କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଲାଗୁ ହୋଇଥିବା ସାଇନ୍ ଡାଏକୁ ଶନିବାର ଦିନ ଉଠାଇ ନେବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେହିପରି ହଷ୍ଟେଲ୍ ଗୁଡ଼ିକ ଅପରାହ୍ନ ୫ଟାରେ ଖୋଲି ଦିଆଯିବ। ଛାତ୍ରଛାତ୍ରୀମାନେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପରିଚୟ ପତ୍ର ଦେଖାଇ ମୁଖ୍ୟ ଗେଟ୍ରେ ଏବଂ ହଷ୍ଟେଲ୍ ପରିଚୟ ପତ୍ର ଦେଖାଇ ହଷ୍ଟେଲ୍ ଭିତରକୁ ପ୍ରବେଶ କରିପାରିବେ। ଏହାପରେ ବାକି ରହିଯାଇଥିବା ସେମିଷ୍ଟାର୍ ପରୀକ୍ଷା ଗୁଡ଼ିକ ୧୭ ତାରିଖଠୁ ଆରମ୍ଭ କରାଯିବ। ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ। ପରୀକ୍ଷାର ପୂର୍ଣ୍ଣ ବିବରଣୀ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍ରେ ପ୍ରକାଶ କରାଯିବ। ଅନ୍ୟପକ୍ଷରେ ପିଜି, ଏମ୍ଫିଲ୍ ଓ ପିଏଚ୍ଡି ପ୍ରବେଶିକା ପରୀକ୍ଷାର ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନଥିବା ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଇନ୍ ଡାଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ଆଜି କୁଳପତିଙ୍କ ସମ୍ମିଳନୀ କକ୍ଷରେ ବିଶ୍ୱବିଦ୍ୟାଳୟ ରେସିଡେନ୍ସିଆଲ୍ କମିଟି ବୈଠକ ଡକାଯାଇଥିଲା। ସେଥିରେ ପ୍ରୋକ୍ରିଆଲ୍ ବୋର୍ଡର ସଦସ୍ୟମାନେ ଉପସ୍ଥିତ ରହି ସାଇନ୍ ଡାଏ ଉଠାଇ ଦେବାକୁ ସହମତି ଦେଇଥିଲେ। କୁଳପତି ଡକ୍ଟର ଇଶାନ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୁଳସଚିବ ମହେଶ୍ୱର ଅଗସ୍ତି, ସମସ୍ତ ହଷ୍ଟେଲ୍ ଓ୍ଵାର୍ଡେନ୍, ଡେପୁଟି ଓ୍ଵାର୍ଡେନ୍ ଉପସ୍ଥିତ ରହି ଚଳିତ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ମଧ୍ୟ ସ୍ଥିର ହୋଇଛି। ତେବେ ଚଳତ ମାସ ୨୮ ତାରିଖରୁ ମାସେ ପର୍ଯ୍ୟନ୍ତ ସମସ୍ତ ହଷ୍ଟେଲ୍ ଗୁଡ଼ିକୁ ବନ୍ଦ କରାଯାଇ ମରାମତି କାର୍ଯ୍ୟ ହେବାକୁଥିବାରୁ ଫଳାଫଳ ଶୀଘ୍ର ବାହାର କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି।
ସୂଚନାରୁ ପ୍ରକାଶ ଯେ, ବିଭିନ୍ନ ଦାବି ନେଇ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମଙ୍ଗଳବାର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଫଳରେ ଅଶାନ୍ତ ପରିବେଶକୁ ନଜରରେ ରଖି କୁଳପତି ସାଇନ୍ ଡାଏ ଘୋଷଣା କରିଥିଲେ। ତେବେ ସାଇନ୍ଡାଏ ଉଚ୍ଛେଦ ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟି ପୁଣି ଧାରଣା ଦେବା ସହ କୁଳାଧିପତିଙ୍କୁ ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଦୁଇ ଦିନଧରି ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦିଆଯିବା ପରେ ଗୁରୁବାର କର୍ତ୍ତୃପକ୍ଷଙ୍କ ସହିତ ଛାତ୍ର ପ୍ରତିନିଧିମାନେ ଆଲୋଚନା କରିଥିଲେ। ସାଇନ୍ ଡାଏ ଉଠାଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରମାନେ ଧାରଣାରୁ ଓହରିଥିଲେ।