ଏସ୍‌ଆଇଟି ମୁଖ୍ୟ ବୋଥ୍ରାଙ୍କ ଚାଞ୍ଚଲ୍ୟକର ସୂଚନା: ‘ପରୀ’ ଶବ ସହ ଦୁଷ୍କର୍ମ!

ଅଭିଯୁକ୍ତ ସରୋଜ ସବୁକଥା ମାନିଛି, ଦୁଇ ଜଣଙ୍କ ଆଗରେ କହିଛି

ଭୁବନେଶ୍ବର/କଟକ/ନୟାଗଡ଼: ନୟାଗଡର ୫ବର୍ଷର କୁନି ଝିଅ, ପରୀ ହତ୍ୟାକାଣ୍ଡ ପଛର ରହସ୍ୟ ଆଜି ପାଞ୍ଚମାସ ପରେ ସାମ୍ନାକୁ ଆସିଛି। ଏହା ଯେତିକି ବୀଭତ୍ସ, ସେତିକି ଲୋମହର୍ଷଣକାରୀ। ପରୀର କଅଁଳ ମନ ଜାମୁକୋଳି ଖାଇବା ପାଇଁ ଜୁଲାଇ ୧୪ ତାରିଖ ଦିନ ଚାହିଁଥିଲା। ହେଲେ ସୈତାନ ତାକୁ ମୃତ୍ୟଦଣ୍ଡ ଦେବା ପାଇଁ ସେଠାରେ ଅପେକ୍ଷା କରିଥିଲା, ଯାହା ସେ କ​ଳ୍ପନାରେ ସୁଦ୍ଧା ଭାବିନଥିବ। ହେଲେ ବାସ୍ତବତା ଥିଲା ଯେ ତାର ପଡ଼ୋଶୀ କଲେଜ ଛାତ୍ର ସରୋଜ ସେଠୀ ତାକୁ ଏକୁଟିଆ ପାଇ ଦୁଷ୍କର୍ମ ପାଇଁ ପ୍ରଥମେ ଉଦ୍ୟମ କଲା। ପରୀ ପ୍ରତିବାଦ କରି କାନ୍ଦିବାରୁ ତାକୁ ତଣ୍ଟିଚିପି ମାରିଦେଲା। କେବଳ ସେତିକି ନୁହେଁ, ହତ୍ୟାକାରୀ ଏତେ ନୀଚ୍ଚସ୍ତରକୁ ଖସିଯାଇଥିଲା ଯେ ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ ଉଦ୍ୟମ କରିବାକୁ ପଛାଇ ନଥିଲା। ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଯେଉଁ ଯୁବକକୁ ଗିରଫ କରିଛି, ସେ ହିଁ ମୁଖ୍ୟ ଅଭିଯୁକ୍ତ ଏବଂ ସେହି ସରୋଜ ସେଠୀ ହିଁ ନିଷ୍ପାପ ଶିଶୁ ସହିତ ଏଭଳି ଜଘନ୍ୟକାଣ୍ଡ ଘଟାଇଛି। ଏସ୍‌ଆଇ୍‌ଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରା ଆଜି ପୂର୍ବାହ୍ନରେ ଗଣମାଧ୍ୟମ ସାମ୍ନାରେ ଏହି ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଉଥିବା ବେଳେ ପୂରା ରାଜ୍ୟ ଚକିତ ହୋଇଯାଇଥିଲା। ପରୀ ଭଳି ଗୋଟିଏ ନିରୀହ ଝିଅ ସହିତ ଏଭଳି ଜଘନ୍ୟ ଓ ଘୃଣ୍ୟ କାର୍ଯ୍ୟ ଘଟିଥିବ, ଏ କଥା କେହି ଅନୁମାନ ଲଗାଇପାରିନଥିଲେ। ଶ୍ରୀ ବୋଥ୍ରା ଦାବି କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଭାବେ ଶ୍ରୀ ସେଠୀ ଯେଉଁ କାଣ୍ଡ ଭିଆଇଛି, ସେ ସଂକ୍ରାନ୍ତ ଆପାତତଃ ପ୍ରମାଣ ତାଙ୍କ ଟିମ୍‌ ପାଖରେ ରହିଛି। କୋର୍ଟରେ ସେ ଏସବୁ ପ୍ରମାଣ ଦାଖଲ କରିବେ। ତଦନ୍ତ ଜାରି ରହିଛି ଓ ଆଉକିଛି ପ୍ରମାଣ ଯୋଗାଡ କରିବା ଲାଗି ସେ ପଦକ୍ଷେପ ନେଉଛନ୍ତି।

ଜାମୁକୋଳି ପାଇଁ ଯାଇଥିଲା ପରୀ
ଏକୁଟିଆ ଦେଖି ଜଘନ୍ୟ କାଣ୍ଡ ଭିଆଇଥିଲା
ପରୀ କାନ୍ଦିବାରୁ ତଣ୍ଟିଚିପି ହତ୍ୟା କରିଥିଲା
ପୋଖରୀ ଶୁଖାଇବା ପରେ ମିଳିଲା ଲେଗିନ୍ସ

ପରୀ ହତ୍ୟା ଘଟଣାର ଚାଞ୍ଚଲ୍ୟକର କାହାଣୀ ବର୍ଣ୍ଣନା କରିବା ବେଳେ ନିଜେ ଶ୍ରୀ ବୋଥ୍ରା କହିଥିଲେ ତାଙ୍କ ୨୨ ବର୍ଷର କ୍ୟାରିୟର ଭିତରେ ଏଭଳି ଘଟଣା ସେ ଦେଖିନାହାନ୍ତି। ଏପରିକି ସରୋଜର ବୟାନ ତାଙ୍କୁ ବିଭିନ୍ନ ସମୟରେ ବିସ୍ମିତ କରିଛି। ଆଉ ସବୁଠାରୁ ବଡ଼ କଥା ହେଲା, ପୁଲିସ ଖୋଳତାଡ଼ କରି ଏହି ରହସ୍ୟ ଉନ୍ମୋଚନ କରିବା ପୂର୍ବରୁ ନିଜେ ସରୋଜ ଏସବୁ ଦୁଇଜଣଙ୍କ ସାମ୍ନାରେ ସ୍ବୀକାର କରିସାରିଛି। ଏହାର ଅଡ଼ିଓ-ଭିଡି଼ଓ ପ୍ରମାଣ ନିଜେ ରଖିସାରିଛି। ବିଚାର ବେଳେ ଏସବୁ ଏସ୍‌ଆଇଟି କୋର୍ଟରେ ଦାଖଲ କରିବେ ବୋଲି ସେ କହିଛନ୍ତି। ଏପଟେ ରିପୋର୍ଟ ଲେଖାହେବା ବେଳକୁ ଖବର ଆସିଛି ଯେ ପରୀର ଲେଗିନ୍ସ ପୋଖରୀରୁ ଉଦ୍ଧାର ହୋଇଛି। ଅର୍ଥାତ୍ ଏସ୍‌ଆଇଟି ସନ୍ଦେହ ପ୍ରମାଣିତ ହୋଇଛି। ସରୋଜ କହିଥିଲା ଯେ ସେ ଲେଗିନ୍ସକୁ ପୋଖରୀରେ ଫିଙ୍ଗିଥିଲା। ଏହି ତଥ୍ୟକୁ ଆଧାର କରି ତିନିଟି ପମ୍ପରେ ପୋଖରୀ ଶୁଖା ଯାଇଥିଲା। ଶେଷରେ ତାର ଲେଗିନ୍ସ ମିଳିବା ପରେ ଏସଆଇଟିକୁ ଆଉ ଏକ ପ୍ରମାଣ ମିଳିଯାଇଛି, ଯାହା ଅଭିଯୋଗକୁ ପ୍ରମାଣିତ କରିବା କ୍ଷେତ୍ରରେ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରେ।

ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶ୍ରୀ ବୋଥ୍ରା ଗଣମାଧ୍ୟମ ସାମ୍ନାରେ ଏହି ହତ୍ୟାକାଣ୍ଡର ରହସ୍ୟର ପେଡି ଖୋଲିଥିଲେ। କହିଥିଲେ, ପରୀର ଫ୍ରକ୍‌ରୁ ମିଳିଥିବା ସିମେନ୍ ତଦନ୍ତର ମୋଡ଼ ବଦଳାଇ ଦେଇଥିଲା। ଆଉ ଜେରା ବେଳେ ନିଜେ ସରୋଜ ସମୁଦାୟ ଘଟଣା ସ୍ବୀକାର କରିଥିଲା। କେଉଁ ପରିସ୍ଥିତିରେ ସେ ଏଭଳି ହୀନ ଉଦ୍ୟମ କରିଥିଲା, ସେକଥା ମଧ୍ୟ ସରୋଜ ବଖାଣିଛି। କହିଛି, ସେ ମୋବାଇଲ୍‌ରେ ଅଶ୍ଳୀଳ ଭିଡ଼ିଓ ଦେଖେ। ପୂର୍ବଦିନ ସାରା ରାତି ଛୋଟ ପିଲାଙ୍କ ସହିତ ହେଉଥିବା ଅଶ୍ଳୀଳ ଭିଡ଼ିଓ ଦେଖିଥିଲା, ଆଉ ଏହା ହିଁ ତାକୁ ଦିଗହରା କରିଦେଇଥିଲା। ଘଟଣା ଘଟିଥିଲା ଜୁଲାଇ ୧୪ ତାରିଖରେ। ସମୟ ଥିଲା ସକାଳ ୧୦ଟା ୩୦ ରୁ ୧୦ଟା ୪୦ ପାଖାପାଖି। ଜୁଲାଇ ୧୩ ତାରିଖରେ ପରୀ ଅଭିଯୁକ୍ତର ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା। ଏଣୁ ସେଦିନ ବି ଜାମୁକୋଳି ନିଶାରେ ସେ ଯାଇଥିଲା ସରୋଜ ଘରକୁ। ସରୋଜ ଘର କିନ୍ତୁ ସେତେବେଳେ ଆଉ କେହି ନଥିଲେ। ପୂର୍ବଦିନର କୁନି ଝିଅଙ୍କ ସହିତ ହେଉଥିବା ଅଶ୍ଳୀଳ କାରନାମା ଦେଖି ତା’ମୁଣ଼୍ଡରେ କାମନାର ନିଆଁ ତେଜି ଉଠିଥିଲା। ସେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ତାର କାମନାର ଚରିତାର୍ଥ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଧରି ପରୀକୁ ନେଇଯାଇଥିଲା ଘର ଭିତରକୁ। ସାର୍ଟ ଖୋଲିବା ବେଳେ ପରୀ ଚକିତ ହୋଇଥିଲା। ହେଲେ ତାର ଲେଗିନ୍ସ ଖୋଲିବା ବେଳେ ଖୁବ୍ ଜୋରରେ ଚିତ୍କାର କରି କାନ୍ଦିଥିଲା ପରୀ। କାଳେ କିଏ ଏହି ଚିତ୍କାର ଶୁଣିବ, ସେଥିପାଇଁ ଡରରେ ସରୋଜ ପରୀର ତଣ୍ଟିକୁ ଚିପି ଧରିଥିଲା। ବାସ୍, ପାଞ୍ଚ ବର୍ଷର ଏହି କୁନି ଝିଅ କିଛି କ୍ଷଣରେ ନିଶ୍ଚଳ ହୋଇଗଲା।

ହେଲେ ଏଭଳି ରାକ୍ଷସ ସ୍ତରରୁ ସରୋଜ ଓହ୍ଲାଇଯାଇଥିଲା ଯେ ପରୀର ଶବ ସହିତ ମଧ୍ୟ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିବାକୁ ପଛାଇ ନଥିଲା। ହେଲେ ସେଥିରେ ସେ ସଫଳ ହୋଇପାରିନଥିଲା ବୋଲି କହିଛି। ଅଥଚ ତାର ସିମେନ୍ ବାହାରି ପଡ଼ିଥିଲା ପରୀର ଫ୍ରକ୍ ଉପରେ। ଏଇଠି ରହିଗଲା ପ୍ରମାଣ। ତେବେ କିଛି ସମୟରେ ପ୍ରକୃତିସ୍ଥ ହେବା ପରେ ପରୀର ଶବ କେଉଁଠି କେମିତି ରଖିବ, ସେ ଚିନ୍ତା ଘାରିଥିଲା। ସେ ସମୟରେ ତା ମୁଣ୍ଡରେ ଯେଉଁ ବୁଦ୍ଧି ଆସିଲା, ତା ଅନୁସାରେ, ଅଭିଯୁକ୍ତ ପରୀର ମୃତଦେହର ମୁଣ୍ଡ ତଳକୁ କରି ଏକ ଅଖା ବସ୍ତାରେ ପୁରାଇଥିଲା। ତାର ଫ୍ରକ୍‌କୁ ମଧ୍ୟ ବସ୍ତା ଭିତରେ ରଖିଥିଲା। ବସ୍ତାକୁ ନେଇ ତାଙ୍କ ବାରିପଟେ ଥିବା ପୋଖରୀ ନିକଟରେ ଏକ ବୁଦା ଭିତରେ ଲୁଚାଇ ରଖିଥିଲା। ଉକ୍ତ ବୁଦା ଉପରେ ଅଭିଯୁକ୍ତ ନଡ଼ିଆ ବାହୁଙ୍ଗା ପକାଇ ଏହାକୁ ଲୁଚାଇବାକୁ ଚେ‌ଷ୍ଟା କରିଥିଲା। ପରେ ଜାଣିଲା ଯେ ପରୀର ଲେଗିନ୍ସ ରହିଯାଇଛି। ପୁଣି ଆସି ତାକୁ ପୋଖରୀ ଭିତରକୁ ଫୋପାଡି ଦେଇଥିଲା। ଆଉ ଚୁପଚାପ ଘରକୁ ଫେରି ଆସିଥିଲା। କେହି କିଛି ବି ଟେର୍ ପାଇଲେନି। ଏତେ ବଡ଼ ଘଟଣା ଘଟାଇ ସରୋଜ ୫ମାସ ଧରି ଧରି ପୂରା ନୟାଗଡ ବୁଲିଲା ଅଥଚ କେହି କିଛି ଟେର୍ ପାଇଲେନି। ଏସ୍‌ଆଇଟି ମୁଖ୍ୟ ଶ୍ରୀ ବୋଥ୍ରା କହିଥିଲେ ଯେ ନାବାଳିକା ପରୀର ଘରଠାରୁ ସରୋଜର ଘରର ଦୂରତା ପ୍ରାୟ ୨ଶହ ମିଟର ପାଖାପାଖି ହେବ। ସରୋଜର ସାନଭଉଣୀ ସହିତ ନାବାଳିକାର ଭଲ ସଂପର୍କ ଥିଲା। ସରୋଜ ଘରେ ଯେଉଁ ଜାମୁକୋଳି ଗଛ ଥିଲା, ସେଠାକୁ ସବୁ ପିଲା ଯାନ୍ତି, ପରୀ ବି ଯାଏ। ହେଲେ ୧୪ ତାରିଖ ଦିନ ସେ ଏକାଯାଇଥିଲା। ଅନ୍ୟପକ୍ଷରେ ସରୋଜର ବାପା ନାହାନ୍ତି। ମାଆ ଚାକିରି କରୁଛନ୍ତି ଏବଂ ବଡ ଭଉଣୀ ବାହା ହୋଇସାରିଛି। ସାନ ଭଉଣୀ ବି ଚାକିରି କରୁଥିବାରୁ ସେଦିନ ଘରେ କେହି ନଥିଲେ। ଯାହାର ଫାଇଦା ନେଇଥିଲା ଅଭିଯୁକ୍ତ ସରୋଜ।

ରାତି ସାରା ପର୍ଣ୍ଣ ଭିଡିଓ ଦେଖିଥିଲା ସରୋଜ
ଅଭିଯୁକ୍ତ ସରୋଜ ବ୍ୟବହାର କରୁଥିବା ମୋବାଇଲ ଫୋନ ଗୁଗୁଲ ସର୍ଚ୍ଚ ହିଷ୍ଟ୍ରିର ରେକର୍ଡକୁ ପୁରା ଡିଲିଟ୍‌ କରି ଦିଆଯାଇଛି। ମୋବାଇଲରେ ଗୋଟିଏ ଫାଇଲ୍‌ ଦେଖିବାକୁ ମିଳିଥିଲା। ସେଥିରେ ସର୍ଚ୍ଚ ହିଷ୍ଟ୍ରିକୁ କିପରି ଡିଲିଟ୍ କରାଯିବ, ସେ ସଂପର୍କରେ ସର୍ଚ୍ଚ କରାଯାଇଥିବାର ସୂଚନା ରହିଛି। ଏହି ସମସ୍ତ ବିଷୟକୁ ନେଇ ଏସ୍‌ଆଇଟି ସାଇଣ୍ଟିଫିକ୍‌ ତଥ୍ୟ ପ୍ରମାଣ ଉପରେ ଏବେ ଅଧିକ ଗୁରୁତ୍ବ ଦେଇଛି। ଏସ୍‌ଆଇଟି ପକ୍ଷରୁ ଗୁଗୁଲ୍‌ ଠାରୁ ମୋବାଇଲର ଆଇପିଡିଆର ତଥ୍ୟ ମଗାଯାଇଛି। ଏଥିରେ ମୋବାଇଲରେ ସର୍ଚ୍ଚ କରାଯାଇଥିବା ସମସ୍ତ ତଥ୍ୟ ଜଣାପଡିବ। ଏହି ସମସ୍ତ ବିଷୟକୁ କୋର୍ଟରେ ରଖାଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ସରୋଜର ନିଜର ମୋବାଇଲ୍ ନଥିଲା। ନିଜ ଭଉଣୀର ଭିଭୋ ମୋବାଇଲ୍ ନେଇ ସେ ରାତିରେ ପ୍ରତିଦିନ ଏଭଳି ଅଶ୍ଳୀଳ ଭିଡ଼ିଓ ଦେଖୁଥିଲା ଓ ପରେ ଏସବୁକୁ ଉଡ଼ାଇ ଦେଉଥିଲା। ହେଲେ ଏହି ମୋବାଇଲ୍ ଯା଼ଞ୍ଚ ବେଳେ ଦେଖାଗଲା ଯେ ଗୋଟିଏ ଫୋଲ୍‌ଡର ରହିଛି, ଯାହାକୁ ଏକ ପାସ୍‌ଵାର୍ଡ ଦ୍ବାରା ସୁରକ୍ଷିତ ରଖାଯାଇଛି। ଏହି ପାସ୍‌ଵାର୍ଡ କିନ୍ତୁ ନା ସରୋଜ ଦେଇଥିଲା ନା ଆଉ କେହି। ଏହା ହିଁ ସରୋଜ ପ୍ରତି ସନ୍ଦେହ ବଢ଼ାଇବାର ଆଉ ଏକ କାରଣ ଥିଲା। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିବା ଅନୁଯାୟୀ ମୃତଦେହ ସହ ଶାରୀରକ ସମ୍ପର୍କ ରଖିବାର ଅନେକ ପ୍ରୋନ୍‌ ଭିଡିଓ ଅଭିଯୁକ୍ତ ସରୋଜ ଦେଖୁଥିଲା ବୋଲି ଏସ୍‌ଆଇଟି ନିକଟରେ ମାନିଛି।

ନଡ଼ିଆ ବାହୁଙ୍ଗାର ହେବ ଡିଏନ୍‌ଏ ଟେଷ୍ଟ
ହାଇଦ୍ରାବାଦର ସିସିଏମ୍‌ବି ଓ ନୂଆଦିଲ୍ଲୀର ଏନ୍‌ବିପିଜିଆରର ପରୀକ୍ଷାଗାରକୁ ଅଭିଯୁକ୍ତ ପରୀର ଶବକୁ ଘୋଡାଇବା ପାଇଁ ବ୍ୟବହାର କରିଥିବା ନଡ଼ିଆ ବାହୁଙ୍ଗାର ଡିଏନ୍‌ଏ ପରୀକ୍ଷା କରିବା ପାଇଁ ପଠାଯିବ। ଏଥିରେ ବାହୁଙ୍ଗା ଗୁଡିକ ଅଭିଯୁକ୍ତଙ୍କ ଘରର ନଡ଼ିଆ ଗଛର ନା ଆଉ କେଉଁ ନଡ଼ିଆ ଗଛର ବୋଲି ଜଣାପଡ଼ିବ। ଏଥିରେ ଘଟଣାରେ ଆଉ ‌କିଏ ସମ୍ପୃକ୍ତ ଅଛନ୍ତି, ତାହା ବି ଜଣାପଡ଼ିବ। ଅନ୍ୟପ‌ଟେ ଯେଉଁ ପୋଖରୀ ନିକଟରୁ ପରୀର ମୃତଦେହ ମିଳିଥିଲା, ଅଭିଯୁକ୍ତ କହିବା ଅନୁସାରେ ତାହା ମଧ୍ୟରୁ ପରୀର ଲେଗିନ୍ସ ଖୋଜା ଯାଉଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ଦୁଇ ଜଣଙ୍କ ନିକଟରେ ଅଭିଯୁକ୍ତ ସବୁ କଥା କହିଛି
ଅଭିଯୁକ୍ତ ସରୋଜ ଦୁଇ ଜଣଙ୍କ ଆଗରେ ତା’ର ଦୋଷ ସ୍ବୀକାର କରିଛି। ଜଣେ ବ୍ୟକ୍ତି ତାଙ୍କ କମ୍ପ୍ୟୁଟରରେ ସରୋଜ କହିଥିବା ସମସ୍ତ କଥାକୁ ରେକର୍ଡିଂ କରି ରଖିଛନ୍ତି। ଏହି ରେକର୍ଡିଂକୁ କୋର୍ଟରେ ଦାଖଲ କରାଯିବ ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି। ଏକଥା ବୟାନ କରିବା ବେଳେ କୌଣସି ପୁଲିସ ଅଧିକାରୀ ନ ଥିଲେ। ବରଂ ସେ ନିଜ ଲୋକଙ୍କ ନିକଟରେ କହିଛି। ତାଙ୍କୁ ସାକ୍ଷୀ ଭାବେ ପୁଲିସ ବ୍ୟବହାର କରିପାରେ ବୋଲି ସୂଚନା ମିଳିଛି। କିନ୍ତୁ ତାଙ୍କ ନାମ ସେ କହିନାହାନ୍ତି।

ବ୍ୟବଚ୍ଛେଦ ରିପୋର୍ଟରୁ ମିଳିପାରିନି ଦୁଷ୍କର୍ମ ସଂପର୍କିତ ତଥ୍ୟ
ଜୁଲାଇ ୧୪ ତାରିଖରେ ପରୀକୁ ହତ୍ୟା କରାଯାଇଥିବା ବେଳେ ଜୁଲାଇ ୨୩ ତାରିଖରେ ତାର ମୃତଦେହ ମିଳିଥିଲା। ମୃତଦେହ ନଷ୍ଟ ହୋଇ ଯାଇଥିବାରୁ ବ୍ୟବଚ୍ଛେଦ ରିପୋର୍ଟରେ ତା ସହ ଦୁର୍ଷ୍କମ କରାଯାଇଛି କି ନାହିଁ ତାହା ଜାଣିବା ସମ୍ଭବପର ନଥିଲା। କିନ୍ତୁ ପରୀର ମୃତଦେହ ଥିବା ବସ୍ତାରୁ ପରୀର ଫ୍ରକ୍‌ ମଳିବା ଓ ସେଥିରେ ଅଭିଯୁକ୍ତର ସିମେନ୍‌ ଲାଗିବା ଘଟଣା ଯୋଗୁଁ ପରୀ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବା ପ୍ରମାଣ ମିଳୁଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ଏହି ଘଟଣାର ଚାକ୍ଷୁସ ପ୍ରମାଣ କିଛି ନାହିଁ
ଏସଆଇଟି କହିଛି, ସମୁଦାୟ ଘଟଣାର ଚାକ୍ଷୁସ ପ୍ରମାଣ କିଛି ନାହିଁ। କିନ୍ତୁ ବୈଜ୍ଞାନିକ ପଦ୍ଧତିରେ ହାସଲ ହୋଇଥିବା ଅନେକ ତଥ୍ୟ ହିଁ ବୟାନ କରିଛି ଯେ ସରୋଜ ଏହିଭଳି କାଣ୍ଡ ଭିଆଇଛି। ସରୋଜ ଏକଥା ବି କହିଛି ଯେ ଏଭଳି ଅଭାବନୀୟ ଘଟଣା ପାଇଁ ତାର କିଛି ପୂର୍ବ ପ୍ରସ୍ତୁତି ନ ଥିଲା। ସେହିପରି ଶବ ଗଳିତ ହେବା କ୍ଷେତ୍ରରେ କେମିକାଲ୍ ବ୍ୟବହାର ହୋଇନାହିଁ,ଏକଥାର ମଧ୍ୟ ରିପୋର୍ଟ ମିଳିଛି। ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ତାକୁ ନେଇ ଅନୁସନ୍ଧାନ ଜାରି ରହିଛି ଏବଂ ସରୋଜକୁ ରିମାଣ୍ଡରେ ତିନିଦିନିଆ ରିମାଣ୍ଡ ଅଣାଯାଇଥିବା ଶ୍ରୀ ବୋଥ୍ରା କହିଛନ୍ତି।

କେମିତି ସନ୍ଦେହକୁ ଆସିଲା ସରୋଜ?
ଶ୍ରୀ ବୋଥ୍ରା କହିଥିଲେ, ତଦନ୍ତ ଆରମ୍ଭ ପରେ ଗୋଟିଏ ସମୟରେ ଗାଁର ସବୁ ଲୋକଙ୍କ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଥିଲା। ଘଟଣା ଦିନ କାହା ଘରେ କିଏ ଥିଲେ, ତାହା ଯାଞ୍ଚ ବେଳେ ଜଣାପଡିଲା ଯେ ସରୋଜ ହିଁ ସେଦିନ ଘରେ ଏକୁଟିଆ ଥିଲା। ଆହୁରି କୌତୂହଳ କଥା ହେଲା, ସରୋଜର ମୋବାଇଲ୍ ଯା଼ଞ୍ଚ ବେଳେ ଏକ ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ୍‌ ପପ୍-ଅପ୍ ଆସିଥିଲା। ଏହାକୁ ତଦନ୍ତ ପରିସରକୁ ନେଇ ତାକୁ ପଚରାଉଚରା କରିବାରେ ସେ ଓଲଟା ଏସ୍‌ଆଇଟିକୁ ଏ ସଂକ୍ରାନ୍ତ ପ୍ରମାଣ ଦେବାକୁ ଦାବି କରିଥିଲା। ଏହା ଆହୁରି ସ୍ପଷ୍ଟ ହୋଇଗଲା, ଯେବେ ଗାଁର ପ୍ରାୟ ଅଧିକାଂଶ ଲୋକ ପଲିଗ୍ରାଫ୍ ପାଇଁ ରାଜି ହୋଇଥିବା ବେଳେ ସରୋଜ କିନ୍ତୁ ଏହାକୁ ବିରୋଧ କରିଥିଲା। ତାର ପରିବାର ଲୋକ ବୁଝାଇବା ପରେ ସେ ଅରାଜି ହୋଇଥିଲା। ତା ପାଟିରୁ ବାହାରିଗଲା ଯେ ତାକୁ ଫାଶୀ ହୋଇଯିବ। ପରେ ଏସଆଇଟି କହିଥିଲା ଯେ ସେ ରାଜି ନହୁଏ, ତେବେ ଧରିନିଆଯିବ ଯେ ସେ ହିଁ ହତ୍ୟାକାରୀ। ଏଥର ସେ ରାଜି ହୋଇଥିଲା। ପୁଲିସ ଅନୁପସ୍ଥିତି, ତାର ସମ୍ମତି ସହିତ ଯେଉଁ ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା, ତାହା ବି ପ୍ରମାଣିତ କରିଦେଲା ଯେ ସେ ମିଛ କହୁଛି।

ସମ୍ବନ୍ଧିତ ଖବର