ଏକକ ପିଜି ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା, ସେପ୍ଟେମ୍ବର ୧୦ ଯାଏ ଆବେଦନ କରିହେବ

ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ପରୀକ୍ଷା, ନଭେମ୍ବର ୭ରେ ମେରିଟ୍‌ ଲିଷ୍ଟ, ଡିସେମ୍ବର ୩ରୁ ପାଠପଢ଼ା

ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ଆଜି ଚୂଡ଼ାନ୍ତ ରାୟ ଦେଇଛନ୍ତି। ରାୟ ପ୍ରକାଶ ପାଇବାର କିଛି ସମୟ ପରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାକୁ ଅକ୍ଟୋବର ୧୦ରୁ ୧୯ ତାରିଖ ମଧ୍ୟରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଅଗଷ୍ଟ ୩୧ରେ ସରୁଥିବା ଆବେଦନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ସୁଦ୍ଧା ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି। ଯେଉଁମାନେ ଆବେଦନ କରିପାରି ନାହାନ୍ତି, ସେମାନେ ସେପ୍ଟେମ୍ବର ୧୦ ତାରିଖ ରାତି ୧୧ଟା ୪୫ ମଧ୍ୟରେ www.samsodisha.gov.in କିମ୍ବା http://www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୩୦ରେ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ନିଜର ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ।

ଅକ୍ଟୋବର ୧୦ରୁ ୧୯ତାରିଖ ମଧ୍ୟରେ ସାରା ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ପର୍ଯ୍ୟନ୍ତ ଆବେଦନକାରୀ ଗ୍ରାଜୁଏସନ(ସ୍ନାତକ) ମାର୍କ ଦାଖଲ କରିପାରିବେ। ନଭେମ୍ବର ୨ ସୁଦ୍ଧା ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ୩ଟି ଯାକ ବିଶ୍ବବିଦ୍ୟାଳୟ ‘ଓକାକ୍‌’କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବେ। ନଭେମ୍ବର ୭ରେ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ କରାଯିବ। ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ଲାଗି ଛାତ୍ରଛାତ୍ରୀ ଇ-ଆଡମିସନ୍‌ ‘ସ‌ଂଯୋଗ’ ହେଲ୍‌ପଲାଇନ୍‌ ନମ୍ବର(୧୫୫୩୩୫/୧୮୦୦-୩୪୫-୬୭୭୦) ରେ ଯୋଗାଯୋଗ କରିପାରିବେ। ଯେଉଁ ସ୍ନାତକ ଛାତ୍ରଛାତ୍ରୀଙ୍କର ଶେଷ ‌ସେମିଷ୍ଟର୍‌ ପରୀକ୍ଷାଫଳ ପ୍ରକାଶ ପାଇ ନଥିବ, ସେମାନେ ବି ପ୍ରବେଶିକା ପରୀକ୍ଷା ଲାଗି ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଚୂଡ଼ାନ୍ତ ରାଜ୍ୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ ସେମାନଙ୍କୁ ସ୍ନାତକ ମାର୍କ ଦାଖଲ କରିବାକୁ ହେବ। ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବେ ନାହିଁ, ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର