କଟକ: ଜନୈକ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଥାନାରେ ହାଜର ହେବା ପୂର୍ବରୁ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅଭିଯୋଗକାରିଣୀଙ୍କୁ ଚିହ୍ନି ନାହିଁ।
ଅନ୍ୟପଟରେ ସୌରିନଙ୍କ ଓକିଲ ଓ ତଦନ୍ତକାରୀ ଏସିପି କହିଛନ୍ତି, ସୌରୀନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ଦେବା ନେବା ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି। ସୌରିନଙ୍କ ୧୬୧ଧାରାରେ ବୟାନ ରେକର୍ଡ ପରେ ଆଜି ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି ବୋଲି କହିଛନ୍ତି ଏସିପି।
ସୂଚନାଯୋଗ୍ୟ, ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସୌରିନ ଭଟ୍ଟ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନିଜ ଓକିଲଙ୍କ ସହ ମହିଳା ଥାନାରେ ହାଜର ହୋଇଥିଲେ। ଥାନାରେ ଜୋନ ୨ଏସିପି ଓ ମହିଳା ଥାନା ଅଧିକାରୀ ପ୍ରାୟ ଦୁଇ ଘଣ୍ଟା ଧରି ସୌରିନଙ୍କୁ ଜେରା କରିଥିଲେ। ଥାନାରେ ହାଜର ହେଵା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରିନ ପୁରା ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ। ମହିଳା ଥାନାରେ ଜେରା ପରେ କିନ୍ତୁ ସୌରିନଙ୍କ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ଭିନ୍ନ ତଥ୍ୟ ରଖିଥିଲେ। ସୌରିନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଜେରା ବେଳେ ସୌରିନ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି।
ପୁଲିସ ମଧ୍ୟ ଉଭୟଙ୍କ ଭିତରେ ବନ୍ଧୁତା ଥିବା କଥା ସ୍ପଷ୍ଟ କରିବା ସହ ଉଭୟଙ୍କ ଭିତରେ ଟଙ୍କା ଦିଆ ନିଆ ହେଉଥିଲା ବୋଲି କହିଛି। ଏ ସମ୍ପର୍କରେ ପୁଲିସ ସୌରିନଙ୍କ ୧୬୧ଧାରାରେ ବୟାନ ରେକର୍ଡ କରିଛି। ଅଭିଯୋଗକାରିଣୀଙ୍କର ପୂର୍ବରୁ ୧୬୧ଓ ୧୬୪ଧାରାରେ ବୟାନ ରେକର୍ଡ କରାଯାଇଛି। ଆଜି ସୌରିନଙ୍କ ଡାକ୍ତରୀ ମାଇନା କରାଯାଇଛି। ହାଇକୋର୍ଟ ସୌରିନଙ୍କ ଅନ୍ତରୀଣ ସୁରକ୍ଷା ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ଆବଶ୍ୟକ ହେଲେ ସୌରିନଙ୍କୁ ପୁଣି ଥରେ ଜେରା ପାଇଁ ଡକାଯିବ ବୋଲି ଏସିପି କହିଛନ୍ତି।