ଭୁବନେଶ୍ବର: ଜୁଲାଇ ପହିଲାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ କଟକଣା ଲଗାଯିବ। ଯେଉଁ ସାମଗ୍ରୀର ଉପଯୋଗିତା କମ୍ ଏବଂ ଆବର୍ଜନା ସୃଷ୍ଟି କରିବାର ସାମର୍ଥ୍ୟ ଅଧିକ ସେଗୁଡିକର ଉତ୍ପାଦନ, ଆମଦାନୀ, ଗଚ୍ଛିତ, ବିତରଣ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲଗାଇବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିଷିଦ୍ଧ ସାମଗ୍ରୀଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍ କାଠି ଲାଗିଥିବା କାନ ସଫା କରାଯାଉଥିବା ବଡ୍, ବେଲୁନ୍ ପାଇଁ ବ୍ୟବହାର ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ପ୍ରସ୍ତୁତ ପତାକା, କ୍ୟାଣ୍ଡିର କାଠି, ଆଇସ୍କ୍ରିମ୍ରେ ବ୍ୟବହାର କାଠି, ସାଜସଜ୍ଜା ନିମନ୍ତେ ବ୍ୟବହୃତ ପଲଷ୍ଟିରିନ୍(ଥର୍ମୋକୁଲ୍), ପ୍ଲାଷ୍ଟିକର ପ୍ଲେଟ୍, କପ୍, ଗ୍ଲାସ୍, ପ୍ଲାଷ୍ଟିକ୍ର କଟଲେରି(ପ୍ଲାଷ୍ଟିକ୍ କଣ୍ଟା ଚାମଚ, ଛୁରି, ଚାମଚ୍, ନଳି, ଟ୍ରେ) ମିଠା ବାକ୍ସ ଉପରେ ଗୁଡ଼ା ଯାଉଥିବା ରାପର, ନିମନ୍ତ୍ରଣ କାର୍ଡ, ସିଗାରେଟ୍ ଖୋଳ, ୧୦୦ ମାଇକ୍ରନ୍ରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିରର୍ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି।
ଚିହ୍ନିତ କରାଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଠିକ୍ ସାମଗ୍ରୀଗୁଡ଼ିକର କଡ଼ାକଡ଼ି ଯାଞ୍ଚ ଲାଗି ଜାତୀୟ ଓ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଗଠନ କରାଯିବ। ଉକ୍ତ ପ୍ଲାଷ୍ଟିକ୍ର ବେଆଇନ ଉତ୍ପାଦନ, ଆମଦାନୀ, ଗଚ୍ଛିତ, ବିତରଣ, ବିକ୍ରୟ ଓ ବ୍ୟବହାରକୁ ଯାଞ୍ଚ ଲାଗି ସ୍ୱତନ୍ତ୍ର ଦଳ ଗଠିତ ହେବ। ନିଷିଦ୍ଧ ହୋଇଥିବା ଯେକୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଯାଞ୍ଚ ପଏଣ୍ଟ ସ୍ଥାପନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ପ୍ଲାଷ୍ଟିକ୍ ବିପଦକୁ ରୋକିବାରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ସିପିସିବି ଗ୍ରିଭାନ୍ସ(ଅଭିଯୋଗ) ସମାଧାନ ଆପ୍ ଆରମ୍ଭ କରାଯାଇଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ର ବିଲୋପ କରିବା ଦିଗରେ ସରକାର ସଚେତନତା ସୃଷ୍ଟି କରୁଛନ୍ତି। ଏହି ସଚେତନତା ଅଭିଯାନରେ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍, ଶିଳ୍ପ, କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ସରକାର, ନିୟାମକ ସଂସ୍ଥା, ବିଶେଷଜ୍ଞ, ନାଗରିକ ସଙ୍ଗଠନ ସମୂହ, ଆର୍ ଆଣ୍ଡ ଡି ଓ ଶିକ୍ଷାନୁଷ୍ଠାନ ଏକାଠି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/PlasticWasteDreamstime-scaled-1.jpg)