ଧୋକାବାଜ ଭିଣୋଇ: ଭିଣୋଇର ମିଛ ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ଶାଳୀ!

ବାଲେଶ୍ୱର: ମିଛ ପ୍ରେମରେ ସମ୍ପର୍କୀୟ ଶାଳୀକୁ ଫସେଇଲେ ଭିଣୋଇ | କେବଳ ପ୍ରେମରେ ଫସେଇଲେ ନାହିଁ, ବରଂ ଶାରୀରିକ ସମ୍ପର୍କ ରଖିବା ପରେ ବିବାହର ପ୍ରତିଶୃତି ମଧ୍ୟ ଦେଲେ | କିନ୍ତୁ ଶେଷରେ ଶାଳୀକୁ ଭୁଆଁ ବୁଲାଇ ଅନ୍ୟ ଜାଗାରେ ବିବାହ ମଧ୍ୟ କଲେ | ଏ ବାବଦରେ ଜାଣିବା ପରେ ଶାଳୀ ଥାନାରେ ଅଭିଯୋଗ କଲେ, ତେବେ ପୁଲିସ ନିରବ ରହିବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ | ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରୁ ଏଭଳି ଏକ ପ୍ରେମ-ସମ୍ପର୍କ-ଧୋକାର କାହାଣୀ ଆସିଛି |

ମିଳିଥିବା ଅଭିଯୋଗ ମୁତାବକ ଏହି ଅଂଚଳର ସୁପ୍ରିୟା(ଛଦ୍ମନାମ)ଙ୍କୁ ତାଙ୍କ ଅଞ୍ଚଳର ରାମଚନ୍ଦ୍ର ନାମକ ସମ୍ପର୍କୀୟ ଭିଣୋଇ ନିଜ ପ୍ରେମ ଜାଲରେ ଫସାଇଥିଲେ | ଯୁବତୀଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ବିବାହ ହୋଇପାରୁନଥିଲା | ଆଉ ରାମଚନ୍ଦ୍ର ତାଙ୍କୁ ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିଥିଲେ | ବାରମ୍ବାର ସମ୍ପର୍କ ରଖିବା ପରେ ବି ବିବାହ ନ କରି ଅନ୍ୟ ସ୍ଥାନରେ ବିବାହ କରିଥିଲେ | ଏହା ଜାଣିବା ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ |

ଥାନା ଅଧିକାରୀ ଉଭୟ ପକ୍ଷକୁ ଡ଼କାଇଥିବା ବେଳେ ପୁଅ ପକ୍ଷ ଆସିନଥିଲେ | ଫଳରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ହୋଇ ବସିରହିଥିଲା | ତେବେ ଅଭିଯୁକ୍ତ ଭିଣୋଇ ଯୁବତୀଙ୍କ ପରିବାରବର୍ଗଙ୍କୁ ବାରମ୍ବାର ଟଙ୍କା ମାଗୁଥିବାରୁ ଯୁବତୀ ଜଣକ ଶେଷରେ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଝିଅର ପରିବାର ସଦସ୍ୟ ନ୍ୟାୟ ପାଇଁ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର