କଳା ଟଙ୍କା ଠାବ ପ୍ରସଂଗ : ଆଜି ଏସ୍‌ଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ

କଟକ : ଦେଶରେ କଳା ଟଙ୍କା କାରବାର ସଂପର୍କରେ ତଦନ୍ତ କରୁଥିବା ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଗୁରୁତ୍ୱପୂର୍ଣ୍ଣ ବୈଠକ କଟକଠାରେ ଆଜି ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଗଠନ କରିଥିବା ଏସ୍‌ଆଇଟିର ଏହି ବୈଠକ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ହେବ। ଏଥିରେ ସିବିଆଇ, ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ରେଭିନ୍ୟୁ ଇଣ୍ଟେଲିଜେନସ୍‌, ସେଣ୍ଟ୍ରାଲ ଏକ୍ସାଇଜ୍‌ ଓ କଷ୍ଟମ୍‌ସ, ଆଇବିଏମ୍‌, ରାଜ୍ୟ ପୁଲିସ ବିଭାଗ, ରାଜ୍ୟ କ୍ରାଇମବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ରାଜ୍ୟ ଖଣି ବିଭାଗ, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସଂଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସଂପର୍କିତ ଅପଡେଟ୍‌ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯିବ। ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ବେଆଇନ୍‌ ଖଣି କରାରବାର, ମାଫିଆ, ଡନ୍‌, ଧାର୍ମିକ ଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟ୍‌ଫଣ୍ଡ୍‌ ଟଙ୍କାର ବିନିଯୋଗ, ରିଅଲ ଇଷ୍ଟେଟ, ଘରୋଇ ଶିକ୍ଷା ଅନୁଷ୍ଠାନ ଓ ଚ୍ୟାରିଟେବଲ୍‌ ଟ୍ରଷ୍ଟ୍‌ରେ କଳାଧନ ପ୍ରସଂଗ ସହିତ ବିଭିନ୍ନ ବ୍ୟାଙ୍କ୍‌ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯିବ। ଭ୍ରଷ୍ଟାଚାର, କଳାଧନ ଓ ଜାଲ୍‌ ନୋଟ୍‌ କାରବାର ଉପରେ ସର୍ଜିକାଲ ଷ୍ଟ୍ରାଇକ ପରେ ପରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର କଳାଟଙ୍କା ଜବତ ଘଟଣା ସହିତ ବିଭିନ୍ନ ବ୍ୟାଙ୍କରେ ଜମା ଥିବା କଳାଧନ ସଂପର୍କରେ ତର୍ଜମା କରାଯିବ। ଧଳସାମନ୍ତ ଓ ସେମାନଙ୍କ ସହଯୋଗୀଙ୍କ ସଂପତ୍ତି ସହିତ ବାବା ସାରଥି ଓ ସୁରବାବାଙ୍କ ସଂପତ୍ତି ବାଜ୍ୟାପ୍ତି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର