‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଲେ ସରକାର

ଭୁବନେଶ୍ୱର: ନୟାଗଡ଼ର ବହୁଚର୍ଚ୍ଚିତ ‘ପରୀ’ ମୃତ୍ୟୁ ମାମଲାର ତଦନ୍ତ ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ଆଜି ଗଠନ ହୋଇଥିବା ଏସଆଇଟି ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାବଦରେ ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି | ଉକ୍ତ ଚିଠିରେ ରାଜ୍ୟ ସରକାର ଏସଆଇଟି ଗଠନ ପାଇଁ ୫ ଜଣ ଅଧିକାରୀଙ୍କୁ ‌ ଚୟନ କରିଥିବା ବେଳେ ଏମାନଙ୍କ ନେତୃତ୍ୱ  ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ନେବେ ବୋଲି ଉଲ୍ଲେଖ କରିଛନ୍ତି | ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଆର.ସି ଥମ୍ବ, କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ମମତା ରାଣୀ ପଣ୍ଡା ପ୍ରମୁଖ ଏହି ତଦନ୍ତକାରୀ ଦଳରେ ରହିବେ |

ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଲେଖିଥିବା ଚିଠିରେ  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସରକାରଙ୍କ ଏହି ପ୍ରସ୍ତାବ ନେଇ ଅବଗତ କରିବା ସହ ତାଙ୍କର ଅନୁମତି କ୍ରମେ ଏସଆଇଟି ତଦନ୍ତକୁ ତଦାରଖ କରିବାକୁ ଜଣେ କ‌ାର୍ଯ୍ୟରତ ବିଚାରପତିଙ୍କୁ ଦାୟିତ୍ବ ଦେବାକୁ ଅନୁରୋଧ କରାଯାଇଛି । ମୁଖ୍ୟବିଚାରପତି ଏହାକୁ ଅନୁମୋଦନ କରିବା ପରେ ଏ ସଂପର୍କିତ ସୂଚନା ଗୃହ ବିଭାଗକୁ ଜଣାଇଦେବାକୁ ପତ୍ରରେ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି।

ଏଠାରେ ସୂଚନା ଥାଉ କି ନୟାଗଡର ଯଦୁପୁର ଗ୍ରାମର ଅମ୍ରିତା ସ୍ନେହା ସାହୁ(ପରୀ)ର ମୃତ୍ୟୁର ତଦନ୍ତ ଏହି ଏସଆଇଟି କରିବ | ଏସଆଇଟି ଟିମ ଗଠନ ବିଜ୍ଞପ୍ତି ସଂପର୍କରେ ସୂଚନା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ ଦେଇଥିଲେ |

ସୂଚନା ଥାଉ କି ୨୩/୭/୨୦୨୦ ଅପରାହ୍ନରେ ପରୀର ମୃତଦେହ ମିଳିଥିଲା | ଆଉ ଏଥିରେ ବାବୁଲି ନାୟକ ନାମକ ବ୍ୟକ୍ତିଙ୍କର ସମ୍ପୃକ୍ତି ନେଇ ପରୀଙ୍କର ବାପା-ମା ଅଭିଯୋଗ କରିଥିଲେ  ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକକୁ କୃଷି ମନ୍ତ୍ରୀ ଅରୁଣ ସାହୁ ଘଣ୍ଟଘୋଡ଼ାଉଛନ୍ତି ବୋଲି ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ ଥାଉ କି ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ପର୍ଦ୍ଦାଫାସ କ୍ରାଇମବ୍ରାଞ୍ଚ କରିଥିଲା | ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଧରିବାରେ ସଫଳ ହୋଇଥିଲା |

ସମ୍ବନ୍ଧିତ ଖବର