କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି, ତିନି ଜଣ ଡିଆଇଜି କରିବେ ତଦନ୍ତ

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ ତଦନ୍ତକାରୀ ଟିମ୍ (ଏସ୍‌ଆଇଟି) ଗଠନ ହେବ। ଏସ୍‌ଆଇଟିରେ ତିନୋଟି ରେଞ୍ଜର ଡିଆଇଜି ରହିବେ। ଏଥିସହିତ ତଦନ୍ତର ତଦାରଖ ହାଇକୋର୍ଟ କରିବେ। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ହାଇକୋର୍ଟରେ ପୂର୍ବତନ ସା˚ସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ ଓ କୁନ୍ଦୁଲି ପୀଡ଼ିତାଙ୍କ ମା’ ଦମାଇ ଛାତିଙ୍କ ତରଫରୁ ଦାୟର ଦୁଇଟି ମାମଲାର ଶୁଣାଣି ଚାଲିଛି। କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡ଼ିତାଙ୍କ ଭାଇ ଭଗବାନ ଛାତି ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଅନ୍ୟ କେତେକ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ଏହି ପ୍ରସଂଗରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କୁନ୍ଦୁଲି ସ˚ପର୍କିତ କେତେକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ସୁପ୍ରିମକୋର୍ଟ ଭଗବାନଙ୍କ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୀଡିତାଙ୍କ ମା ଦମାଇ ଛାତି ମଧୢ ହାଇକୋର୍ଟରେ ପୃଥକ ମାମଲା ରୁଜୁ କରିଥିଲେ। ଇତିମଧ୍ୟରେ ଭଗବାନ ଓ ଅନ୍ୟମାନଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ଓ ପୀଡ଼ିତାଙ୍କ ମା’ ଶ୍ରୀମତୀ ଛାତିଙ୍କ ଆବେଦନର ଶୁଣାଣି ଚାଲିଛି। ଶ୍ରୀମତୀ ଛାତିଙ୍କ ପକ୍ଷରୁ ଦାୟର ଆବେଦନରେ ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ନେଇ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଥାନାରେ ଆଇପିସିର ଦଫା ୩୭୫-ଡି, ୩୭୭ ଓ ପୋକ୍‌ସୋ ଆଇନ-୨୦୧୨ର ଧାରା ୬ରେ ରୁଜୁ ମାମଲାର ତଦନ୍ତ ସିବିଆଇକୁ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହିତ ପୀଡିତାଙ୍କ ଅକସ୍ମାତ ମୃତ୍ୟୁ ଘଟଣାର ମଧୢ ସିବିଆଇ ତଦନ୍ତ ଏବଂ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀମତୀ ଛାତିଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ୨୦୧୭, ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଆତ୍ମହତ୍ୟା କରିଥିଲେ। କିନ୍ତୁ ଏହି ଘଟଣାରେ ପୁଲିସ ଜଣେ ନାବାଳକଙ୍କୁ ଅଟକ ରଖି ଜେରା କରିଥିଲା।

ଦମାଇ ଛାତିଙ୍କ ତରଫରୁ ଆଇନଜୀବୀ ଶ୍ରୀଜୀ ଭବସାର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର