ତାଳଚେର: ଭୂଗର୍ଭକୁ ପୁଣି ଧସିଲା ଚାଷଜମି, ଗ୍ରାମବାସୀଙ୍କ ରାସ୍ତାରୋକ, ସମାଧାନୀ ବୈଠକ ଜାରି

ତାଳଚେର : ଆଜି ଦିନ ପ୍ରାୟ ୧୧ଟାରେ ତାଳଚେର ଦେଉଳବେଡ଼ା ଗ୍ରାମର ପଛପାଖ ଚାଷଜମି ଭୂଗର୍ଭକୁ ଧସିପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ନିଜ ଧନଜୀବନର ସୁରକ୍ଷା ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ସାଙ୍ଗକୁ ଆବଶ୍ୟକ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ରିପୋର୍ଟ ଲେଖା ବେଳକୁ ସମାଧାନୀ ବୈଠକ ଚାଲୁ ରହିଛି। ବରିଷ୍ଠ ଖଣି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଧସି ଯାଇଥିବାସ୍ଥଳକୁ ପୁଲିସ କର୍ଡନ କରି ରଖିଛି।

ପ୍ରକାଶ ଯେ ତାଳଚେର ପୌରାଞ୍ଚଳ ଓ୍ୱାର୍ଡ ନ˚. ୧୮ ପଛ ପାଖରେ ରହିଛି ଦେଉଳବେଡା ଗ୍ରାମ ନୂଆବନ୍ଧ। ଆଜି ଦିନ ପ୍ରାୟ ୧୧ଟା ବେଳେ ନୂଆବନ୍ଧ ଅ˚ଚଳକୁ କିଛି ସ୍ଥାନୀୟ ଯୁବକ ଗାଧୋଇବାକୁ ଯାଇଥିଲେ। ବନ୍ଧ ଠାରୁ ପ୍ରାୟ ୫୦ ଫୁଟ ଦୂରରେ ଥିବା ଭୋଳେଶ୍ୱର ସାହୁଙ୍କ ଚାଷ ଜମି ଅସ୍ୱାଭାବିକ ଭାବେ ମାଟି ତଳକୁ ଦବି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ପ୍ରାୟ ୨୦ ଫୁଟ ଲମ୍ବ ଓ ୨୦ ଫୁଟ ଓସାରର ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ତେବେ ନିର୍ଦ୍ଦିଷ୍ଟଭାବେ କେତେ ଗଭୀରକୁ ଗର୍ତ୍ତଯାଇଛି ତାହା ଜଣାପଡୁନାହିଁ। ଏହି ଘଟଣା ସମଗ୍ର ଅ˚ଚଳକୁ ବ୍ୟାପିଯିବା ପରେ ଘଟଣା ସ୍ଥଳକୁ ଶହଶହ ଦେଖଣାହାରୀଙ୍କ ସୁଅ ଛୁଟିଥିଲା। ଖବର ପାଇ କଲିୟରୀ ପୁଲିସ ଘଟଣାସ୍ଥଳରେ ପହ˚ଚି ଦବି ଯାଇଥିବା ଅ˚ଚଳକୁ କର୍ଡନ କରିବା ସହ ଅତି ନିକଟକୁ କାହାରିକୁ ଛାଡ଼ିନଥିଲେ।

ଏ ପଟେ କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ହାଣ୍ଡିଧୂଆଁ-ଡେରା ରାସ୍ତାରେ ଧାରଣା ଦେଇଥିଲେ। ଏମ୍‌ସିଏଲ୍‌ ଓ ପୁଲିସ ପକ୍ଷରୁ ବୁଝାସୁଝା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ। ତାଳଚେର ଗସ୍ତରେ ଥିବା ଏମସିଏଲ ସିଏମଡି ବି .ଏନ୍‌ ଶୁକ୍ଳା ବରିଷ୍ଠ ଖଣି ଅଧିକାରୀଙ୍କ ସହ ମାଟି ଦବିଥିବା ସ୍ଥାନ ପରିଦର୍ଶନ କରିଥିଲେ। ରିପୋର୍ଟ ଲେଖାବେଳକୁ ଡେରା ଅତିଥି ଭବନରେ କ୍ଷତିପୂରଣ ପାଇଁ ଏମସିଏଲ ଅଧିକାରୀ, ଗ୍ରାମବାସୀ ପ୍ରତିନିଧି, ପୁଲିସ ପ୍ରଶାସନ ମଧ୍ୟରେ ବୈଠକ ଚାଲୁ ରହିଛି। ମାଟି ଧସିଥିବା ସ୍ଥାନ ଠାରୁ ଅଧ କିଲୋମିଟର ଦୂରରେ ଉଭୟ ହାଣ୍ତିଧୂଆଁ ଓ ଡେରା ଭୂଗର୍ଭ କୋଇଲା ଖଣିର ଅବସ୍ଥିତି କାରଣରୁ ମାଟି ଧସିଛି ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ମାଟି ଧସିବାର ନିର୍ଦ୍ଦିଷ୍ଟ କାରଣ ସ˚ପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ସୂଚନାଯୋଗ୍ୟ ଯେ ଗତ ୨୦୧୮ ଡିସେମ୍ବର ୪ ତାରିଖରେ ତାଳଚେର ଟାଉନ ଥାନା ସମ୍ମୁଖରେ ଏକ ଘରର ଅଗଣା ମାଟି ଭିତରକୁ ଦବିଯାଇଥିଲା। ୧୯୮୧ ମସିହାରେ ହାଟତୋଟା ରେଳ ଲାଇନ ପାଖରେ ପ୍ରାୟ ଅଧ ଏକରର ଜମି ୩୦ ଫୁଟ୍‌ ଗଭୀରକୁ ଖସି ପଡିଥିଲା। ଅତୀତରେ ହାଟତୋଟା ପାଖ ନବ ମିଶ୍ର କଲୋନିକୁ ଲାଗି ରହିଥିବା ଜମି, ନୂଆ ବସ୍‌ଣ୍ଟାଣ୍ତ ପାଖ, ଶିରିଡି ସାଇ ମନ୍ଦିର ସାମନା, ଦେଉଳବେଡା ତେଲି ସାହି ଚାଷଜମି ମାଟି ଭିତରକୁ ଦବି ଯାଇଥିଲା। ବାରମ୍ବାର ମାଟି ଭୂଗର୍ଭକୁ ଧସୁଥିବାରୁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ବାଲି ଭର୍ତ୍ତି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର