କଟକ: କଳାଧନ ଧରାପଡ଼ୁଥିବା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅଦାଲତରେ ତ୍ବରିତ ଶୁଣାଣି କରାଯିବା ଉଚିତ। ମାମଲା ‌କେମିତି ଶୀଘ୍ର ଟ୍ରାଏଲ୍‌ ପାଇଁ ଯିବ ଓ ଅଦାଲତ କେମିତି ଯଥାଶୀଘ୍ର ଶୁଣାଣି ସାରି‌ବେ ତାହା ଗୁରୁତ୍ବପୂର୍ଣ୍ଣ। ଏପରି ଅପରାଧ କ୍ଷେତ୍ରରେ  ତୁରନ୍ତ ଦଣ୍ଡବିଧାନ ହେଲେ ଏହା ଅନ୍ୟମାନଙ୍କୁ ଏପରି କାର୍ଯ୍ୟ କରିବାରୁ ନିବୃତ୍ତ କରିବ। ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର କଟକରେ ଅନୁଷ୍ଠିତ ବୈଠକରେ ଆଜି ଏ ନେଇ ଆଲୋଚନା କରାଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। 

Advertisment

ବୈଠକ‌ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ କହିଛନ୍ତି ଯେ ରାଜ୍ୟରେ ବିଗତ ଚାରି ମାସ ମଧ୍ୟରେ ଦୁର୍ନୀତି ନିବାରଣ ଆଇନରେ ହୋଇଥିବା ମାମଲା ସଂପର୍କିତ ତଥ୍ୟ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଦିଆଯାଇଛି। ଆଗକୁ ଯେତେ ବି ଏପରି ମାମଲା ହେବ ସେ ସଂପର୍କିତ ତଥ୍ୟ ଅନ୍ୟ ଏଜେନ୍ସିଙ୍କୁ ପ୍ରଦାନ କରାଯିବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସହିତ ତଥ୍ୟର ଆଦାନ ପ୍ରଦାନ କରାଯାଉଛି। କଳାଧନ ଠାବ ଓ ଏ ସଂପର୍କିତ ତଦନ୍ତ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ସରକାର ଏକ ଏଜେନ୍ସି ତିଆରି କରୁଛନ୍ତି। କଳାଧନ ଠାବ ବେଳେ କେଉଁ ବିଭାଗର ଅଧିକାରୀ ଅଧିକ ସଂଖ୍ୟାରେ ଧରାପଡ଼ୁଛନ୍ତି ତାହା ଅନୁଧ୍ୟାନ କରାଯାଉଛି। ଏହା ଦ୍ବାରା ଯେଉଁ ବିଭାଗରେ ଅଧିକ ଦୁର୍ନୀତି ବା ବେଆଇନ କାର୍ଯ୍ୟ ହେଉଛି ତା ଉପରେ ଅଧିକ ନଜର ରଖାଯାଇ ପାରିବ। ଖଣି ଭଳି କ୍ଷେତ୍ରରେ ବ୍ୟବସାୟୀ ଓ ଅଧିକାରୀଙ୍କ ମଧ୍ୟରୁ କେଉଁମାନେ ନିୟମ ଉଲ୍ଲଂଘନ କରି କଳାଧନ ଠୁଳ କରୁଛନ୍ତି ତାହା ତଦାରଖ କରାଯାଉଛି।

ଅଧିକାରୀ ଯଦି ସବୁ ଜାଣି ମଧ୍ୟ ବେଆଇନ କାର୍ଯ୍ୟ ରୋକି ପାରୁ ନାହାନ୍ତି ତେବେ ତାହା ଦୁର୍ନୀତି ଆଡ଼କୁ ଯାଉଛି। ସାରା ଭାରତରେ ବହୁ ବଡ଼ବଡ଼ କଳାଧନ ସହିତ ଜଡ଼ିତ ଥିବା ମାମଲା ଇଡି, ଡିଆର୍‌ଆଇ (ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ) ଓ ଏନ୍‌ସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଧରିଥିବା ବେଳେ ଏ ସଂପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସାରା ଦେଶରେ ନିଶାଦ୍ରବ୍ୟ କାରବାର ଉପରେ ଚଢ଼ଉ ଜାରି ରହିଛି। ଓଡ଼ିଶାର ବହୁ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯିବା ଏକ ଉଲ୍ଲେଖନୀୟ ଘଟଣା। ଯୁବ ବର୍ଗ ଅନ୍‌ଲାଇନ୍‌ ଗେମିଂ ରୢାକେଟ୍‌ର ଶିକାର ହେବା ଚିନ୍ତାନଜନକ ପ୍ରସଂଗ। ଏହାର ସାମାଜିକ ପ୍ରଭାବ ରହିଛି। ଏପରି  ଘଟଣାରେ କଳାଧନ ଠାବ କରାଯାଉଛି ଓ ମାମଲା ରୁଜୁ ହେଉଥିବା ବେଳେ ଏହି ପ୍ରସଂଗକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଚେତନାର ଆବଶ୍ୟକତା ରହିଛି। ଗତ ଅକ୍ଟୋବରରେ ଏସ୍‌ଆଇଟି ପକ୍ଷରୁ ସୁପ୍ରିମକୋର୍ଟରେ ଦଶମ ରିପୋର୍ଟ ଦାଖଲ କରାଯାଇଥିଲା। ପରବର୍ତ୍ତୀ ରିପୋର୍ଟ ଜୁଲାଇ ମାସ ଭିତରେ ଏସ୍‌ଆଇଟି ପ୍ରଦାନ କରିବ ବୋଲି ସେ ଜଷ୍ଟିସ୍‌ ପଶାୟତ ସୂଚନା ଦେଇଛନ୍ତି।

ଆଜିର ବୈଠକରେ କଳା ଟଙ୍କାର ଉତ୍ପତି ଓ ଏହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା କିଭଳି ବନ୍ଦ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା। ସାରା ଦେଶରେ ଏ ସଂପର୍କିତ ବଡ଼ ବଡ଼ ମାମଲାରେ ଇଡି, ଆୟକର ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ, କଷ୍ଟମ୍‌ସ, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଡିଆର୍‌ଆଇ, ସିବିଆଇ,  ସିଟି ଜିଏସ୍‌ଟି, କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ ଓ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ନେଇ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କେତେ ପରିମାଣର ନିଶାଦ୍ରବ୍ୟ ଧରାପଡ଼ିଛି ସେ ନେଇ ବୈଠକରେ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି ଓ କଳାଧନ ସୃଷ୍ଟି କରୁଛନ୍ତି। କଳାଧନ କେମିତି ଠାବ କରାଯିବ, ଏହାର କାରବାର କେମିତି ରୋକା ଯାଇ ପାରିବ, ଏଥି ପାଇଁ କଣ ଉପାୟ ଅବଲମ୍ବନ କରାଯିବ, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନରେ କଳାଟଙ୍କା ସହିତ ଅନ୍ୟ କଳାଧନ ଉତ୍ସ ସଂପର୍କରେ ଆଲୋଚନା କରାଯାଇଥିଲା। 

ଏସ୍‌ଆଇଟି ଉପାଧୢକ୍ଷ ଜଷ୍ଟିସ୍‌ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ବୈଠକରେ ସିବିଆଇ ଡିଆଇଜି ସିଭି ସୁବାରେଡ୍ଡି, ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ଡିଆରଆଇ ଡିଜି ଏ.କେ.ଶ୍ରୀବାସ୍ତବ, ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ.ଜେଠୱା, କ୍ରାଇମ୍‌ବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର, ସିବିଡିଟି ଅଧ୍ୟକ୍ଷ ରବି ଅଗ୍ରୱାଲ ଓ  ଅନ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।