କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପରିସରରେ ଆଜି ଶିଶୁ ମିତ୍ର ଥାନା ଉଦ୍ଘାଟିତ ହୋଇଯାଇଛି । ଏହାକୁ ଭର୍ଚୁଆଲ ମୋଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତରୁଣକାନ୍ତ ବେହେରା ଉଦ୍ଘାଟନ କରିଛନ୍ତି । ବିଶେଷ କରି ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ମହିଳାମାନଙ୍କର ପିଲାମାନେ ଏଠାରେ ରହି ସମୟ କଟାଇବେ । ସେମାନଙ୍କ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ସାମଗ୍ରୀ ରହିଥିବାବେଳେ ଉକ୍ତ ଶିଶୁ ମିତ୍ର ଥାନାରେ ବିଭିନ୍ନ ଶିକ୍ଷଣୀୟ ଚିତ୍ର କାନ୍ଥରେ ଅଙ୍କିତ ହୋଇଛି ।
ଫଳରେ ଥାନାକୁ ଆସୁଥିବା ମହିଳାମାନେ ସେମାନଙ୍କର ଶିଶୁ ମାନଙ୍କୁ ସୁରକ୍ଷିତ ଭାବେ ଏଠାରେ ରଖି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ । ଏହି ଶିଶୁ ମିତ୍ର ଥାନା ପରିଚାଳନା ପାଇଁ ଜଣେ ମହିଳା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କୁ ତାଲିମ ଦିଆଯାଇଛି । ଉଦ୍ଘାଟନୀ ଉତ୍ସବରେ ସଦର ଏସ୍ଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ, ସେକେଣ୍ଡ ଅଫିସର ସୁନୀଲ କୁମାର ନନ୍ଦ, ସବ୍ ଇନ୍ସପେକ୍ଟର ଦିଲୀପ କୁମାର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।