ସିରାଜୁଦ୍ଦିନ ଖଣି ପରିବହନ ବିବାଦ: ପ୍ରଶାସନର ଦ୍ବାରସ୍ଥ ହେଲେ ୩ ପଞ୍ଚାୟତବାସୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଳଦାସ୍ଥିତ ସିରାଜୁଦ୍ଦିନ ଖଣିରେ ପରିବହନ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ଏହାର ସମାଧାନ ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନ ଯୋଗୁଁ କ୍ଷତିଗ୍ରସ୍ତ ୩ଟି ପଞ୍ଚାୟତ ବଡକାଳିମାଟି, ନୟାଗଡ ଓ ପଳସାର ଲୋକମାନେ ଆଜି ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆନ୍ଦୋଳନ ଯୋଗୁଁ ସେମାନଙ୍କ ଜୀବନ ଜୀବିକା ପ୍ରତି ଗୁରୁତର ସମସ୍ୟା ଦେଖାଦେଇଛି। ତେଣୁ ଖଣିର ମୁଖ୍ୟ ଫାଟକ ନିକଟରୁ ଧାରଣା ତୁରନ୍ତ ହଟାଇବା ଲାଗି ସେମାନେ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଏହି ଖଣିର ପରିବହନ କାର୍ଯ୍ୟ ବଳଦା, ବଡକାଳିମାଟି, ନୟାଗଡ ଓ ପଳସା ପଞ୍ଚାୟତବାସୀଙ୍କ ମିଳିତ ସହଯୋଗରେ ଦୀର୍ଘଦିନ ହେଲା ହୋଇଆସୁଥିଲା। ତେବେ ବଳଦା ପଞ୍ଚାୟତବାସୀ ଏହି ଖଣିର ସମସ୍ତ ପରିବହନ କାର୍ଯ୍ୟ କରିବା ଦାବିରେ ସିରାଜୁଦ୍ଦିନ ଖଣି ସମ୍ମୁଖରେ ଧାରଣାରେ ବସିଛନ୍ତି । ଖଣିର ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇ ସ୍ଥାନୀୟ ଲୋକେ ଜୀବନଜୀବିକା ନିର୍ବାହ କରନ୍ତି । କମ୍ପାନି ଉପରୋକ୍ତ ୪ଟି ପଞ୍ଚାୟତକୁ ସମାନ ଆକାରରେ ପରିବହନ କାର୍ଯ୍ୟ ଦେବାକୁ ଆଗ୍ରହୀ ଥିଲେ ହେଁ ବଳଦା ପଞ୍ଚାୟତର କେତେକ ଲୋକ ଏହାକୁ ନମାନି କେବଳ ବଳଦା ପଞ୍ଚାୟତବାସୀ ସଂପୂର୍ଣ୍ଣ ପରିବହନ କାର୍ଯ୍ୟ କରିବେ ବୋଲି ଜିଦ୍ ଧରି ଆନ୍ଦୋଳନ ଚଳାଇଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଯୋଡା ବ୍ଲକ ଅଧ୍ୟକ୍ଷା ସୁକୁମାରୀ ଦେହୁରୀ, ୧୬ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ମନ୍ମଥ ମୁଣ୍ଡା, ବଡକାଳିମାଟି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ହରେକୃଷ୍ଣ ପୂର୍ତ୍ତି, ସମାଜସେବୀ ବାସୁଦେବ ନାଏକ ପ୍ରମୁଖଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର