ସମ୍ପତ୍ତି ପାଇଁ ବଳି ପଡ଼ିଲା ମାନବିକତା : ସାତ ବର୍ଷ ଶିକୁଳିରେ ବନ୍ଧା ସୀତା

ଜଗତସିଂହପୁର : ୭ ବର୍ଷ ହେଲା ଲୁହା ଶିକୁଳିରେ ବନ୍ଧା ପଡ଼ିଥିଲେ ସୀତା। ଏକ ପରିତ୍ୟକ୍ତ ଘର ଭିତରୁ ଆଜି ତାଙ୍କୁ ଉଦ୍ଧାର କରାଯାଇଛି। କ୍ଷୀଣ ଶରୀର,କୋରଡାଗ୍ରତ ଚକ୍ଷୁ ଯୋଗୁ ୩୫ ବର୍ଷିୟା ସୀତା ୬୦ ବର୍ଷର ବୁଢ଼ି ଭଳି ଦେଖାଯାଉଛନ୍ତି। କଥା କହିବାକୁ ବଳ ପାଉନି। ସୀତାଙ୍କୁ କୁଜଙ୍ଗ ବ୍ଲକ୍‌ ବଡ଼ବିଲକଣି ଗ୍ରାମରୁ ଶନିବାର ଉଦ୍ଧାର କରାଯିବା ପରେ ଲୋକଙ୍କ ଭିଡ଼ ଜମିଥିଲା। ତାଙ୍କ ଶିକୁଳିରେ ବନ୍ଧା ଜୀବନର ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଥିଲା।

ତାଙ୍କୁ ଅଜ୍ଞାତବାସରେ ରଖାଯିବା ପଛରେ ରହିଛି ସମ୍ପତ୍ତି ‌ଲୋଭ। ସମ୍ପତ୍ତି ପାଇଁ ବଳିପଡେ ସମ୍ପର୍କ,ମାନବିକତା। ମଣିଷ ଯେ ଏତେ ତଳକୁ ଖସି ଯାଏ ଏହା ତାହାର ଏକ ନଗ୍ନ ନମୂନା। ସୀତାଙ୍କୁ ତାଙ୍କ ଭାଇ ଭାଉଜ ହିଁ ଶିକୁଳିରେ ବାନ୍ଧି ରଖିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘର ସଂପାଦିକା ସ୍ନେହମୟୀ ଆଚାର୍ଯ୍ୟ ତାଙ୍କୁ ଉକ୍ତ ଘରୁ ଉଦ୍ଧାର କରିଛନ୍ତି। କୁଜଙ୍ଗ ଥାନା ପୁଲିସ ସହାୟତାରେ ଉଦ୍ଧାର ମହିଳାଙ୍କୁ ପାରାଦୀପ ଜରାଶ୍ରମରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

ବଡ଼ବାଲିକଣି ଗାଁରେ ଅର୍ଜୁନ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଅଭୟ ଓ ଝିଅ ସୀତା ସେଠାରେ ରହୁଥିଲେ। କାଳକ୍ରମେ ଘରର ପୂରା ସମ୍ପତ୍ତି ଉପରେ ଅଭୟଙ୍କ ନଜର ପଡ଼ିଥିଲା ଓ ତାହା ହାତେଇବା ପାଇଁ ସେ ସୀତାଙ୍କ ଉପରେ ଆରମ୍ଭ କରିଥିଲେ ଅକଥନୀୟ ଅତ୍ୟାଚାର। ସୀତାଙ୍କୁ ମାନସିକ ବିକୃତ ଦର୍ଶାଇ ଏକ ପରିତ୍ୟକ୍ତ ଘରେ ତାଙ୍କ ଗୋଡ଼କୁ ଶିକୁଳିରେ ବାନ୍ଧି ରଖିଥିଲେ। ଶୋଇବାକୁ ଦୁଇଟି ସିମେଣ୍ଟ୍‌ ଅଖା ଦିଆଯାଇଥିଲା। ଶୌଚ ହେବା ସହ ସବୁକିଛି ସେଇ ଗୋଟିଏ ଘରେ। କେତେବେଳେ ଖାଇବାକୁ ଗଣ୍ଡେ ମିଳୁଥିଲା ତ ଆଉ କେତେବେଳେ ଖାଡା ଉପାସ। ଏ ସମ୍ପର୍କରେ ସମସ୍ତେ ଜାଣୁଥିଲେ ମଧ୍ୟ ଯିଏ ପାଟି ଫିଟାଉଥିଲେ ଅଭୟ ତାଙ୍କୁ ଗାଳି ଗୁଲଜ କରୁଥିଲେ।

ମାତ୍ର ଗାଁର କେତେକ ଯୁବକ ଏସବୁ ଜାଣିବା ପରେ ସାହସ ଜୁଟାଇ ଗତ ଗୁରୁବାର ଦିନ ଉକ୍ତ ଘରେ ବନ୍ଦୀ ଅବସ୍ଥାରେ ଥିବା ସୀତାକୁ ଦେଖି ହତବାକ୍‌ ହୋଇ ଯାଇଥିଲେ। ଦୁର୍ଗନ୍ଧରେ ଘର ଭିତରକୁ ପଶିବା ମୁସ୍କିଲ ହୋଇ ପଡ଼ିଥିଲା। ଦୀର୍ଘ ଦିନ ଧରି ଗାଧୁଆପାଧୁଆ ହୋଇ ନଥିବା କାରଣରୁ ସୀତାଙ୍କ ମୁଣ୍ଡ ଓ ଦେହରେ ପୋକ ସାଲୁବାଲୁ ହେଉଥିଲେ। ଏହାଦେଖି ଜଣେ ଯୁବକ ତୁରନ୍ତ ତାଙ୍କୁ ସଫାସୁତରା କରିବାକୁ ଉଦ୍ୟମ କରିଥିଲେ। ମୁଣ୍ତ ସଫା କରି ଲଣ୍ତା କରିବାବେଳେ ଅଭୟ ପହଁଚି ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ଯୁବକମାନେ ସେଠାରୁ ଚାଲି ଆସି ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘର ସଂପାଦିକା ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରି ସବୁ ବିଷୟରେ ଜଣାଇଥିଲେ। ଶୁକ୍ରବାର ଅପରାହ୍ନରେ ଶ୍ରୀମତୀ ଆଚାର୍ଯ୍ୟ ସେଠାରେ ପହଁଚି ସୀତାଙ୍କ ପାଖକୁ ଯିବାରୁ ତାଙ୍କୁ ମଧ୍ୟ ଅଭୟ ବାଧା ଦେଇଥିଲେ। କୁଜଙ୍ଗ ପୁଲିସ ହସ୍ତ‌କ୍ଷେପ କରିବାରୁ ତାଙ୍କୁ ସୀତାଙ୍କ ପାଖକୁ ଯିବା ପାଇଁ ଅଭୟ ଛାଡ଼ିଥିଲେ। ପରେ ସୀତାଙ୍କୁ ବାହାରକୁ ଅଣାଯାଇଥିଲା। ତାଙ୍କୁ ଦେଖିବା ପାଇଁ ସାହି ପଡ଼ିଶା ଲୋକେ ରୁଣ୍ଡ ହୋଇଥିଲେ। ଏତେ ଦିନ ବନ୍ଦୀ ଜୀବନ ବିତାଉଥିବାରୁ କଥା କହିବାକୁ ସୀତା ସକ୍ଷମ ହୋଇ ପାରୁ ନଥିଲେ। କେବଳ ସେ ଲୁହ ଗଡ଼ାଇ ଚାଲିଥିଲେ। ତାଙ୍କୁ ଜଣେ ପଡ଼ୋଶୀଙ୍କ ଘରେ ରଖାଯାଇଛି। ଔପଚାରିକତା ଶେଷ ହେବା ପରେ ଆସନ୍ତା ମଙ୍ଗଳବାର ସୀତାଙ୍କୁ ପାରାଦୀପ ଜରାନିବାସରେ ଛଡ଼ାଯିବ ବୋଲି ଶ୍ରୀମତି ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର