ପୁରୀ/କୋଣାର୍କ: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମ ଆଜି ସସ୍ତ୍ରୀକ ପୁରୀ ଜିଲ୍ଲା ଗସ୍ତରେ ଆସି ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ନିକଟ କଳାଗ୍ରାମ ରଘୁରାଜପୁର ଓ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରଘୁରାଜପୁରର ପଟ୍ଟଚିତ୍ର, ତାଳପତ୍ର କଳା, ମାଟି ଓ ଗୋବର କଣ୍ଢେଇ, ପଥର କଳା ଆଦି ଦେଖି ଅଭିଭୂତ ହୋଇଛନ୍ତି। ପଟ୍ଟଚିତ୍ର ଶିଳ୍ପୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ପଟ୍ଟଚିତ୍ର କଳା ପ୍ରସ୍ତୁତି ବି ଦେଖିଛନ୍ତି। ଆଲୋଚନା ବେଳେ ନିଜ ଅଞ୍ଚଳର ଲୋକଙ୍କୁ ଏଠାକୁ ଆସିବାକୁ ଓ ରଘୁରାଜପୁରର କଳା ଶିଖିବାକୁ ପରାମର୍ଶ ଦେବେ ବୋଲି ସେ କହିଛନ୍ତି। ରଘୁରାଜପୁରର ବିକାଶ ପାଇଁ ଆର୍ଥିକ ସହାୟତା କ୍ଷେତ୍ରରେ ବି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗାଁ ସଂପାଦକ ଅଭିରାମ ଦାସ କହିଛନ୍ତି। ଏହି ଅବସରରେ ସେ ଶିଳ୍ପଗୁରୁ ଦୀନବନ୍ଧୁ ମହାପାତ୍ରଙ୍କ ଦ୍ବାରା ତାଳପତ୍ରରେ ପ୍ରସ୍ତୁତ ରାମାୟଣ କଳାକୁ ୧ଲକ୍ଷ ୫୦ହଜାର ଟଙ୍କା ଦେଇ କିଣିଥିଲେ। ସେହିଭଳି ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦ୍ବାରା ପ୍ରସ୍ତୁତ କୃଷ୍ଣଲୀଳାର ତାଳପତ୍ର କଳା ବି ୫୦ହଜାର ଟଙ୍କା ଦେଇ କିଣିଥିଲେ।
କଳାଗ୍ରାମ ରଘୁରାଜପୁର, କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଲେ
୨ ଲକ୍ଷ ଟଙ୍କାରେ ରାମାୟଣ ଓ କୃଷ୍ଣଲୀଳା ତାଳପତ୍ର କଳା କିଣିଲେ
ଏଥିସହ ଗୋବର କଣ୍ଢେଇ, ଗୁଆ ଉପରେ ଅଙ୍କିତ କଳାକୃତି ଆଦି କିଣିଥିଲେ। ସିଙ୍ଗାପୁର ରାଷ୍ଟ୍ରପତି ମୋଟ୍ ୨ଲକ୍ଷ ୬ହଜାର ଟଙ୍କାର କଳାକୃତି କିଣିଥିଲେ ବୋଲି ଶ୍ରୀ ଦାସ କହିଛନ୍ତି। ଗାଁର ଅଭିଜ୍ଞ ପଟ୍ଟଚିତ୍ର ଶିଳ୍ପୀ ଆକାଶ ସ୍ବାଇଁ କହିଛନ୍ତି, ଆଜି ସକାଳେ ସିଙ୍ଗାପୁର ରାଷ୍ଟ୍ରପତି ପହଞ୍ଚିବା ପରେ ରଘୁରାଜପୁର କ୍ରାଫ୍ଟ ସେଣ୍ଟର୍ ବୁଲିବା ସହ ଶିଳ୍ପୀଙ୍କୁ ପଟ୍ଟଚିତ୍ର କଳା କିଭଳି ପ୍ରସ୍ତୁତ ହେଉଛି ପଚାରି ବୁଝିଥିଲେ। ରଘୁରାଜପୁର କ୍ରାଫ୍ଟ ସୋସାଇଟିର ସଭାପତି ସୁଦର୍ଶନ ସ୍ବାଇଁ, ଗାଁ ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି ଗାଁ ବୁଲାଇବା ସହ ପଟ୍ଟଚିତ୍ର କାରୁକାର୍ଯ୍ୟ ସଂପର୍କରେ ବୁଝାଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ଗାଁ ଲୋକଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କ ସୁନାବେଶର ପଟ୍ଟଚିତ୍ର ଭେଟି ଦିଆଯାଇଥିଲା। ପୁରୀ ସଦର ବିଡିଓ ସମ୍ବିତ ଶତପଥୀ କହିଛନ୍ତି, ସିଙ୍ଗାପୁର ରାଷ୍ଟ୍ରପତି ଆଜି ସକାଳ ପ୍ରାୟ ୯ଟାରେ ରଘୁରାଜପୁରରେ ପହଞ୍ଚିଥିଲେ। ପାରମ୍ପରିକ ଲୋକକଳା ଓ ଗୋଟିପୁଅ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ପହଞ୍ଚି ପ୍ରଥମେ କ୍ରାଫ୍ଟ ସେଣ୍ଟରରେ ପ୍ରଦର୍ଶିତ ହେଉଥିବା ପଟ୍ଟଚିତ୍ର, ତାଳପତ୍ର, ପଥର ଆଦି କଳାକୃତି ଦେଖିଥିଲେ। ପରେ ରଘୁରାଜପୁର ଗାଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ଖାଦ୍ୟ ଶୈଳୀ ଓ ପାଠପଢ଼ା ସଂପର୍କରେ ବୁଝିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ିରେ ଯେଉଁ ବ୍ୟବସ୍ଥା କରାଯାଇଛି, ତାକୁ ପ୍ରଶଂସା କରିଥିଲେ। ପରେ ରଘୁରାଜପୁର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର(ଡାକ୍ତରଖାନା) ବୁଲି ଦେଖିଥିଲେ। ଡାକ୍ତରଙ୍କ ସହ ଡାକ୍ତରଖାନାର ରୋଗୀ ସେବା ଉପରେ ଆଲୋଚନା କରିଥିଲେ ବୋଲି ଶ୍ରୀ ଶତପଥୀ କହିଛନ୍ତି। ରଘୁରାଜପୁରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।
ରଘୁରାଜପୁର କାର୍ଯ୍ୟକ୍ରମ ସାରି ପୂର୍ବାହ୍ଣ ୧୧ଟା ୫ରେ ସିଙ୍ଗାପୁର ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସମେତ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ରାଧାକୃଷ୍ଣ ଶର୍ମା, ଆଇଜି ଅନୁପ କୁମାର ସାହୁ, ଡିଆଇଜି ଅଖିଳେଶ୍ବର ସିଂହ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସେ ପ୍ରଥମେ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ବ୍ୟାଟେରିଚାଳିତ ଗାଡ଼ିରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଣାର୍କ ସୂର୍ଯ୍ୟମନ୍ଦିରରେ କାରୁକାର୍ଯ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ। ସୂର୍ଯ୍ୟମନ୍ଦିରର ଉତ୍ତର ଦିଗରେ ଦଣ୍ଡାୟନ ହାତୀ ମୂର୍ତ୍ତିକୁ ଦେଖି ବିମୋହିତ ହୋଇଥିଲେ। ବିଶେଷ ଭାବେ କୋଣାର୍କ ସୂର୍ଯ୍ୟ ମନ୍ଦିରର ୬ନମ୍ବର ଚକା ପାଖରେ ଥିବା ଆଫ୍ରିକାର ଜିରାଫ ମୂର୍ତ୍ତିକୁ ଦେଖି ସେତେବେଳେ କିଭଳି ଭାରତ ସହ ଆଫ୍ରିକାର ସମ୍ପର୍କ ଥିଲା, ସେ ଉପରେ ଟିକିନିଖି ପଚାରି ବୁଝିଥିଲେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କୋଣାର୍କ ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟର ପ୍ରାଚୀନତା ସଂପର୍କରେ ବୁଝାଇଥିଲେ। ଗାଇଡ୍ ଆଭାସ ମହାନ୍ତି ଓ ପ୍ରଦୀପ ମଲ୍ଲ ଏଥିରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/19/HcEOmWAeT3olLvsZZEtJ.jpg)