ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଶୀତଳ ଏଗ୍ରୋ ପକ୍ଷରୁ ଚାଷୀଙ୍କୁ ଧାନରୁଆ ମେସିନ ପ୍ରଦାନ ନ କରି ସବସିଡ଼ି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ କୃଷି ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଯୋଗଣ ସଂସ୍ଥା ଓ କୃଷି ବିଭାଗରେ ଛନକା ପଶିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୨୦୧୮-୧୯ ଏବଂ ୨୦୧୯-୨୦ମସିହାରେ ୨୦ ଜଣ ଚାଷୀଙ୍କୁ ଧାନରୁଆ ମେସିନ ଶୀତଲ ଏଗ୍ରୋ ପକ୍ଷରୁ କାଗଜକଲମରେ ଦର୍ଶାଇ ସବସିଡ଼ି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ରାଜ୍ୟ କୃଷି ନିର୍ଦ୍ଦେଶକ ଡ଼ଃ ମୁଥୁ କୁମାର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କଳାହାଣ୍ଡି ଡିଡିଏ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ କୃଷି ଯନ୍ତ୍ରପାତି ଉପରେ ସବସିଡ଼ି ପ୍ରଦାନ କରିଥାନ୍ତି । କିନ୍ତୁ ଯୋଗାଣ ସଂସ୍ଥାମାନେ ଚାଷୀଙ୍କ ସରଲତାର ସୁଯୋଗ ନେଇ ଧାନରୁଆ ମେସିନ ନ ଦେଇ ଚଞ୍ଚକତା କରି ସବସିଡ଼ି ଟଙ୍କା ହଡ଼ପ କରିଛନ୍ତି। ଜିଲ୍ଲାରେ ୨୦ ଜଣ ଚାଷୀଙ୍କ କାଗଜପତ୍ର ଓ ଚେକ ଭୂତେଇ ନେଇ ସବସିଡ଼ି ଟଙ୍କା ଉଠାଣ କରି ବେଧଡ଼କ ଭାବରେ ନିଜର କଳାକାରନାମା ସାମ୍ରାଜ୍ୟକୁ ବିସ୍ତାର କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଦୁଆରସନୀ ପଞ୍ଚାୟତର ପାଲସିପଡା ଗ୍ରାମର ପିତାମ୍ବର ଭୋଇଙ୍କ ପତ୍ନୀ କାନ୍ତି ଭୋଇଙ୍କ ନାମରେ ଶୀତଲ ଏଗ୍ରୋ ପକ୍ଷରୁ କାଗଜପତ୍ରରେ ଧାନରୁଆ ମେସିନ ଯୋଗାଣ ହୋଇଛି । ଅସଲରେ ତାଙ୍କୁ ଧାନରୁଆ ମେସିନ ପ୍ରଦାନ କରାଯାଇ ନାହିଁ । କିନ୍ତୁ ତାଙ୍କ ଭବାନୀପାଟଣା ବଜାର ବ୍ରାଞ୍ଚ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ନମ୍ବର-୩୭୧୮୩୨୫୩୨୭୭ ରେ ଗତ ୨୦୧୯ ମସିହା ଜୁଲାଇ ୧୧ ତାରିଖରେ କୃଷି ବିଭାଗ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଜମା ହୋଇଥିଲା । ଜୁଲାଇ ୨୦ ତାରିିଖରେ ୧ଲକ୍ଷ ୪୫ ହଜାର ଟଙ୍କା ଉଠାଣ ହୋଇଛି । ସେହିଭଳି ଆହୁରି ୩ ହଜାର ଟଙ୍କା ପରେ ଉଠାଣ ହୋଇଛି । କିନ୍ତୁ ତାଙ୍କ ପରିବାର ଲୋକେ କିମ୍ବା ନିଜେ ହିତାଧିକାରୀ କାନ୍ତି ଭୋଇ ଜାଣି ନାହାଁନ୍ତି । ସ୍ୱାମୀ ପିତାମ୍ବର ଭୋଇଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କ ନାମରେ ୫ ଏକର ୫୨ ଡିସିମିଲ ଜମି ରହିଛି । ସେଥି ମଧ୍ୟରୁ ମାତ୍ର ୧ ଏକର ନିଜେ ଚାଷ କରୁଛନ୍ତି ଓ ଅନ୍ୟ ଜମିକୁ ବନ୍ଧା ପକାଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ସେମାନଙ୍କୁ କେହି ଧାନରୁଆ ମେସିନ ଦେଇ ନାହାନ୍ତି କିମ୍ବା ସେମାନେ କୌଣସି କାଗଜପତ୍ର ମଧ୍ୟ ଦେଇନଥିବା ଅଭିଯୋଗ କରିଥିଲେ। ଧାନରୁଆ ମେସିନ ନ ଦେଇ ସବସିଡ଼ି ଉଠାଣ ହୋଇଥିବା ନେଇ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।
ଚାଷୀମାନଙ୍କ ସରଲତାର ସୁଯୋଗ ନେଇ ବିଭିନ୍ନ ଆଳରେ କାଗଜପତ୍ର ହାତେଇ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ଚାଷୀଙ୍କ ସବସିଡ଼ି ଟଙ୍କା ଶୀତଲ ଏଗ୍ରୋ ପକ୍ଷରୁ ହାତେଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ ପାଇଁ କୃଷି ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଏହାର ତଦନ୍ତ କରି ଆମେ ସବିଶେଷ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଥିଲେ।