୧୫୦୮କୋଟିର ୫ଟି ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରି, ୨୧୫୫ଜଣଙ୍କୁ କର୍ମନିଯୁକ୍ତିି ସୁଯୋଗ

ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ ଅନୁମୋଦନ କର୍ତୃପକ୍ଷ ୧୫୦୮ କୋଟିର ୫ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତିି। ଏହା ଫଳରେ ରାଜ୍ୟରେ ୨୧୫୫ଜଣଙ୍କ ପାଇଁ ୨୧୫୫ ସଂଖ୍ୟକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏସବୁ ପ୍ରସ୍ତାବକୁ ଅନୁମୋଦନ ଦେବା ବେଳେ ପ୍ରକଳ୍ପଗୁଡ଼ିକ ଯେପରି ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ସେ ନେଇ ସଂପୃକ୍ତ ବିଭାଗଗୁଡ଼ିକ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ଓ୍ଵିଣ୍ଡୋ ଅନୁମୋଦନ କର୍ତୃପକ୍ଷଙ୍କ ୭୮ତମ ବୈଠକରେ ଏସବୁ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସୂଚନାନୁସାରେ ଆଇଓସିଏଲ୍‌ ଦ୍ୱାରା ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍‌ ପାର୍କରେ ପଲିମର୍‌ ଉତ୍ପାଦ ପ୍ରସ୍ତୁତି ୟୁନିଟ୍‌ ସ୍ଥାପିତ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେବ ୩୨୪ ହଜାର ଟନ୍‌। ଏଥିପାଇଁ ୯୭୫ କୋଟି ୧୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହି ପ୍ରକଳ୍ପରେ ୧୮୫ଜଣ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ସେହିପରି ଅନୁଗୁଳର ଆଲୁମିନିୟମ୍‌ ପାର୍କରେ ଏକ ଆଲୁମିନିୟମ୍‌ କମ୍ପାନି ନୂଆ ୟୁନିଟ୍‌ ସ୍ଥାପନ କରିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୪୦ ହଜାର ମେଟ୍ରିକ୍‌ ଟନ୍‌। ଏହି ଶିଳ୍ପାନୁଷ୍ଠାନରେ ୨୦୦ କୋଟି ନିବେଶ ହେବ ଏବଂ ଏଥିରେ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ।

ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରି ପାଇଥିବା ଗୁଜରାଟର ଖାଇବା ତେଲ ପ୍ରସ୍ତୁତିକାରୀ କମ୍ପାନି ପାରାଦୀପରେ ବାର୍ଷିକ ୭୫୦ ହଜାର ଟନ୍‌ କ୍ଷମତା ବିଶିଷ୍ଟ ବନସ୍ପତି ତେଲ ୟୁନିଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପ ନିମନ୍ତେ ୨୦୦ କୋଟି ବିନିଯୋଗ ହେବ। ଫଳରେ ୯୨୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ। ସେହିପରି ଆନ୍ଧ୍ରପ୍ରଦେଶର ଏକ କମ୍ପାନି ଇନଷ୍ଟାଣ୍ଟ ପାସ୍ତା, ଭର୍ମିସେଲି ସିମେଇ, କନ୍ଦମୂଳ ଅଟା ପ୍ରସ୍ତୁତି କରିବ। ପ୍ରାୟ ୭୧ କୋଟି ନିବେଶରେ ସ୍ଥାପନ ହେଉଥିବା ଏହି ପ୍ରକଳ୍ପରେ ପ୍ରାୟ ୩୦୦ ସଂଖ୍ୟକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଭଳି ୟୁନିଟ୍‌ ପ୍ରଥମ କରି ଓଡ଼ିଶାରେ ସ୍ଥାପିତ ହେବ। ସୂଚନାଯୋଗ୍ୟ, ୨୦୧୬-୧୭ରେ ଓଡ଼ିଶାରେ ୧୬.୩୮ ଲକ୍ଷ ଟନ୍‌ କନ୍ଦମୂଳ ଉତ୍ପାଦନ ହୋଇଥିଲା। ଏଥିରୁ ଅଟା ପ୍ରସ୍ତୁତ କରାଯାଇ ବିଭିନ୍ନ ଖାଦ୍ୟ ପ୍ରକିୟାକରଣ ଶିଳ୍ପକୁ ଯୋଗାଇ ଦିଆଯିବ।

ରାଜ୍ୟରେ ଇଣ୍ଟିିଗ୍ରେଟେଡ୍‌ କୋଲ୍ଡ ଚେନ୍‌ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କଲ୍‌କାତାର ଏକ କମ୍ପାନି ୬୨.୧ କୋଟି ଟଙ୍କା ନିବେଶ କରିବ। ଏହି କମ୍ପାନି ଖୋର୍ଦ୍ଧାର ଡେରାସରେ ଥିବା ସି- ଫୁଡ଼୍‌ ପାର୍କରେ ସେବା ସଂସ୍ଥା ସ୍ଥାପନ କରିବ। ଫଳରେ ୨୫୦ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହାବ୍ୟତୀତ, ଭୁବନେଶ୍ୱରରେ କୁକୁଡ଼ା ଖାଦ୍ୟ ଶିଳ୍ପ ସ୍ଥାପନ କରିଥିବା ସୁଗୁଣା ଫୁଡ୍‌ସର ସ୍ଥାନାନ୍ତର ପ୍ରସ୍ତାବକୁ ମଧ୍ୟ ସିଙ୍ଗଲ୍‌ ଓ୍ଵିଣ୍ଡୋର ମଞ୍ଜୁରି ମିଳିଛି। ଏହି ଶିଳ୍ପ ଖୋର୍ଧା ଜିଲ୍ଲାର ଜୟମଙ୍ଗଳ ଶିଳ୍ପାଞ୍ଚଳକୁ ଉଠିଯିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧ ଲକ୍ଷ ୨୪ ହଜାର ୮୦୦ ଟନ୍‌କୁ ବୃଦ୍ଧି ପାଇବ। ଫଳରେ ୪୮୬ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେଇପାରିବ।

ସମ୍ବନ୍ଧିତ ଖବର