ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଆହୁରି ଉନ୍ନତ ହେବ

ଭୁବନେଶ୍ବର : ରାଜ୍ୟରେ ପୁଞ୍ଜିନିବେଶକୁ ସୁଗମ କରିବା ଲାଗି ରହିଥିବା ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ନିବେଶକମାନେ ଯେଭଳି ଆବେଦନ କରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସେବା ପାଇପାରିବେ ତାହାର ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ନୂତନ ବ୍ୟବସ୍ଥା ବିକାଶ କାର୍ଯ୍ୟ ଶେଷ କରିବାକୁ ସେ କହିଛନ୍ତି। ନିବେଶକମାନେ ଯେଭଳି କୌଣସି ପ୍ରକାର ଅନୁମୋଦନ ବା ମଞ୍ଜୁରି ପାଇଁ ପ୍ରତ୍ୟକ୍ଷ ଭାବେ କୌଣସି କାର୍ଯ୍ୟାଳୟ ଯିବେ ନାହିଁ ତାହା ନିଶ୍ଚିତ କରିବାକୁ ସେ କହିଛନ୍ତି। ନୂଆ ବ୍ୟବସ୍ଥା ବିକଶିତ କରିବା ଲାଗି ନୋଡାଲ୍ ଅଧିକାରୀ ନିଯୁକ୍ତ କରିବାକୁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରରେ ଥିବା ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷକୁ ଅଧିକ ପାରଦର୍ଶୀ କରିବା ସହ ଉତ୍ତରଦାୟୀ ଓ ପେସାଦାର କରିବା ଲାଗି ମଧ୍ୟ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ଶିଳ୍ପ କେନ୍ଦ୍ର ସହିତ ଏମ୍ଏସ୍‌ଏମ୍ଇ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନ ଓ ମାନୁଫାକ୍‌ଚରିଂ ୟୁନିଟ୍‌ଗୁଡ଼ିକର ପ୍ରସାର ଅଭିଯାନକୁ ଯୋଡ଼ିବା ଲାଗି କୁହାଯାଇଛି।

ନୂଆ ବ୍ୟବସ୍ଥା ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ପ୍ରମୁଖ ମଞ୍ଜୁରି, ଜମି ଆବଣ୍ଟନ, ଜମିକୁ ନିଜ ଅକ୍ତିଆରକୁ ଆଣିବା, ନିର୍ମାଣ କାର୍ଯ୍ୟ ଓ ପରିଚାଳନା ଆରମ୍ଭ କରିବାର ମଞ୍ଜୁରି ଆଦି ସବୁ କିଛିକୁ ନୂଆ ବ୍ୟବସ୍ଥାରେ ସାମିଲ କରାଯିବ। ଗୋ-ସ୍ବିଫ୍ଟ ପୋର୍ଟାଲ୍ ଜରିଆରେ ନିବେଶକମାନେ ଏକାଥରେ ସବୁ ପ୍ରକାର ମଞ୍ଜୁରି ପାଇଁ ଆବେଦନ କରିପାରିବେ। ବିଭିନ୍ନ ପ୍ରକାର ଫି’ ଦାଖଲ କରିବା ଲାଗି ଗୋଟିଏ ପେମେଣ୍ଟ୍‌ ଗେଟ୍‌ୱେ ରହିବ। ବିଭାଗଗୁଡ଼ିକର ଯଦି କୌଣସି ବିଷୟରେ ଆପତ୍ତି ରହିଥାଏ ତାହା ସେମାନେ ଆବେଦନ ଆସିବାର ସାତ ଦିନ ଭିତରେ ଜଣାଇବେ। ଏହି ଅବସରରେ ଇପିକଲ୍ ଏମ୍‌ଡି ନିତୀନ ଭାନୁଦାସ ଜାୱଲେ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର