କଟକ: ଦୁର୍ନୀତି ମାମଲାରେ ଓଡ଼ିଶାରେ ଏବେ ଅଧିକ ସଂଖ୍ୟାରେ ଉଚ୍ଚପଦସ୍ଥ ଅଧିକାରୀ ଧରାପଡୁଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଓ ସଂପତ୍ତି ଜବତ କରାଯାଉଛି। ଆଜି କଳାଧନ ପ୍ରସଙ୍ଗରେ କଟକରେ ଅନୁଷ୍ଠିତ ଏସ୍ଆଇଟି ବୈଠକରେ ଏନେଇ ଉଦ୍ବେଗ ପ୍ରକାଶ ପାଇବା ସହିତ ଏଭଳି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦିଆଯାଇଛି। ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।
ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ କହିଛନ୍ତି ଯେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଗ୍ରହଣ କରାଯାଇଥିବା ପଦକ୍ଷେପର ଅଗ୍ରଗତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି। ଓଡ଼ିଶାରେ ଦୁର୍ନୀତି ନିବାରଣ ଆଇନ ମାମଲାରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। କଳାଧନର ଏକ ଅଂଶବିଶେଷ ହେଉଛି ଦୁର୍ନୀତି। ଅଧିକାରୀ ନିଜ ପଦର ଅପବ୍ୟବହାର କରି ଟଙ୍କା ହାସଲ କରିଥାନ୍ତି। କେଉଁ ବିଭାଗରେ କେତେ ଦୁର୍ନୀତି ମାମଲା ଧରାପଡ଼ୁଛି ତାହା ଅନୁଧ୍ୟାନ କରାଯାଉଛି। ଏପରି ଦୁର୍ନୀତିକୁ ନିୟନ୍ତ୍ରଣ କରାଯିବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ସେହିଭଳି ନିଶାଦ୍ରବ୍ୟ ସଂପର୍କିତ ମାମଲା ଓଡ଼ିଶାରେ ବଢୁଛି ବୋଲି ଜଷ୍ଟିସ୍ ପଶାୟତ କହିଛନ୍ତି। ଲୋକ ନିଶାଦ୍ରବ୍ୟ ଅଭ୍ୟାସର ଶିକାର ହେଲେ ସମାଜ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ନିଶା କାରବାର କଳାଧନ ଓ ବେଆଇନ କାର୍ଯ୍ୟ ସହିତ ଜଡ଼ିତ। ଏପରି କାର୍ଯ୍ୟକଳାପ ଉପରେ ଅଙ୍କୁଶ ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଛି।
ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି, ନିଶା କାରବାରକୁ ନେଇ ଉଦ୍ବେଗ
ବୈଠକରେ ଚିଟ୍ଫଣ୍ଡ୍ କାରବାର ଉପରେ ମଧ୍ୟ ଆଲୋଚନା ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟ୍ଫଣ୍ଡ ସଂପର୍କିତ ଆପରାଧିକ ମାମଲାରେ ସଂଗୃହୀତ ଅର୍ଥ ଜବତ କରୁଥିବା ବେଳେ ଏଥିରୁ ନିବେଶକାରୀ ନିଜ ଟଙ୍କା ଫେରି ପାଉଛନ୍ତି ବୋଲି ଉପାଧ୍ୟକ୍ଷ ଜଷ୍ଟିସ୍ ପଶାୟତ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅହମଦାବାଦରେ ଏସ୍ଆଇଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏହାପରେ ପରବର୍ତ୍ତୀ ରିପୋର୍ଟ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଜିର ବୈଠକରେ କଳା ଟଙ୍କାର ଉତ୍ପତ୍ତି ଏବଂ ଏହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା କିଭଳି ବନ୍ଦ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା। ସାରା ଦେଶରେ ଏ ସଂପର୍କିତ ମାମଲାରେ ଇଡି, ଆୟକର ବିଭାଗ, ସେଣ୍ଟ୍ରାଲ୍ ଏକ୍ସାଇଜ୍, କଷ୍ଟମ୍ସ, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଡିଆର୍ଆଇ, ସିବିଆଇ, ସିଟି ଜିଏସ୍ଟି, କ୍ରାଇମ୍ବ୍ରାଞ୍ଚ, ଭିଜିଲାନ୍ସ ଓ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ନେଇ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ୍ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ବୈଠକରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ଡିଆର୍ଆଇ ଡିଜି ଏ.କେ.ଶ୍ରୀବାସ୍ତବ, ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ.ଜେଠୱା, କ୍ରାଇମ୍ବ୍ରାଞ୍ଚ ଏଡିଜି ବିନୟତୋସ ମିଶ୍ର, ବିହାର, ଝାଡ଼ଖଣ୍ଡର ବରିଷ୍ଠ ପୁଲିସ ଅଧିକାରୀ, ଅନ୍ୟ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/29/dfshsfshshf-2025-06-29-00-40-05.jpg)