ଭୁବନେଶ୍ବର: ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ ମାଷ୍ଟର କ୍ୟାଣ୍ଟିନଠାରେ ମିସନ୍ ଶକ୍ତି ବିଭାଗ ପକ୍ଷରୁ ‘ସିନ୍ଦୂର ଯାତ୍ରା’ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ୍ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର ବୋଲି କହିଥିଲେ। ସିନ୍ଦୂରର ରଙ୍ଗ ନାଲି। ଏହି ନାଲି ରଙ୍ଗ ବିଜୟର ପ୍ରତୀକ ଏବଂ ବିପଦର ମଧ୍ୟ ପ୍ରତୀକ। ନାଲି ରଙ୍ଗକୁ ଶତ୍ରୁମାନଙ୍କ ପାଇଁ ବିପଦ ଓ ଭାରତବାସୀଙ୍କ ପାଇଁ ବିଜୟର ସଂକେତ ଭାବେ ଅଭିହିତ କରି ଏହି ମିସନର ନାଁ ‘ଅପରେସନ୍ ସିନ୍ଦୁର’ ରଖାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆମର ବୀର ଯବାନମାନଙ୍କୁ ଏହି ପଦଯାତ୍ରା ଦ୍ୱାରା ଆମେ ସ୍ମରଣ କରୁଛୁ ବୋଲି କହିଥିଲେ।
ପଦଯାତ୍ରାରେ ଯୋଗ ଦେଲେ ହଜାର ହଜାର ମହିଳା
ମହିଳାମାନଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ଆରମ୍ଭ ହୋଇ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏଥିରେ ହଜାର ହଜାର ମହିଳା ଯୋଗ ଦେଇଥିବା ବେଳେ ନୌସେନାର ସର୍ଜେଣ୍ଟ୍ ଲେଫ୍ଟେନାଣ୍ଟ୍ କମାଣ୍ଡର ଅନନ୍ୟା ଦଳବେହେରା ଓ ପହଲଲଗାମ୍ଠାରେ ସହିଦ ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ନର୍ଲା ବିଧାୟିକା ମନୋରମା ମହାନ୍ତି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ଉନ୍ନୟନ କମିସନର ଅନୁ ଗର୍ଗ, ମିସନ ଶକ୍ତି ସଚିବ ଶାଳିନୀ ପଣ୍ଡିତ, ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ସମାଜସେବୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।