ଭୁବନେଶ୍ୱର: ମାଓ ପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ଅନୁଗୁଳ ଓ ବୌଦ୍ଧକୁ କେନ୍ଦ୍ର ସରକାର ସାମିଲ କରିଛନ୍ତି। ଏହି ଦୁଇ ଜିଲ୍ଲାରେ ମାଓ ଗତିବିଧିକୁ ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ମାଓବାଦୀ ସୀମାନ୍ତବର୍ତ୍ତୀ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରବେଶ କରୁଥିବା ବେଳେ ସେଠାରୁ ଅନୁଗୁଳ ଓ ବୌଦ୍ଧ ଯାଇ ନୂଆ ମାଓ କରିଡର୍ ସୃଷ୍ଟି କରୁଥିବା ମାଓ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ମାଓବାଦୀମାନଙ୍କର ଗତିବିଧିକୁ ନିୟନ୍ତ୍ରଣ ଲାଗି ଏହି ଦୁଇ ଜିଲ୍ଲାକୁ ମାଓ ପ୍ରବଣ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍ଆର୍ଇ)ରୁ ଏହି ଦୁଇ ଜିଲ୍ଲା ମାଓ ନିୟନ୍ତ୍ରଣ ଲାଗି ଅର୍ଥ ପାଇବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିକଟରେ ଏସ୍ଆର୍ଇ ଜିଲ୍ଲା ସଂକ୍ରାନ୍ତରେ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ଏହି ତାଲିକାରେ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶରେ ଥିବା ମୋଟ୍ ୧୨୬ଟି ଜିଲ୍ଲା ଏବେ ୯୦କୁ ହ୍ରାସ ପାଇଛି। ଏସ୍ଆର୍ଇ ଯୋଜନା ସଂକ୍ରାନ୍ତରେ ହୋଇଥିବା ଏହି ସମୀକ୍ଷାରୁ କେନ୍ଦ୍ର ସରକାର ଜାଣିବାକୁ ପାଇଛନ୍ତି ଯେ ୩୬ଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି। ତେଣୁ ଏହିସବୁ ଜିଲ୍ଲାଗୁଡ଼ିକୁ ଏସ୍ଆର୍ଇ ତାଲିକାରୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ ୮ଟି ନୂଆ ଜିଲ୍ଲା ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ୨ଟି ଓ କେରଳର ୩ଟି ଜିଲ୍ଲା ରହିଛି। ପୂର୍ବରୁ ଓଡ଼ିଶାର ୧୯ଟି ଜିଲ୍ଲା ମାଓ ପ୍ରବଣ ଜିଲ୍ଲା ତାଲିକାରେ ଥିବା ବେଳେ ବର୍ତ୍ତମାନ ତାହା ୧୫କୁ ହ୍ରାସ ପାଇଛି। ଅନୁରୂପ ଭାବେ ରାଜ୍ୟରେ ୬ଟି ଜିଲ୍ଲା ଯଥା ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଓ ଗଜପତିରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇବାରୁ ସେହି ସବୁ ଜିଲ୍ଲାକୁ ଏସ୍ଆର୍ଇ ତାଲିକାରୁ ବାଦ୍ ଦିଆଯାଇଛି। କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରବଣ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ ଲାଗି ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ବିଚାରକୁ ନେଇନାହାନ୍ତି। ଏହି ଜିଲ୍ଲାରେ ଏବେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ହିଂସାକାଣ୍ଡ ବୃଦ୍ଧି ପାଇଛି। ତେଣୁ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଏସ୍ଆର୍ଇ ତାଲିକାରେ ରଖିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଦେଶର ୩୦ଟି ଅତି ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ରହିଛି। ପୂର୍ବରୁ ଦେଶରେ ୩୫ଟି ଜିଲ୍ଲା ଅତି ମାଓପ୍ରବଣ ତାଲିକାରେ ଥିବା ବେଳେ ଏବେ ତାହା ୩୦କୁ ହ୍ରାସ ପାଇଛି। ମାଓ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀମାନେ କହିୁଛନ୍ତି ଯେ ମାଓ ହିଂସାକାଣ୍ଡ ନିୟନ୍ତ୍ରଣ ଲାଗି ଉପଲବ୍ଧ ଥିବା ପାଣ୍ଠି ବିନିଯୋଗ କରାଯାଉ। ମାଓ ନିୟନ୍ତ୍ରଣ କାର୍ଯ୍ୟ ରାଜ୍ୟ ପ୍ରଶାସନ ଓ ପୁଲିସ ଅଧିକାରୀମାନଙ୍କ ହୋଇଥିବାରୁ ଏହିସବୁ ଜିଲ୍ଲାରେ ଖାଲି ପଡ଼ିଥିବା ପୁଲିସ ପଦବି ପୂରଣ ଉପରେ ଗୁରୁତ୍ୱ ଦିଆଯାଉଛି। କନେଷ୍ଟବଳ ଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ୍ ୧୦,୩୦୦ ପଦବି ଥିବାବେଳେ ଏଥି ମଧ୍ୟରୁ ଅତିବେଶୀରେ ୧୨୭୦ଟି ଖାଲି ପଡ଼ିଛି। ଖୁବ୍ ଶୀଘ୍ର ଏହି ପଦବିଗୁଡ଼ିକ ପୂରଣ କରାଯିବ ବୋଲି ସୂଚନା ମିଳିଛି।
ଏସ୍ଆରଇ ତାଲିକାରେ ଅନୁଗୁଳ, ବୌଦ୍ଧ ସାମିଲ
/sambad/media/post_attachments/wp-content/uploads/2018/07/download-64.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)