ଜଗନ୍ନାଥପ୍ରସାଦ: ସମ୍ପତ୍ତି ବିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଚଢ଼ିଆପଲ୍ଲୀ ଗ୍ରାମରେ ଆଜି ସକାଳେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବିଚ୍ରାସ୍ତାରେ ନିଜ ଶାଳୀକୁ କାତିରେ ହାଣି ଭିଣୋଇ ହତ୍ୟା କରିଛି। ମୃତକ ହେଉଛନ୍ତି, ବିଜୟଲକ୍ଷ୍ମୀ ତ୍ରିପାଠୀ (୪୦)। ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଭିଣୋଇ ରାମଚନ୍ଦ୍ର ତ୍ରିପାଠୀ (୫୦) ଆତ୍ମସମର୍ପଣ କରିବା ପରେ ପୁଲିସ ପଚରାଉଚରା କରୁଛି।
ଚଢ଼ିଆପଲ୍ଲୀ ଗ୍ରାମ ବଉଳସାହି ବାସିନ୍ଦା ସ୍ୱର୍ଗତ ଗଦାଧର ତ୍ରିପାଠୀଙ୍କ ତୃତୀୟ ଝିଅ ବିନୋଦିନୀଙ୍କୁ ରାମଚନ୍ଦ୍ର ୧୯୯୬ ମସିହାରେ ବିବାହ କରିଥିଲେ। ଗଦାଧରଙ୍କ ଚାରିଝିଅ ଥିବା ବେଳେ କେହି ପୁଅ ନଥିବାରୁ ସେ ରାମଚନ୍ଦ୍ରଙ୍କୁ ଘରଜ୍ବାଇଁ ଭାବେ ରଖିଥିଲେ। ରାମଚନ୍ଦ୍ର ଜଣେ ଅଟୋଚାଳକ। ଏହା ମଧ୍ୟରେ ସାନଝିଅ ବିଜୟଲକ୍ଷ୍ମୀଙ୍କ ସମେତ ଅନ୍ୟ ଝିଅମାନଙ୍କ ବାହାଘର ସରିଥିଲା। ସ୍ବାମୀଙ୍କ ସହ କୌଣସି କାରଣକୁ ନେଇ ମନୋମାଳିନ୍ୟ ଯୋଗୁଁ ବିଜୟଲକ୍ଷ୍ମୀ ବାପଘରେ ରହିବା ସହ ଆଶାଦିଦି ଭାବେ କାର୍ଯ୍ୟ କରୁଥିଲେ। ତେବେ ସ୍ବର୍ଗତ ଗଦାଧରଙ୍କ ନାମରେ ଥିବା ଘରଡିହ ସମ୍ପତ୍ତି ଭାଗବଣ୍ଟାକୁ ନେଇ ରାମଚନ୍ଦ୍ର ଓ ଶାଳୀ ବିଜୟଲକ୍ଷ୍ମୀଙ୍କ ମଧ୍ୟରେ ତିନିବର୍ଷ ହେଲା ବିବାଦ ଲାଗି ରହିଥିଲା। ଶ୍ବଶୁରଙ୍କ ଉଇଲ୍ନାମା ଅନୁସାରେ ରାମଚନ୍ଦ୍ର ତାଙ୍କ ସମ୍ପତ୍ତିକୁ ନିଜର ବୋଲି ଦାବି କରିଆସୁଥିବା ବେଳେ ବିଜୟଲକ୍ଷ୍ମୀ ଏଥିରେ ରାଜି ହେଉ ନଥିଲେ। ଏପରିକି ମାମଲା ଥାନା ଓ କୋର୍ଟରେ ବି ପହଞ୍ଚିଥିଲା। ଆଜି ସକାଳ ସାଢ଼େ ୮ଟାରେ ଗାଁ ପାଖରେ ଥିବା ଖଳା ରାସ୍ତାପାର୍ଶ୍ବରେ ରାମଚନ୍ଦ୍ର ବାଉଁଶ ହାଣୁଥିବା ବେଳେ ବିଜୟଲକ୍ଷ୍ମୀ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ରାମଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ବାଉଁଶ ହାଣୁଥିବା କାତିରେ ବିଜୟଲକ୍ଷ୍ମୀଙ୍କ ବେକ ଓ ମୁଣ୍ଡକୁ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ବେଳେ ମୃତକଙ୍କ ଝିଆରୀ ଶାନ୍ତିଲତା ପଟ୍ଟନାୟକଙ୍କ ଅଭିଯୋଗ ପରେ ଜଗନ୍ନାଥପ୍ରସାଦ ଥାନା ଏସ୍ଆଇ ଜ୍ୟୋତି ରଞ୍ଜନ ସାହୁ ସଦଳବଳେ ପହଞ୍ଚିଥିଲେ। ରାମଚନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ରାମଚନ୍ଦ୍ରଙ୍କୁ ଘଟଣାସ୍ଥଳକୁ ନେଇଥିବା ବେଳେ କାତିଟିକୁ ଜବତ କରାଯାଇଥିଲା। ଏନେଇ କେସ୍ ନମ୍ବର ୨୬୪/୨୫ରେ ଏକ ହତ୍ୟା ମାମଲା ରୁଜୁ ସହ ରାମଚନ୍ଦ୍ରଙ୍କୁ ଅଟକ ରଖାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।