ସମ୍ବଲପୁର : ଶୁକ୍ରବାର ସନ୍ଧ୍ୟାରେ ନନ୍ଦପଡାର ବଂବଂ ବରାଡ୍ ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ସହ ସାପ୍ତାହିକ ଶୀତଳଷଷ୍ଠୀ ଯାତ୍ରାର ଆନୁଷ୍ଠିକ ଆରମ୍ଭ ହୋଇଛି। ଏହି ଯାତ୍ରାର ଆଦ୍ୟ ପର୍ବ ଭାବେ ଅକ୍ଷୟ ତୃତୀୟାରେ ଥାଳ ଉଠୁଥିବାବେଳେ ଯାତ୍ରା ପର୍ଯ୍ୟାୟର ପ୍ରଥମ ପର୍ବ ବାଲୁଙ୍କେଶ୍ବର ବାବାଙ୍କ ପାଇଁ କନ୍ୟା ସଂଧାନ କାର୍ଯ୍ୟକ୍ରମ ପତ୍ରପେଣ୍ଡି ଏଥର ନିରାଡ଼ମ୍ବରଭାବେ ସମ୍ପନ୍ନ ହୋଇଛି। ଲକ୍ଡାଉନ୍ ଓ କରୋନା କଟକଣା ମଧ୍ୟରେ ପଡ଼ାର ହାତଗଣତି ଲୋକ କନ୍ୟା ଗୃହକୁ ଯାଇ ଏହି ବିଧି ଶେଷ କରିଛନ୍ତି।
ଚଳିତ ବର୍ଷ ପତ୍ରପେଣ୍ଡି ପାଇଁ କୌଣସି ଶୋଭାଯାତ୍ରା ବାହାରି ନଥିଲା। ବାଲୁଙ୍କେଶ୍ବର ବାବାଙ୍କ ପୂଜାର୍ଚ୍ଚନା ପରେ ସଂଧ୍ୟା ପ୍ରାୟ ୫ଟା ୪୫ରେ ବରପିତା ରାମଚରଣ ମିଶ୍ର ଫୁଲ, ବେଲପତ୍ର, ସରଗିପତ୍ର ଧରି ସପ୍ତଋଷି ଓ ପୁରୋହିତଙ୍କ ଗହଣରେ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଏଥର ବିନା ଶୋଭାଯାତ୍ରାରେ ସମସ୍ତେ ଏକ ସୁସଜ୍ଜିତ ଗାଡ଼ିରେ ଯାଇ ବୈଦ୍ୟନାଥ ଛକସ୍ଥିତ କନ୍ୟାପିତାମାତା ଗୋପାଳ ଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ଘରେ ପହଞ୍ଚିଥିଲେ। ସଂଧ୍ୟା ୬ଟା ୩୦ରେ ପତ୍ରପେଣ୍ଡି ବିଧି ସମ୍ପନ୍ନ ହୋଇଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ କନ୍ୟାଘର ଲୋକେ ବରପକ୍ଷଙ୍କୁ ପାଛୋଟି ନେଇଥିଲେ। ବରପକ୍ଷ ସେମାନଙ୍କ ଆଗମନର ଅଭିପ୍ରାୟ କନ୍ୟା ପକ୍ଷଙ୍କୁ ଜଣାଇଥିଲେ। ବିବାହ ଯୋଗ୍ୟ ପୁତ୍ରଙ୍କ ପାଇଁ ଏକ ଯୋଗ୍ୟ କନ୍ୟା ଥିବା ଖବର ପାଇ ଆସିଛନ୍ତି ବୋଲି କହିଥିଲେ। କନ୍ୟା ପକ୍ଷ ବରପାତ୍ରଙ୍କ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ବରପିତାଙ୍କ ସହିତ ଆସିଥିବା ସପ୍ତର୍ଷିଗଣ ମନ୍ତ୍ର, ଶ୍ଲୋକ ଆବୃତ୍ତି କରି ଦେବଦେବ ମହାଦେବଙ୍କ ମହିମା ବର୍ଣ୍ଣନା କରିଥିଲେ। ସେ ହେଉଛନ୍ତି ଶ୍ମଶାନବାସୀ, ଦେହରେ ପାଉଁଶ ବୋଳି ହୁଅନ୍ତି ବୋଲି କହିଥିଲେ।
ସେହିଭଳି କନ୍ୟା ପକ୍ଷ ପାର୍ବତୀଙ୍କ ଗୁଣ, ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଥିଲେ। ଏହା ପରେ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କୁ ବିବାହ ଦେବା ପାଇଁ କନ୍ୟାପକ୍ଷ ରାଜି ହୋଇଥିଲେ। ବରପିତା ରାମଚରଣ ମିଶ୍ର କନ୍ୟା ପିତା ମାତାଙ୍କୁ ତମ୍ବା ଥାଳରେ ଆଣିଥିବା ସରଗି ପତ୍ରପେଣ୍ଡା, ବେଲପତ୍ର, ଫୁଲ ପ୍ରଦାନ କରି ବିବାହ ଚୂଡାନ୍ତ କରିଥିଲେ। ପୁରୋହିତ ଶଶାଂକ ମିଶ୍ର ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସପ୍ତଋଷିଭାବେ କାମ୍ପାଳ ହୋତା, ଚକ୍ରଧର ମିଶ୍ର, ଗୋଲକ ବିହାରୀ ମିଶ୍ର, ନିଗମାନନ୍ଦ ମିଶ୍ର, ଅମର ପୂଜାରୀ, ପୂର୍ଣଚନ୍ଦ୍ର ମିଶ୍ର, ଭୁବନମୋହନ ମିଶ୍ର କନ୍ୟାଳୟ ଯାଇଥିଲେ। ଏହା ସହ ପଡ଼ାର ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ସୁରେଶ୍ବର ମିଶ୍ର, ଫଣିଭୂଷଣ ମିଶ୍ର, ସମୀର ରଂଜନ ବାବୁ ଓ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର କନ୍ୟା ଘରକୁ ଯାଇଥିଲେ।