କେନ୍ଦୁଝର: ପରିବେଶ କ୍ଷତି ଭରଣା କରିବ ସିରାଜୁଦ୍ଦିନ କମ୍ପାନି। ଓପିଡିଆର୍‌ (ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ୍‌ ରି‌କଭରି) ଆଇନ ଅନୁସାରେ କମ୍ପାନିଠାରୁ ୬ କୋଟି ୧୮ ହଜାର ଟଙ୍କା ଆଦାୟ କରାଯିବ। ରାଜ୍ୟ ପ୍ରଦୂଷଣ ବୋର୍ଡ ଆଜି ଏ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ ସତ୍ୟପାଠ ଦାଖଲ କରିଛି। କେନ୍ଦୁଝର ବଲଦା ଲୁହାପଥର ଖଣି ଖନନ ପାଇଁ ବ୍ୟାପକ ପରିବେଶଜନିତ କ୍ଷତି ହେଉଥିବା ନେଇ ରାମଚନ୍ଦ୍ର ମହାନ୍ତ ଏନ୍‌ଜିଟିରେ ଅଭିଯୋଗ କରିବା ପରେ ୨୦୨୨ ମସିହା ଏପ୍ରିଲ ୨୧ ତାରିଖରେ ଏକ କମିଟି ଗଠନ କରି ଖଣି ଖନନ ପାଇଁ କେତେ ପରିମାଣର ପରିବେଶ କ୍ଷତି ହୋଇଛି, ତା’ର ଆକଳନ କରିବାକୁ ନିର୍ଦେଶ ଦେଇଥିଲେ ଏନ୍‌ଜିଟି। କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି. ଧନରାଜ, ତତ୍କାଳୀନ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲାପାଳଙ୍କ ପ୍ରତିନିଧି, ବୈଜ୍ଞାନିକ ଆଶିଷ କୁମାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କୁମାର କରଙ୍କୁ ନେଇ ଗଠିତ ଏହି କମିଟି ୨୦୨୨ ଜୁଲାଇ ୧୧ ତାରିଖରେ କ୍ଷେତ୍ର ପରିଦର୍ଶନ କରି ପରିବେଶ କ୍ଷତି ଆକଳନ କରିଥିଲେ।

Advertisment

ଖଣି ଖନନ ପାଇଁ ପାହାଡ଼ି ନାଳ ଅବରୋଧ ସାଙ୍ଗକୁ ଭୂତଳ ଜଳ ପ୍ରଦୂଷଣ, ଲୁହାପଥର ଗଦା ପରିଚାଳନାରେ ବିଭ୍ରାଟ, ବେତଝରି ଓ ଜଲପା ନାଳକଡ଼ରେ ବୃକ୍ଷରୋପଣ ଆଦି ହୋଇ ନ ଥିବା କମିଟି ଜାଣିବାକୁ ପାଇଥିଲେ। ଏଥିରେ ପ୍ରାୟ ୬ କୋଟି ୧୮ ହଜାର ଟଙ୍କାର ପରିବେଶଜନିତ କ୍ଷତି ହୋଇଥିବାର ଆକଳନ କରିଥିଲା କମିଟି। ଏହା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୪ ମେ ୯ ତାରିଖରେ ଚିଠି ଲେଖି ସିରାଜୁଦ୍ଦିନ କଂପାନିକୁ ୬ କୋଟି ୧୮ ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏହି ଅର୍ଥ ଦାଖଲ କରାନଯିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଓପିଡିଆର ଆଇନ ଅନୁସାରେ ଅର୍ଥ ଆଦାୟ କରିବାକୁ କୁହାଯାଇଥିଲା। ଏହା ସତ୍ତ୍ବେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ଏନ୍‌ଜିଟିର ଦ୍ବାରସ୍ଥ ହୋଇଥିଲେ। ଏନ୍‌ଜିଟିରେ ଆଜି ଏହାର ଶୁଣାଣି ହୋଇଥିବା ବେଳେ ଜିଲ୍ଲାପାଳଙ୍କୁ ଓପିଡିଆର୍‌ ଆଇନ ଅନୁସାରେ ପରିବେଶ କ୍ଷତି ବାବଦ ଅର୍ଥରାଶି ଆଦାୟ କରିବାକୁ କୁହାଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପାଣି ମାମଲା ପରିଚାଳନା କରିଥିଲେ। ଏ ସଂପର୍କରେ ସିରାଜୁଦ୍ଦିନ୍‌ ଆଣ୍ଡ କୋ’ର ବରିଷ୍ଠ ଅଧିକାରୀ ସୁବାସ ମହାନ୍ତିଙ୍କୁ ପଚାରିବାରୁ ଏହି ମାମଲା ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଥିବା କହିଛନ୍ତି।