ଭୁବନେଶ୍ୱର : ଓଡ଼ିଶା ଡାକ୍ତରୀ ଇତିହାସରେ ଦ୍ବିତୀୟ ଥର ଲାଗି ସଫଳତାର ସହ ଯକୃତ ପ୍ରତିରୋପଣ ସମ୍ଭବ ହୋଇପାରିଛି। ଆଇଏମ୍ଏସ୍ ସମ୍ ହସ୍ପିଟାଲ ଓ ହାଇଦ୍ରାବାଦସ୍ଥିତ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ସହାୟତାରେ ଗତକାଲି ଲିଭିଂ(ଜୀବନ୍ତ) ଡୋନର ଯକୃତ ପ୍ରତିରୋପଣ ସଫଳତାର ସହ କରାଯାଇଛି। ସମ୍ବଲପୁର ଅଞ୍ଚଳର ଉମେଶ କୁମାର ରାଉତ(୪୯)ଙ୍କୁ ତାଙ୍କ ଭଉଣୀ ଅନିତା କୁମାରୀ(୪୧) ନିଜ ଯକୃତର କିଛି ଅଂଶ ପ୍ରଦାନ କରି ଜୀବନ ରକ୍ଷା କରିଛନ୍ତି।
ଅସ୍ତ୍ରୋପଚାର ଭୋର୍ ୪ଟାରୁ ଆରମ୍ଭ ହେବା ସହ ଦୀର୍ଘ ୧୨ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅସ୍ତ୍ରୋପଚାର ପାଇଁ ଗ୍ୟାଷ୍ଟ୍ରୋଏଣ୍ଟରେଲୋଜି ସର୍ଜରି, ହେପାଟୋଲୋଜି, ନିଶ୍ଚେତକ, ହୃଦ୍ରୋଗ, ୟୁରୋଲୋଜି, ନେଫ୍ରୋଲୋଜି, ରେଡିଓଲୋଜି, ଓଟି, ଇନଫେକସନ୍ କଣ୍ଟ୍ରୋଲ, ସେଣ୍ଟ୍ରାଲ ଲ୍ୟାବ୍ ଓ ରକ୍ତ ଭଣ୍ଡାରର ଡାକ୍ତର, ନର୍ସ ଓ ପାରାମେଡିକସ୍ଙ୍କୁ ନେଇ ୪୦ ଜଣିଆ ଏକ ଟିମ୍ ଗଠନ କରାଯାଇଥିଲା। ଅସ୍ତ୍ରୋପଚାର ଗୃହରେ ଯକୃତ ପ୍ରଦାନ କରିଥିବା ଡୋନର୍ଙ୍କ ୬୦ ପ୍ରତିଶତ ଯକୃତ ପ୍ରଥମେ କଢ଼ା ଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସଂପୂର୍ଣ୍ଣ ଭାବେ କଢ଼ା ଯାଇଥିଲା। ନୂଆ ଯକୃତ ସହିତ ଡାକ୍ତରମାନେ ଆର୍ଟେରି, ଭେନ୍ ଓ ବାଇଲ ଡକ୍ଟଗୁଡ଼ିକୁ ରୋପଣ କରିଥିଲେ। ଏକ ନୂଆ ରୋଟମ୍ ପ୍ରକ୍ରିୟା ଜରିଆରେ ଏହି ପ୍ରତିରୋପଣ କରାଯାଇଥିଲା। ଉଭୟ ଡୋନର୍ ଓ ଯକୃତ ଗ୍ରହଣ କରିଥିବା ରୋଗୀ ଅସ୍ତ୍ରୋପଚାର ପରେ ସୁସ୍ଥ ଥିବା ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟରେଲୋଜି ବିଭାଗର ମୁଖ୍ୟ ପ୍ରଫେସର୍ ମନୋଜ କୁମାର ସାହୁ।
ଏହି ଅସ୍ତ୍ରୋପଚାର ପାଇଁ ଏଆଇଜିର ଯକୃତ ପ୍ରତିରୋପଣ ନିର୍ଦେଶକ ପ୍ରଫେସର ପି.ବାଲଚନ୍ଦ୍ରନ୍ ମେନନଙ୍କ ନେତୃତ୍ବରେ ଜି.ଭି ପ୍ରେମକୁମାର, ଡା.ଶକ୍ତି ସ୍ବରୂପ, ଡା. କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ଜଣ ଭୁବନେଶ୍ବରରେ ପହଞ୍ଚିଥିଲେ। ସମ୍ ହସ୍ପିଟାଲ ପକ୍ଷରୁ ପ୍ରତିରୋପଣ ଟିମ୍ରେ ରହିଥିଲେ ଡା. ସତ୍ୟପ୍ରକାଶ ରାୟଚୌଧୁରୀ, ଡା. ସୁମିତ ମହାନ୍ତି, ଡା. ସତ୍ୟସୁନ୍ଦର ମହାପାତ୍ର, ଡା. ସନ୍ତୋଷ ସିଂହ, ଡା. ରାଜୀବ ଲୋଚନ ସାମଲ, ଡା. ଦେବକାନ୍ତ ମିଶ୍ର, ଡା. ରାଜେଶ କୁମାର ଭୋଳ, ଡା. ଗିରିଜା ନନ୍ଦିନୀ କାନୁନ୍ଗୋ ଓ ପ୍ରତିରୋପଣ ସଂଯୋଜକ ସୁଶାନ୍ତ କୁମାର ବିଶ୍ବାଳ ଓ ସରୋଜ ସେନାପତି।
ରାଜ୍ୟରେ ଯକୃତ ଜନିତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନେକ ଯୁବାବସ୍ଥାରେ ପ୍ରତିରୋପଣ ଅଭାବ ଯୋଗୁଁ ପ୍ରାଣ ହରାଉଛନ୍ତି। ସମ୍ ହସ୍ପିଟାଲରେ ଏହା ସହଜ ଓ ସୁଲଭ ମୂଲ୍ୟରେ ପ୍ରତିରୋପଣ ହୋଇପାରୁଛି ବୋଲି ସମ୍ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଯକୃତ ପ୍ରତିରୋପଣ ଆରମ୍ଭ କରିବା ପାଇଁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର୍ ମନୋଜ ରଂଜନ ନାୟକଙ୍କ ସ୍ବପ୍ନ ଥିବା ପ୍ରଫେସର୍ ମନୋଜ ସାହୁ କହିବା ସହିତ ପ୍ରଥମ ସର୍ଜରି ରାଜ୍ୟରେ ଇତିହାସ ରଚିଥିଲା। ଚଳିତବର୍ଷ ୫ ତାରିଖରେ ବାଲେଶ୍ବର ଅଞ୍ଚଳର ଜୟନ୍ତ ବିଶ୍ବାଳଙ୍କ ଶରୀରରେ ପ୍ରଥମଥର ଲାଗି ରାଜ୍ୟରେ ଯକୃତ ପ୍ରତିରୋପଣ ହୋଇଥିଲା। ଏଥିପାଇଁ ତାଙ୍କ ୧୮ ବର୍ଷର ପୁଅ ଯକୃତ ପ୍ରଦାନ କରିଥିଲେ। ଏହି ସଫଳ ପ୍ରତିରୋପଣରେ ସମ୍ ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର୍ ପୁଷ୍ପରାଜ ସାମନ୍ତସିଂହାରଙ୍କ ସହଯୋଗ ରହିଥିଲା।