କୁନ୍ଦୁଲି ପୀଡ଼ିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଲେ ଏସ୍‌ଆଇଟି

କୋରାପୁଟ: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ର‌ମେ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ତ୍ବରାନ୍ବିତ ହୋଇଛି। ଗତକାଲିଠାରୁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)ର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ୩ ଜଣ ଡିଆଇଜି କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଡିଆଇଜିମାନେ ହେଉଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ୍‌ର ସଫିନ୍‌ ଅହମ୍ମଦ କେ, ଦକ୍ଷିଣାଞ୍ଚଳ ରେଞ୍ଜର ସତ୍ୟବ୍ରତ ଭୋଇ ଓ ଉତ୍ତରାଞ୍ଚଳ ରେଞ୍ଜର ହିମାଂଶୁ ଲାଲ୍‌।

ଏହି ୩ ଡିଆଇଜି ସେମାନଙ୍କ ପରିବାର ଲୋକଙ୍କୁ ଭେଟିବା ସହ ପୀଡ଼ିତା ଦୁଷ୍କର୍ମ ହୋଇଥିବା ସ୍ଥାନକୁ ମଧ୍ୟ ବୁଲି ଦେଖିଛନ୍ତି। ସେଠାରୁ ଫେରି କୋରାପୁଟ୍‌ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟ କେତେକ ଅଧିକାରୀ ମଧ୍ୟ ଏହି ତଦନ୍ତ କାର୍ଯ୍ୟରେ ସାମିଲ୍‌ ହୋଇ ତଦନ୍ତ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖ ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀ କୁନ୍ଦୁଲି ହାଟପଦାରୁ ଘରକୁ ଫେରୁଥିବା ବେଳେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଖୋଦ୍‌ ଛାତ୍ରୀ ଜଣଙ୍କ ଏଭଳି ସଂଗିନ ଅଭିଯୋଗ କରିବା ପରେ କୋରାପୁଟ ପୁଲିସ ଘଟଣାର ତଦନ୍ତ କରିଥିଲା। ତେବେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବାର ପ୍ରମାଣ ନ ଥିବା ପୁଲିସ କହିବା ପରେ ଘଟଣାର ମୋଡ଼ ବଦଳିଥିଲା। ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଂଚ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗତ ୨୦୧୮ ଜାନୁଆରି ୨୨ ତାରିଖରେ ଛାତ୍ରୀ ଜଣଙ୍କ ନିଜ ଘରେ ଆତ୍ମହତ୍ୟା କରିଥି‌ଲେ।

ସମ୍ବନ୍ଧିତ ଖବର