କବି ସୀତାକାନ୍ତ ମହାପାତ୍ର ପାଇବେ ‘ଉତ୍କଳ ରତ୍ନ’ ସମ୍ମାନ

କଟକ : ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ଜୁନ ୯ ତାରିଖ, ରବିବାର ସଂଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନରେ ଆୟୋଜିତ ବାର୍ଷିକ ସମାବର୍ତ୍ତନ ସମାରୋହରେ ଶ୍ରୀ ମହାପାତ୍ରଙ୍କୁ ଚଳିତ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ରୌପ୍ୟ ସ୍ମାରକ, ତାମ୍ରପତ୍ର ଏବଂ ଉପ‌ଢୌକନ ପ୍ରଦାନ କରାଯିବ ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପାଇଁ ସାହିତ୍ୟ ସମାଜର ଅନ୍ୟ ସମ୍ମାନ ପ୍ରଦାନ ସଂପର୍କରେ ମଧ୍ୟ ଘୋଷଣା କରାଯାଇଛି। ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ପରେଶ ପଟ୍ଟନାୟକଙ୍କୁ ଫକିରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ନବକିଶୋର ଦାସଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, କମଳାକାନ୍ତ ଜେନାଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସମ୍ମାନ, ହରିଶଙ୍କର ବଡପଣ୍ଡାଙ୍କୁ ଗଙ୍ଗାଧର‌ ମେହେର କବିତା ସମ୍ମାନ, ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ଦେବରାଜ ସାମନ୍ତରାୟଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ବିଜୟ ମହାନ୍ତିଙ୍କୁ ବୈଷ୍ଣବ ପାଣି କଳା ସମ୍ମାନ, ଡକ୍ଟର ଭଗବାନ ଜୟସିଂହଙ୍କୁ ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଫକିର ମୋହନ ସାହୁଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ସ୍ବାମୀ ଶୁଦ୍ଧାନନ୍ଦ ସରସ୍ବତୀଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସମ୍ମାନ, ମନୋଜ ମଂଜରୀ ମିଶ୍ରଙ୍କୁ ବସନ୍ତ କୁମାରୀ ଲେଖିକା ସମ୍ମାନ, ମନୋଜ କୁମାର ମହାପାତ୍ରଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ସୁଶାନ୍ତ କୁମାର ମହାନ୍ତିଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ବଦ୍ରି ମିଶ୍ରଙ୍କୁ ନୀରଦପ୍ରଭା ହାସ୍ୟ ବ୍ୟଙ୍ଗ ସମ୍ମାନ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଶ୍ବନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ନବୀନ ଚନ୍ଦ୍ର ପଟ୍ଟନାୟକଙ୍କୁ କବିଚନ୍ଦ୍ର ସଂଗୀତ ଗୁରୁ ସମ୍ମାନ, ଶାନ୍ତିଲତା ବାରିକ (ଛୋଟରାୟ)ଙ୍କୁ ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ, ସୁବାସିନୀ ଲେଙ୍କାଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଡମ୍ବରୁଧର ପଟ୍ଟନାୟକଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ପୁ‌ରୁଷୋତ୍ତମ ପଟ୍ଟନାୟକଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, ଡକ୍ଟର ସୁଶୀଳ କୁମାର ବାଗଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ବତ ସମ୍ମାନ, ଶୁଭେନ୍ଦୁ ଶେଖର ରଥଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, କୀର୍ତ୍ତନ ନାରାୟଣ ପାଢୀଙ୍କୁ ନିରଂଜନ ଦାସ ଭା‌ଷା ସମ୍ମାନ, ଡକ୍ଟର ଇତି ସାମନ୍ତ ଓ ସୁନାମଣି ସାମଲଙ୍କୁ ବାଗ୍ମୀ ବିଶ୍ବନାଥ କର ସଂପାଦନା ସମ୍ମାନ, ପଦ୍ମନାଭ ବେହେରାଙ୍କୁ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ ନିର୍ବାହିକା ସମିତି ବୈଠକରେ ବିଚାରକ ମାନଙ୍କ ନିଷ୍ପତ୍ତିକୁ ସର୍ବସମ୍ମତ ଅନୁମୋଦନରେ ଏହି ସମ୍ମାନ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର