ଦେଡ଼ଶୁରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୂ ମୃତ, ଅଭିଯୁକ୍ତ ଗିରଫ

ନୂଆପଡା: ନୂଆପଡା ଜିଲ୍ଲାର ବେଲଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମରେ ଜମି ବିବାଦକୁ ନେଇ ଦେଡ଼ଶୁରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୂଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି।  ପୁଲିସ ଅଭିଯୁକ୍ତ ଦେଡ଼ଶୁର ପ୍ରତାପ ସିଂ ରଣାଙ୍କୁ ଗିରଫ କରିଥିବା  ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ବେଲଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମର ଜଗତିନୀ ବାଈ ରଣା (୬୦) ଜମିରେ କାମ କରୁଥିବା ବେଳେ ଦେଡ଼ଶୁର ପ୍ରତାପ ସିଂ ରଣା ଏକ ଟାଙ୍ଗିଆରେ ତାଙ୍କୁ ଚୋଟ ପକାଇଥିଲେ। ଏହଫଳରେ ଘଟଣାସ୍ଥଳରେ ହିଁ ଭାଇବୋହୂ ଜଗତିନୀ ବାଈଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ ବେଲଟୁକୁରି ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ପ୍ରତାପ ସିଂ ରଣାଙ୍କୁ ଗିରଫ କରିଥିଲେ ।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଉଭୟ ପରିବାର ଭିତରେ ଜମିଜମା ବିବାଦ ଥିଲା, ଯାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଜଗତିନୀ ବାଈ ରଣାଙ୍କର ମୃତ ଦେହ ହସ୍ତାନ୍ତର କରାଯାଇଛି ବୋଲି ବେଲଟୁକୁରି ଥାନା ଅଧିକାରୀ ଶୁଭଙ୍କର ସେଠୀ କହିଛନ୍ତି। ଆଜି ଅଭିଯୁକ୍ତ ପ୍ରତାପ ସିଂ ରଣାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର