ପରୀ ହତ୍ୟାକାଣ୍ଡର ଗୁମର ଖୋଲିବାକୁ ଲାଗିପାରେ ଦୁଇ ସପ୍ତାହ

ଭୁବନେଶ୍ୱର: ଡ଼ିଜିପି କ୍ୟାମ୍ପରେ ପରୀ ମୃତ୍ୟୁ ମାମଲାକୁ ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଏସଆଇଟି ଦ୍ବାରା ପରୀ ମୃତ୍ୟୁ ମାମଲାର ତଦନ୍ତକୁ ମାତ୍ର ୪ ଦିନ ହୋଇଛି । ତଦନ୍ତ ସଂପର୍କରେ କୌଣସି ସୂଚନା ଦେବା ଲାଗି ଅତି କମରେ ୨ ସପ୍ତାହ ସମୟ ଦରକାର । ରାଜ୍ୟ ସରକାର ଓ ଡିଜି ତଦନ୍ତ ପାଇଁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଲୋକଙ୍କର ମଧ୍ୟ ଏସଆଇଟି ଉପରେ ଭରସା ଥିବା କଥା ଶ୍ରୀ ବୋଥ୍ରା କହିଛନ୍ତି । ସୂଚନା ଥାଉ କି ପରୀ ହତ୍ୟାକାରୀକୁ ଏସଆଇଟି ଖୋଜୁଛି । ପରୀ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଯାଞ୍ଚ ଚାଲିଛି।

ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଟିମ୍ ଯାଂଚ କରିଥିଲେ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଜେରା କରିଥିଲେ ଏସଆଇଟି । ବାବୁଲି ଓ ତାଙ୍କ ଡ଼୍ରାଇଭରଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକର ସବିଶେଷ ତଥ୍ୟ ଟିମ ସଂଗ୍ରହ କରିଥିଲା । ଏଥିସହ ଟିମ୍ ବାବୁଲିଙ୍କ ଡ୍ରାଇଭରଙ୍କ ଘରେ ମଧ୍ୟ ଚଢ଼ାଉ କରି ତାଙ୍କୁ ପଚରାଉଚରା କରିଥିଲା। ସୂଚନା ଥାଉ କି ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ବର୍ତ୍ତମାନ ତଦନ୍ତ ଜାରି ରଖିଛି |

ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଆର.ସି ଥମ୍ବ, କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ମମତା ରାଣୀ ପଣ୍ଡା ପ୍ରମୁଖ ତଦନ୍ତ କରୁଛନ୍ତି | ପ୍ରକାଶଥ‌ାଉକି, ରାଜ୍ୟ ସରକାରଙ୍କ ଦକ୍ଷ ପୁଲିସ ଅଫିସର୍‌ ଭାବେ ଅରୁଣ ବୋଥ୍ରାଙ୍କ ସୁନାମ ରହିଛି। ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ଘଟଣା କିମ୍ବା ସାରଥୀ, ସୁର ବାବା ମାମଲାର ତଦନ୍ତ ଭାର ନେଇ ସଫଳତା ଅର୍ଜନ କରିଥିଲେ। ଏବେ ପରୀ ମାମଲାରେ ହତ୍ୟାକାରୀକୁ ଖୋଜି ବାହା‌ର କରିବେ ବୋଲି ଆଶା ସଞ୍ଚାର ହୋଇଛି।

ସମ୍ବନ୍ଧିତ ଖବର