ଅଯୋଧ୍ୟାକୁ ପଠାଗଲା ସୀତାକୁଣ୍ଡ ଜଳ, କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ

ବଣ୍ଡାନୃତ୍ୟ ଦଳକୁ ଲକ୍ଷେ ଟଙ୍କାର ପୁରସ୍କାର, ବଣ୍ଡାଘାଟି ଶିଖରରେ ଓହ୍ଲାଇଲା ହେଲିକପ୍ଟର

ମାଲକାନଗିରି: ପୌରାଣିକ ତଥା ଆଧ୍ୟାତ୍ମିକ ଜୀବନ ସହ ଅନାଦି କାଳରୁ ଯୋଡ଼ି ହୋଇ ରହିଛି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି। ତେଣୁ ଶ୍ରୀଲଙ୍କାର ଅଶୋକ ବଣରୁ ବାହାରିଥିବା ଶ୍ରୀରାମଚନ୍ଦ୍ରଙ୍କ ପାଦୁକା ଆଜି ମାଲକାନଗିରି ପହଞ୍ଚିଛି। ଏହି ଅବସରରେ ବଣ୍ଡାଘାଟିର ସୀତାକୁଣ୍ଡରୁ ରାଷ୍ଟ୍ରୀୟ କବି ସଂଗମ ତରଫରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପଠାଯାଇଥିଲା। ଏଥିପାଇଁ ଭବ୍ୟ ଆୟୋଜନ ହୋଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବଣ୍ଡା ଜନଜାତିଙ୍କ ସହ ଭାବ ବିନିମୟ କରିବା ସହ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟର ଅନେକ ଅକୁହା କଥା କହିଛନ୍ତି ରାଜ୍ୟପାଳ।

ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା। ବଣ୍ଡାଘାଟିର ଶିଖରରେ ଅସ୍ଥାୟୀ ହେଲିପ୍ୟାଡ୍‌ ବି ନିର୍ମାଣ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ରାଜ୍ୟପାଳ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ବଣ୍ଡାଘାଟିରେ ଅବତରଣ କରିଥିଲେ। ସେଠାରୁ ସିଧା ସୀତାକୁଣ୍ଡରେ ପହଞ୍ଚି ମାତା ସୀତାଙ୍କ ରହିଥିବା ପାଦଚିହ୍ନରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସୀତାକୁଣ୍ଡରୁ ପାଣି ଆଣି ପିଇଥିଲେ। ସେହିପରି ସୀତାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳକୁ ଅଯୋଧ୍ୟା ପଠାଯାଇଥିଲା। ଏଥିପାଇଁ ବଣ୍ଡାଘାଟିରେ ସାଧୁସନ୍ଥ ଶ୍ରୀରାମଙ୍କ ପାଦୁକା ନେଇ ରଥରେ ପହଞ୍ଚିଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ପୁଲିସ ଏବଂ ବିଏସ୍‌ଏଫ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାଜ୍ୟପାଳଙ୍କୁ ରାଷ୍ଟ୍ରୀୟ କବି ସଂଗମ ପକ୍ଷରୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟପାଳ ଅଟକି ଯାଇ ପ୍ରଥମେ ବଣ୍ଡା ଜନଜାତିର ମୁଖିଆ ରାଜେନ୍ଦ୍ର ନାୟକଙ୍କୁ ପ୍ରଥମେ ସମ୍ମାନିତ କରିଥିଲେ। ବଣ୍ଡା ନୃତ୍ୟ ଦଳର ପାରଂପରିକ ନାଚ ରାଜ୍ୟପାଳଙ୍କୁ ବିମୋହିତ କରିବାରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେଇଥିଲେ। ଏହି ଅଞ୍ଚଳର ବିକାଶ ପାଇଁ ସହଯୋଗ କରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର