ସମ୍ବଲପୁର: ଆରପାରିକୁ ଚାଲିଗଲେ ସମ୍ବଲପୁରର ଜଣାଶୁଣା କଣ୍ଠଶିଳ୍ପୀ ବାଥିନ୍ ମୁଖାର୍ଜୀ(୭୨)। ସେ ‘ବାଥିନ୍ ମୁକେଶ’ ନାମରେ ପରିଚିତ ଥିଲେ। ମୁକେଶଙ୍କ ଗୀତକୁ ଅବିକଳ ସେହି ଢଂଗରେ ଗାନକରୁଥିବାରୁ ପ୍ରଶଂସକମାନେ ତାଙ୍କୁ ‘ବାଥିନ୍ ମୁକେଶ’ ନାମରେ ଡାକୁଥିଲେ। ସେ କିଡ୍ନି ଓ ଯକୃତଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତାଙ୍କ ବିୟୋଗରେ ସଂଗୀତପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି।
ସମ୍ବଲପୁର ଲକ୍ଷ୍ମୀ ଟକିଜ ନିକଟରେ ରହୁଥିବା ବାଥିନ୍ ମୁଖାର୍ଜୀ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ। ଆଶାପାଲି ସ୍କୁଲରୁ ପ୍ରାଥମିକ ଶିକ୍ଷା, ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲରୁ ମାଟ୍ରିକ ଓ ଜିଏମ୍ କଲେଜରୁ ସ୍ନାତକ ଡିଗ୍ରି ପରେ ମେଡିକାଲ୍ ରିପ୍ରେଜେନ୍ଟେଟିଭ୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏକ ମେଡିସିନ୍ କଂପାନିର ଏରିଆ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ପିଅରଲେସ୍, ଏଲ୍ଆଇସି ଭଳି ବୀମା କଂପାନିରେ କିଛି କାଳ କାମ କରିଥିବା ବେଳେ ପରେ ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ରେଷ୍ଟୁରାଣ୍ଟ ଖୋଲି ଥିଲେ। ‘ଆଏଜ୍ ଝିଅର୍ ହେଉଛେ ବିହାଘର ହୋ.., ତତେ ମୁଇଁ ଝୁରି ମଲି ଝୁରି ମଲି.., ଫିରି ଯା ଫିରି ଯା ଗୁରି.., ଏକ ସୁନୟନାର ନୟନେ ଯାଇଛି ହଜି.., ଶୀତର କୁହୁଡ଼ି ପ୍ରିୟାକୁ ମୋ କହିବ.. ଭଳି ତାଙ୍କର ଅନେକ ଲୋକପ୍ରିୟ ଗୀତ ଏବେ ବି ଲୋକେ ମନେ ରଖିଛନ୍ତି। ସରୋଜ ନନ୍ଦ, ବ୍ରଜେନ୍ଦ୍ର ନାୟକ, ଶଙ୍କର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନେକ ଗୀତ ଗାଇଛନ୍ତି। ୧୯୬୮ ମସିହାରେ ‘ସୁର୍ ବିଟ୍’ ମେଲୋଡି ପାର୍ଟି ଗଠନ ଜରିଆରେ ଓଡ଼ିଶାରେ ବହୁ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ସେହି ସମୟରେ ରାଜ୍ୟରେ ‘ସୁର ବିଟ୍’ ଏକ ନାଁ ଅନୁଷ୍ଠାନ ଥିଲା। ପରବର୍ତ୍ତୀ ସମୟରେ ରଂଜନ ସାହୁଙ୍କ ‘ଉକିଆ’ ସଂସ୍ଥାରେ ସାମିଲ ହୋଇ ଦେଶ ସାରା ବୁଲି ବିଭିନ୍ନ ମଂଚରେ ଗୀତ ପରିବେଷଣ କରି ପ୍ରଶଂସା ସାଉଁଟି ଥିଲେ। ସେ ତାଙ୍କ ପଛରେ ପତ୍ନୀ କଣ୍ଠଶିଳ୍ପୀ ସୁପ୍ରିୟା ଏବଂ ଏକମାତ୍ର ପୁଅ ସିନେ ଲେଖକ ଅରିଜିତ ମୁଖାର୍ଜୀଙ୍କୁ ଛାଡ଼ି ଯାଇଛନ୍ତି। କୋଲକାତାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି। ତାଙ୍କ ବିୟୋଗରେ ଜଣାଶୁଣା କଣ୍ଠଶିଳ୍ପୀ ତଥା ସୁଲେମାନ ଦିୱାନା ଗଭୀର ଶୋକବ୍ୟକ୍ତ କରିବା ସହିତ ବାଥିନ୍ ତାଙ୍କ ଗୀତ ପାଇ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି। ଆଜି କାଳିବାଡ଼ିରେ ତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।