ସିସୋର ମାମଲା: ପୁଣି ଥରେ ଫଣା ଟେକିଲା ସିବିଆଇ

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାକୁ ନେଇ ପାୱାର କରିଡ଼ରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସିସୋର ମାମଲାକୁ ନେଇ ପୁଣି ଥରେ ପୁରଣା ପେଡ଼ି ଖୋଲିଛି ସିବିଆଇ। ଗତ ଦୁଇ ଦିନ ହେବ ସିବିଆଇର ୩ଟି ଟିମ୍ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଯାଇ କାଗଜପତ୍ର ଖନ୍ଦାଳିଛନ୍ତି। ଏପରିକି କେତେକ କାଗଜପତ୍ର ତୁରନ୍ତ ସିବିଆଇ କାର୍ଯ୍ୟାଳୟରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି।

ଯାହା ସୂଚନା ମିଳିଛି ସି‌ସୋର ମାମଲାରେ ସିବିଆଇ ତାର ମାମଲା ଖୋଲା ରଖିଛି। ସି ସୋର ମାମଲାରେ ସିବିଆଇ ତାର ତଦନ୍ତ ଯେଉଁଠୁ ଶେଷ କରିଥିଲା, ପୁଣି ଥରେ ସେହିଠାରୁ ହିଁ ଆରମ୍ଭ କରିଛି। ବିଶେଷକରି ପର୍ଯ୍ୟଟନ ବିଭାଗରେ ସିସୋର ସହିତ ହୋଇଥିବା ଘୋଟାଲା ଉପରେ ସିବିଆଇର ତଦନ୍ତ ଶେଷ ହେଉନାହିଁ।

ଯାହା ସୂଚନା ମିଳିଛି ସିସୋର ସହିତ ପର୍ଯ୍ୟଟନ ବିଭାଗର ଦୁଇଟି ଚୁକ୍ତିନାମା ହୋଇଥିଲା। ଯେଉଁଥିରେ କଟକ ନୌବିହାର ଏବଂ ଖୋର୍ଧା ଅଟ୍ରି ନିକଟରେ ଥିବା ସରକାରୀ ଗେଷ୍ଟ ହାଉସର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ତେବେ ଚୁକ୍ତି ନାମା ପୂର୍ବରୁ ସିସୋର କମ୍ପାନିକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅହେତୁକ ଅନୁକମ୍ପା ଦେଖାଇ ରାଜିନାମା କରି ନେଇଥିଲେ। ସିସୋରକୁ କେଉଁ ପରିସ୍ଥିତିରେ ପ୍ରୋଜେକ୍ଟ ଦିଆଯାଇଥିଲା? କମ୍ପାନିର ଅଭିଜ୍ଞତା ନେଇ ପର୍ଯ୍ୟଟନ ବିଭାଗ ଯାଞ୍ଚ କରି ଥିଲା ନା ନାହିଁ ? ସେଥିରେ କ’ଣ ପାଇଁ ଟେଣ୍ଡର ହୋଇ ନ ଥିଲା? ଏ ନେଇ ଏବେ ପୁଣି ଥରେ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।

ତେବେ ପ୍ରଥମ ଦଫାରେ ସିସୋର ଆରମ୍ଭ ତଦନ୍ତ ହେବା ପରେ ୩ ଜଣ ବିଧାୟକ ସମେତ ବିଜେଡିର କେତେ ଜଣ ନେତାଙ୍କ ସମ୍ପର୍କରେ ମଧ୍ୟ ସିବିଆଇ ଖୋଳତାଡ଼ କରିଥିଲା। ଗିରଫ ମଧ୍ୟ ହୋଇଥିଲେ କେତେକ ନେତା। ଯଦି ଏବେ ପୁଣି ଥରେ ସିବିଆଇ ତାର ତଦନ୍ତ ଆରମ୍ଭ କରେ ଅତି କମରେ ୬ ଜଣ ବିଧାୟକଙ୍କ ନାଁ ପୁଣି ଥରେ ଚର୍ଚାକୁ ଆସୁଛି। ସିବିଆଇ ପୁଣି ଥରେ ସିସୋର ମାମଲାର ଖୋଳତାଡ଼ ଆରମ୍ଭ କରିବା ପରେ ଏବେ ସେହି ସବୁ ବିଧାୟକମାନଙ୍କ ଛାତିରେ ଛନକା ପଶି ଗଲାଣି। କାରଣ ଯେ କୌଣସି ସମୟରେ ସିବିଆଇ ଏହି ସବୁ ନେତାମାନଙ୍କୁ ସମନ୍ କରି ପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର