ପୁରୀ : ଏସିଆର ସର୍ବବୃହତ ଥାନା ଭାବେ ପରିଚିତ ସିଂହଦ୍ୱାର ଥାନା ଏବେ ନାହିଁ ନାହିଁରେ ଚାଲିଛି। ୨୦୦୮ ମସିହା ଅଗଷ୍ଟ ୧୫ ତାରିଖ ଦିନ ଏହି ଥାନାକୁ ତତ୍କାଳୀନ ପୁଲିସ ଡିଜି ଗୋପାଳ ନନ୍ଦ ପ୍ରତିଷ୍ଠା କରିଥିଲେ। ସେତେବେଳେ ସେ ସିଂହଦ୍ବାର ଥାନାକୁ ଏସିଆର ସର୍ବ ବୃହତ ଥାନା ଭାବେ ଘୋଷଣା କରିଥିଲେ। ଏସ୍‌ପି ଭାବେ ଅସିତ ପାଣିଗ୍ରାହୀ ଥିବା ବେଳେ ପ୍ରଥମ ଆଇଆଇସି ଭାବେ ଅରୁଣ ଦଳେଇଙ୍କୁ ଏଠାରେ ପୋଷ୍ଟିଂ କରାଯାଇଥିଲା। ଏହି ଥାନାରେ ଦୁଇ ଜଣ ଇନସ୍‌ପେକ୍ଟର, ୨୩ ଏସ୍‌ଆଇ, ୨୨ ଏଏସ୍ଆଇ, ଛଅ ଜଣ ହାବିଲଦାର ଏବଂ ୭୮ ଜଣ କନେଷ୍ଟବଳଙ୍କୁ ଏଠାରେ ନିୟୋଜିତ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସେତେବେଳେ ଘୋଷଣା କରାଯାଇଥିଲା। ମାତ୍ର ଏହି ଘୋଷଣା ଆଜି ପର୍ଯ୍ୟନ୍ତ ଫାଇଲ୍‌ରେ ରହିଯାଇଛି। ଆଜି ପର୍ଯ୍ୟନ୍ତ ଏଠାରେ ଦୁଇ ଆଇଆଇସି ଯୋଗ ଦେଇନାହାନ୍ତି । ଅବଶ୍ୟ ଗତ ଏକ ମାସ ହେବ ଏଠାରେ ଦୁଇ ଜଣ ଆଇଆଇସି ପୋଷ୍ଟିଂ କରାଯାଇଥିଲା। ମାତ୍ର ଜଣେ ଆଇଆଇସିଙ୍କୁ ଏଠାରୁ ଇତି ମଧ୍ୟରେ ଅନ୍ୟ ଥାନାକୁ ବଦଳି କରିଦିଆଯାଇଛି। ଫଳରେ ଏଠାରେ ଏବେ ପୂର୍ବ ଭଳି ଜଣେ ଇନ୍‌ସ୍ପେକ୍ଟର ଅଛନ୍ତି। ସେହିପରି ଏଠାରେ ୨୩ ଜଣ ଏସ୍ଆଇ ପଦବି ରହିଥିବା ବେଳେ କେବଳ ଦୁଇ ଜଣ ଏସ୍‌ଆଇରେ କାମ ଚଳାଯାଉଛି। ଏଠାରେ ୨୨ ଜଣ ଏଏସ୍ଆଇଙ୍କ ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୫। ମଞ୍ଜୁର ୬ ହାବିଲଦାରଙ୍କ ମଧ୍ୟରୁ ଜଣେ ହେଲେ ଏଠାରେ ନାହାନ୍ତି। ୭୮ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶନାମା ରହିଥିବା ବେଳେ ମାତ୍ର ୨୫ ଜଣ କନେଷ୍ଟବଳଙ୍କ ଦ୍ବାରା କାମ ତୁଲାଯାଉଛି। ଦୁଇ ଆସିଷ୍ଟାଣ୍ଟ ଡ୍ରାଇଭର ପଦବି ଖାଲି ପଡ଼ିଛି। ୪୭ ଜଣ ଅଫିସରଙ୍କୁ ନେଇ ଏହି ଥାନା ସୃଷ୍ଟି କରାଯାଇଥିବା ବେଳେ ପ୍ରକୃତରେ ଅଛନ୍ତି ଆଠ । ତେଣୁ ନାହିଁ ନାହିଁରେ ସିଂହଦ୍ବାର ଥାନା ଚାଲିଛି।

Advertisment

publive-image

ଏସିଆର ସର୍ବବୃହତ ଥାନା ଭାବେ ଘୋଷଣା କରିଦେଇ ସରକାର ବାହା ବା ନେବାକୁ ଡିଣ୍ଡିମ ପିଟିଥିଲେ। ତେବେ ଏହା କେବଳ କାଗଜ କଲମରେ ରହିଯାଇଛି। ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ଉଚ୍ଛେଦ ସମୟରେ ସିଂହଦ୍ବାର ଥାନାକୁ ଭାଙ୍ଗି ଦିଆଯାଇଥିଲା। ଏବେ ଏହି ଥାନା ଭଡ଼ାରେ ଚାଲିଛି। ଆସାମୀ ରହିବା ପାଇଁ ହାଜତ ଘର ନାହିଁ। ଯେଉଁ ଘରେ ଅଫିସରମାନଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି ସେହିଠାରେ ହିଁ ଆସାମୀମାନେ ରହୁଛନ୍ତି। ଯଦି କେତେବେଳେ କୌଣସି ଆସାମୀକୁ ପରିସ୍ରା ଲାଗିଲା, ତେବେ ତାକୁ ଟାଉନ ଥାନାକୁ ନେବାକୁ ପଡ଼ୁଛି। ପୁଲିସ ଏହି ଆସାମୀମାନଙ୍କୁ ଟାଉନ ଥାନା ନେବା ଆଣିବା ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ତାଙ୍କ ଚାକିରି ପାଇଁ ଚିନ୍ତିତ ହୋଇପଡ଼ୁଛନ୍ତି। ସେହିପରି ଏଠାରେ ପୁଲିସମାନଙ୍କ ପାଇଁ ମଧ୍ୟ ପାଇଖାନା, ପରିସ୍ରାଗାର କିମ୍ବା ଗାଧୁଆ ଘର ନାହିଁ। ବିଶେଷ କରି ଏଠାରେ ମହିଳା ପୁଲିସମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ଏଠାରେ ଆବଶ୍ୟକ ପଦବିକୁ ପୂରଣ କରାଯାଇପାରିନାହିଁ।

ଅଳ୍ପ ସଂଖ୍ୟକ ଅଫିସର ଓ ପୁଲିସ କର୍ମଚାରୀଙ୍କୁ ନେଇ ଏହି ଥାନା ପରିଚାଳନା କରିବାରେ ଘୋର ଅସୁବିଧା ହେଉଛି। ଦୈନିକ ଶ୍ରୀମନ୍ଦିରକୁ ଦଶରୁ ଅଧିକ ଭିଭିଆଇପି ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସିଂହଦ୍ବାର ଥାନା ପୁଲିସ ସଠିକ ଭାବେ ସହାୟତା ଯୋଗାଇ ପାରୁନାହିଁ। ଶ୍ରୀମନ୍ଦିରରେ ଦୈନିକ ପକେଟମାର କରୁଥିବା ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ବସାଇ ପଚରାଉଚରା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ଆସାମୀମାନଙ୍କୁ ଥାନାକୁ ଆଣି ରଖିବା ମୁଣ୍ଡ ଉପରେ ଖଣ୍ଡା ଝୁଲିବା ସଦୃଶ ହୋଇଛି। ଯଦି କୌଣସି ଅଭିଯୁକ୍ତ ଏଠାରୁ ଚମ୍ପଟ ମାରିବ ତେବେ ନିଶ୍ଚିତ ଭାବରେ ଚାକିରି ଗଲା ବୋଲି ଜାଣ। ଏ ଦିଗ ପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହେଉଛି।