ସିଂହଦ୍ୱାରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହିତ କାଉଁରିଆ ଜାଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀପାବଳି ପାଇଁ ବଡ଼ଦାଣ୍ଡରେ ଆଜି ସକାଳୁ ପ୍ରବଳ ଭିଡ଼ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି, ଦୀପ ଓ ପିଣ୍ଡ ଦାନ କରି ବଡ଼ବଡ଼ୁଆଙ୍କୁ ଏହି ଦିନରେ ସ୍ମ୍ମରଣ କରିବା ନେଇ ରହିଥିବା ପରମ୍ପରାକୁ ପାଳନ କରିବା ପାଇଁ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଡ଼ଦାଣ୍ଡରେ ହୋଇଛି। ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ଼ ବଡ଼ଦାଣ୍ଡରେ ଲାଗି ରହିଥିବାରୁ ସକାଳୁ ସକାଳୁ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି।


ସୂଚନାଯୋଗ୍ୟ ଯେ ଆଜି ସକାଳୁ ଉଠି ମହୋଦଧୀରେ ସ୍ନାନ କରି ଶ୍ରୀ ଜୀଉମାନଙ୍କ ଦର୍ଶନ ସହିତ ବଡ଼ଦାଣ୍ଡରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଉଦ୍ଦେଶ୍ୟରେ ହଜାର ହଜାର ଲୋକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ପୁରୀରେ ପହଞ୍ଚିଛନ୍ତି। ଏପରିକି ଗତକାଲି ରାତିରୁ ଆସି ପ୍ରାୟ ୮/୧୦ ହଜାର ଲୋକ କେବଳ ବଡ଼ଦାଣ୍ଡରେ ରାତିରେ ଶୋଇଥିଲେ। ତେବେ ଆଜି ସୂର୍ଯ୍ୟ ଉଦୟ ହେବା ପରେ ବଡ଼ଦାଣ୍ଡରେ ଶହ ଶହ ଲୋକ ଧାଡ଼ିବାନ୍ଧି ସେମାନଙ୍କ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ପରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ସହରରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି।

ସମ୍ବନ୍ଧିତ ଖବର