ସିଂହଦ୍ବାର ସମ୍ମୁଖରେ ରାସ୍ତା ଦବିଲା

ପୁରୀ : ରାଜ୍ୟ ସରକାର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ପାଇଁ ପ୍ରାୟ ୪ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ସିଂହଦ୍ବାର ଅବସ୍ଥା ବଦଳି ପାରୁନି। ଯେଉଁଠି କୋଟି କୋଟି ଟଙ୍କାରେ କୋଠା, ରାସ୍ତା ନିର୍ମାଣ କରାଯାଉଛି, ସେଠି ଭକ୍ତ ମୁଣ୍ଡିଆ ମାରୁଥିବା ସ୍ଥାନରେ ଆଜି ରାସ୍ତା ଦବି ବିରାଟ ଗର୍ତ୍ତ ସୃ‌ଷ୍ଟି ହୋଇଛି। ଏହି ଗର୍ତ୍ତ ମରାମତି ହୋଇପାରି ନଥିବା ବେଳେ ଜିଲ୍ଲା ପ୍ରଶାସନ କେବଳ ଚାରିପଟେ ବାରିକେଡ୍‌ ପକାଇ କାମ ସାରିଦେଇଛି। ଫଳରେ ଏହି ପ୍ରମୁଖ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରଥଯାତ୍ରା ପୂର୍ବରୁ ବି ଏଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। କିନ୍ତୁ, ଜିଲ୍ଲା ପ୍ରଶାସନ ଓବିସିସି ଜରିଆରେ ଏହାର ସ୍ଥାୟୀ ମରାମତି ବଦଳରେ ତାଳିପକା କାମ କରି ଛାଡ଼ି ଦେଇଥିଲା। ଫଳରେ ରଥଯାତ୍ରାର ମାତ୍ର ୨ ମାସ ଭିତରେ ପୁଣି ଏଠାରେ ଗର୍ତ୍ତ ସୃଷ୍ଟି ହୋଇ ଭକ୍ତଙ୍କ ପାଇଁ ମରଣଯନ୍ତା ତିଆରି କରିଛି। ପ୍ରାୟ ୪ ଫୁଟ ଲମ୍ବ ଓ ୪ ଫୁଟ ଓସାରରେ ଦୋଳମଣ୍ଡପ ସାହିର ଏହି ସ୍ଥାନରେ ରାସ୍ତା ଦବିଯିବା ସହ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତଳେ ନାଳ ଯାଇଥିବାରୁ ବାରମ୍ବାର ଏହି ରାସ୍ତା ଦବିବା ସହ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର