ପୋଖରୀରେ ବୁଡ଼ିଯାଉଥିବା ସାନ ଭାଇକୁ ବଂଚାଇ ପାଣିରେ ବୁଡ଼ିଗଲା ବଡ଼ଭଉଣୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ବିନିତରା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। ସାନ ଭାଇକୁ ପାଣିରୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଯାଇଛି, ଯାହାକୁ ନେଇ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୧ଟାରେ ବିନିତରା ଗାଁର ଅଭିରାମ ବିଶ୍ୱାଳଙ୍କ ସାନ ପୁଅ ସମ୍ବିତ ଓ ଝିଅ ଚିନ୍ମୟୀ (୧୪) ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିଲେ। ସମ୍ବିତର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଉଥିବା ବେଳେ ତୁରନ୍ତ ଚିନ୍ମୟୀ ତାକୁ ପାଣିରୁ ଟାଣି ଆଣିଥିବା ବେଳେ ଗୋଡ଼ ଖସିଯିବାରୁ ନିଜେ ବୁଡ଼ି ଯାଇଥିଲା।

ଭଉଣୀ ବୁଡ଼ିଯାଉଥିବା ନେଇ ପରିବାର ଲୋକଙ୍କୁ ଡ଼ାକ ପକାଇଥିଲା ସମ୍ବିତ ଓ ପରେ ନିଜେ ଅଚେତ ହୋଇପଡ଼ିଥିଲା। ପରିବାର ଲୋକ ଓ ଗ୍ରାମବାସୀ ପାଟିଶୁଣି ସଂଗେ ସଂଗେ ଘଟଣାସ୍ଥଳରେ ପହଁଚି ସମ୍ବିତକୁ ଉଦ୍ଧାର କରିଥିବା ବେଳେ ଚିନ୍ମୟୀକୁ ପାଣିରୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ସମ୍ବିତ ଗୁରୁତର ଥିବାରୁ ଡ଼ାକ୍ତର ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେଫର କରି ଥିବା ବେଳେ ଚିନ୍ମୟୀକୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଚାନ୍ଦବାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁକୁ କରିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛି।

ବିନିତରା ଗାଁର ଅଭିମନ୍ୟୁ ବିଶ୍ୱାଳ ଜଣେ ଗରିବ ଚାଷୀ ହୋଇଥିବା ବେଳେ ୩ଝିଅ ଓ ଦୁଇ ପୁଅଙ୍କ ପାଠ ପଢ଼ାଇ ମଣିଷ କରିବା ପାଇଁ ବହୁ କଷ୍ଟ କରୁଥିଲେ। ଚିନ୍ମୟୀ ଓ ସମ୍ବିତ ପରିବାରର ସାନ ହୋଇଥିବାରୁ ଦୁଇ ଭାଇଭଉଣୀ ସବୁବେଳେ ପାଠ ପଢ଼ାରେ ଆଗୁଆ ରହିଥାନ୍ତି। ଦୁଇ ଭାଇ ଭଉଣୀ ସବୁବେଳେ ଏକାଠି ଖାଉଥିଲେ ଏକାଠି ପଢୁଥିଲେ । ବାପାଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ସବୁବେଳେ ଚେଷ୍ଠିତ ଥିଲେ। ସମ୍ବିତ ଦାଖା ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ଚିନ୍ମୟ ସରକାରୀ ବାଳିକା ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲା। ଗରିବା ଚାଷୀ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଗ୍ରାମବାସୀମାନେ ସମ୍ବିତର ଆରେଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର