କଟକ: ନିର୍ବାଚନରେ କଳାଟଙ୍କା ବ୍ୟବହାରର ନୂଆ ଦିଗ ଏବେ ଦେଖିବାକୁ ମିଳୁଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସିଧାସଳଖ ନଗଦ ଅର୍ଥ ବଦଳରେ ଉପହାର ଦିଆଯାଉଛି। ଏଥିପାଇଁ ଅନ୍ୟ ଉପାୟ ମଧ୍ୟ ଅବଲମ୍ବନ କରାଯାଉଛି। ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର କଟକରେ ଅନୁଷ୍ଠିତ ବୈଠକରେ ଆଜି ବିଭିନ୍ନ ଏଜେନ୍ସି ତରଫରୁ ଉପସ୍ଥାପନ କରାଯାଇଥିବା ରି ପୋର୍ଟରୁ ଏଭଳି ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି। ନିର୍ବାଚନ ସମୟରେ ଅସାଧୁ ଉପାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରସଙ୍ଗକୁ କିଭଳି ମୁକାବିଲା କରାଯିବ, ତାହାକୁ ନେଇ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକ‌ ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ ନିକଟରେ ବହୁତ ପରିମାଣର ନିଶାଦ୍ରବ୍ୟ (ଡ୍ରଗ୍ସ) ଧରା ଯାଇଛି। ଯାହାର ମୂଲ୍ୟ ଦୁଇ ତିନି ହଜାର କୋଟି ଟଙ୍କା ‌ହେବ। ନିକଟରେ ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ସେଠାରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିଲା। ଏସବୁ ନିଶାଦ୍ରବ୍ୟ ବାହର ଦେଶରୁ ଆସୁଛି। ଗୋଟିଏ ଘଟଣାରେ ନାର୍କୋଟିକ୍ସ ବ୍ୟୁରୋ ୩ ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିଥିଲା। ଓଡ଼ିଶା ଓ ବାହାର ରାଜ୍ୟରେ ଯେଉଁ ପରିମାଣର ନଗଦ ରାଶି ଓ ଗହଣା ଜବତ ହେଉଛି ତାହା ଅଧିକାରୀଙ୍କ ପାଇଁ ଆହ୍ବାନ ହୋଇଛି। ନିର୍ବାଚନ ସମୟରେ ବର୍ତ୍ତମାନ ନଗଦ ଅର୍ଥ ନ ଦେଇ ଅନ୍ୟ ପ୍ରକାରରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ନିଶାଦ୍ରବ୍ୟ, ହୀରା, ମୂଲ୍ୟବାନ ଗହଣା ଦେଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ଅଧିକାରୀଙ୍କୁ ମଧ୍ୟ ଏଭଳି ନୂଆ ଉପାୟ ସବୁ ଧରିବା ପାଇଁ ସଜାଗ ହେବାକୁ ପଡ଼ୁଛି।

Advertisment

ଜଷ୍ଟିସ ପଶାୟତ କହିଥିଲେ ଯେ ଶିକ୍ଷାନୁଷ୍ଠାନରେ କଳାଟଙ୍କା ପ୍ରସଂଗ ବିଶେଷ କରି କ୍ୟାପିଟେସନ ଫି ଉପରେ ଆଲୋଚନା ହୋଇଥିଲା। ମେଡିକାଲ କଲେଜରେ ସିଟ୍ ପାଇଁ ଟଙ୍କା ଦେବା ବେଆଇନ ହୋଇଥିବା ବେଳେ ଏଥିପାଇଁ ପରୋକ୍ଷରେ ବିଭିନ୍ନ ବାଟରେ ଟଙ୍କା ଆଦାୟ କରାଯାଉଛି। ଗୋଟିଏ ଟ୍ରଷ୍ଟ ଶିକ୍ଷାନୁଷ୍ଠାନ ଚଳାଉଥିବା ବେଳେ ଏହାର ଏକ ସହଯୋଗୀ ଟ୍ରଷ୍ଟ ଦାତବ୍ୟ କାର୍ଯ୍ୟ କରୁଛି। ସିଟ୍ ପାଇଁ ଶିକ୍ଷାନୁଷ୍ଠାନ ଚଳାଉଥିବା ଟ୍ରଷ୍ଟକୁ ଟଙ୍କା ଦେବା ବେଆଇନ ହୋଇଥିବା ବେଳେ ଦାତବ୍ୟ କାର୍ଯ୍ୟ କରୁଥିବା ଟ୍ରଷ୍ଟକୁ ଟଙ୍କା ଦିଆଯାଉଛି। ସେଠାରୁ ଟଙ୍କା ପଇଠ ବାବଦ ଏକ ସ୍ଲିପ୍ ନେଇ ଦେଲେ ଶିକ୍ଷାନୁଷ୍ଠାନରେ ସିଟ୍ ମିଳୁଛି। ଶିକ୍ଷାନୁଷ୍ଠାନ ସହିତ ଜଡିତ ଦାତବ୍ୟ ଟ୍ରଷ୍ଟର କାରବାର ତଦାରଖ ପାଇଁ ହୁଏତ ଆଇନରେ ପରିବର୍ତ୍ତନ ଆବଶ୍ୟକ ପଡ଼ିପାରେ। ଓଡ଼ିଶାରେ ଦୁର୍ନୀତି ନିବାରଣ ମାମଲା ଗୁଡ଼ିକର ତଥ୍ୟ ଭିଜିଲାନ୍ସ ବିଭାଗ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେବା ଉ‌ପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଭିଜିଲାନ୍ସ ମାମଲାରେ ଠାବ ଆୟ ବହିର୍ଭୂତ ସଂପତ୍ତିର ଆୟକର ଓ ଇଡି ପାଇଁ ପୃଥକ ଦିଗ ରହିଛି। ତେଣୁ ଦୁର୍ନୀତି ନିବାରଣ ଆଇନ ମାମଲାରେ ଏହି ସବୁ ବିଭାଗ ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ କରାଯିବା ଉଚିତ। ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ବୟ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଆସନ୍ତା ଜୁନ ମାସ ଭିତରେ ଏସ୍‌ଆଇଟି ତାର ପରବର୍ତ୍ତୀ ରିପୋର୍ଟ ପ୍ରଦାନ କରିବ ବୋଲି ଜ‌ଷ୍ଟିସ ପଶାୟତ ସୂଚନା ଦେଇଛନ୍ତି।
ଆଜିର ବୈଠକରେ ସାରା ଦେଶରେ କଳାଟଙ୍କା ଠାବ ପାଇଁ ବଡ଼ ବଡ଼ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ, କଷ୍ଟମସ୍, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଓ ଅନ୍ୟ ସଂସ୍ଥା ଗୁଡିକ ପକ୍ଷରୁ କରାଯାଇଥିବା ତଦନ୍ତ ନେଇ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କେତେ ପରିମାଣର ନିଶାଦ୍ରବ୍ୟ ଧରା ପଡ଼ିଛି ସେ ନେଇ ବୈଠକରେ ଅବଗତ କରାଯାଇଥିଲା।

ଏସ୍‌ଆଇଟି ଉପାଧୢକ୍ଷ ଜଷ୍ଟିସ୍‌ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ବୈଠକରେ ଆୟକର ପ୍ରମୁଖ ମୁଖ୍ୟ କମିସନର ଏମ.ବି.ରେଡ୍ଡୀ, ଏନସିବିର ବରିଷ୍ଠ ଅଧିକାରୀ, ଜ୍ଞାନେଶ୍ବର ସିଂ, ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ସିଟି ଜିଏସଟି ସ୍ବତନ୍ତ୍ର କମିସନର ରଜତ କୁମାର ପଟ୍ଟନାୟକ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ସ୍ପେଶାଲ ଟାସ୍କ ଫୋର୍ସ ଏସପି ଡକ୍ଟର କେ‌.କେ.ପାଣିଗ୍ରାହୀ, ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ.ଜେଠୱା, ସିବିଆଇ ବରିଷ୍ଠ ଅଧିକାରୀ ଓ ଅନ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।