରାଜ କୁମାର ଦାସଙ୍କ କୋର୍ଟରେ ବିଚାରଣା ଶେଷ ହୋଇ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୧୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ (୬୮)ଅଛନ୍ତି। ତାଙ୍କ ସହ ସିନ୍ଧିଗାଁର ପି.କାମରାଜୁ ରେଡ୍ଡୀ(୭୫), ବଡ଼ ଅର୍ଜିପଲ୍ଲୀର କାଳିଆ ସେଠୀ (୪୫), ଚମାଖଣ୍ଡିର ଏନ୍‌.ଦିଲୀପ କୁମାର ରେଡ୍ଡୀ(୫୦), ବଡ଼ପୁଟିର ଗୁରୁଦେବ ବେହେରା (୫୦), ସିନ୍ଧିଗାଁର ପି.ନାଗେଶ୍ବର ରେଡ୍ଡୀ (୬୫), ପି.ଡମ୍ବରୁଧର ରେଡ୍ଡୀ(୬୬), ଏଲ୍.ଚନ୍ଦ୍ରମଣି ରେଡ୍ଡୀ (୬୦), ପି.ଲକ୍ଷ୍ମୀପୁରର ଡି.କାମରାଜୁ ବର୍ମା (୬୯), ସିନ୍ଧିଗାଁର ପି.ପୋଟୁଡ଼ୁ(୬୮), ଟୁନା ବେହେରା (୫୨), ସୁଣ୍ଡିଗାଁର ଘନ ରେଡ୍ଡୀ (୬୦), ବାଣଭୁଲାପଲ୍ଲୀ ଗ୍ରାମର ସୁଦାମ ରାଉଳ (୫୯)। ଶୁଣାଣି ବେଳେ ଏହି ସମସ୍ତ ଅଭି‌ଯୁକ୍ତ ଆଜି କୋର୍ଟରେ ହାଜର ହୋଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ମକଦ୍ଦମା ପରିଚାଳନା କରିଥିଲେ।

Advertisment

୧୯୯୮ ମସିହାରେ ଟାଟାର ଜମି ଅଧିଗ୍ରହଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ସେହିବର୍ଷ ଜୁନ୍ ୧୮ରେ ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଜନତା ମୁହାଁମୁହିଁ ହୋଇଥିଲେ। ବୋମାମାଡ଼ରେ ତତ୍କାଳୀନ ରିଜର୍ଭ ଇନ୍‌ସପେକ୍ଟର୍‌ (ଆର୍‌ଆଇ) ବିନୋବା ମେହେରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଛତ୍ରପୁର ଥାନା ପୁଲିସ ରୁଜୁ କରିଥିବା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୨୨ଜଣ ଅଭିଯୁକ୍ତ ଥିଲେ। ୨୨ଅଭିଯୁକ୍ତଙ୍କ ମଧ୍ୟରୁ ୧୩ଜଣ ଆଜି ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୮ଜଣ ଅଭିଯୁକ୍ତଙ୍କର ଏହାମମଧ୍ୟରେ ମୃତ୍ୟୁ ଘଟିଛି।

ତେବେ ଉପରୋକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଆଜିର ରାୟ ନେଇ ଗଣମାଧ୍ୟମକୁ କହିଛନ୍ତି, ବୋମାମାଡ଼ ସମୟରେ ସେ ସିନ୍ଧିଗାଁରେ ତତ୍କାଳୀନ ଜିଲ୍ଲାପାଳ, ଏସ୍‌ପି ଓ ଗ୍ରାମବାସୀଙ୍କ ସହ ଶାନ୍ତି ବୈଠକରେ ଉପସ୍ଥିତ ଥିଲେ। ତାଙ୍କର ଉକ୍ତ ଘଟଣାରେ କିଛି ସମ୍ପୃକ୍ତି ନାହିଁ ବୋଲି ସଫେଇ ଦେବା ସହ ନ୍ୟାୟ ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ପ୍ରକାଶ କରିଥିଲେ।