ବ୍ରହ୍ମପୁର: ପବିତ୍ର ରାଖି ପୂର୍ଣ୍ଣମୀରେ ଭାଇ ହାତରେ ରାଖି ବାନ୍ଧି ଭଉଣୀ ମଙ୍ଗଳ ମନାସିଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବାକୁ ଶପଥ କରିଥାଏ। ଆଜି ଏଭଳି ଏକ ପବିତ୍ର ଦିବସରେ ଭଉଣୀଙ୍କୁ ହତ୍ୟା କରିଛି ସଂପର୍କୀୟ ଭାଇ। ଏହି ଘଟଣା ବ୍ରହ୍ମପୁର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାର ସପ୍ତମ ଲାଇନ୍‌ରେ ଜଣେ ସମ୍ପର୍କୀୟ ଭାଇର ଆକ୍ରମଣରେ ୧୩ବର୍ଷର ନାବାଳିକା ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ହତ୍ୟାକାରୀ ଭାଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ହତ୍ୟାକାରୀ ଭାଇର ଆକ୍ରମଣରେ ଗୁରୁତର ଥିବା ଭାଇକୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥବିହାର ସପ୍ତମ ଲାଇନ୍‌ ବାସିନ୍ଦା ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ଘରେ ଆଜି ବାପାଙ୍କ ଶ୍ରାଦ୍ଧ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା। ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ୪ଭାଇ ଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥିଲେ। ଦୁର୍ଗାଙ୍କ ତିନି ମହଲା ଘରର ତଳ ମହଲାରେ ଶ୍ରାଦ୍ଧ ଚାଲିଥିବା ବେଳେ ଉପର ମହଲାରେ ପ୍ରଯୁକ୍ତା (୧୩)ଙ୍କ ସମେତ ତାଙ୍କର ଅନ୍ୟ ଜଣେ ଭାଇ ଓ ପିଲାମାନେ ଖେଳୁଥିଲେ। ଏହି ସମୟରେ ମୃତକ ପ୍ରଯୁକ୍ତାଙ୍କ ସଂପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ (୨୪) ଉପର ମହଲାକୁ ଯାଇ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିବା ସହ ଅନ୍ୟ ଜଣେ ଭାଇଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ପ୍ରଯୁକ୍ତାକୁ ମୃତ ଘୋଷଣା କରିଥିଲେ। ଗୁରୁତର ନାବାଳକ ଭାଇକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ହତ୍ୟାକାରୀ ଭାଇ ଆଶୁତୋଷ ଘଟଣାସ୍ଥଳରୁ ଚମ୍ପଟ ମାରି ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।