ସମ୍ବଲପୁର: ଯକ୍ଷ, ଗ୍ରହ, ନକ୍ଷତ୍ର, ଦେବ, ମାନବ, କିନ୍ନର, ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରା ପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବଦେବ ମହାଦେବ ଜଗତ୍ଜନନୀ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର ରାତି ରବିବାର ପାହାନ୍ତି ପ୍ରହରର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତଗଣ୍ଠି ପଡ଼ିଛି। ବିବାହ ପରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ପ୍ରଭୁ ଭୋଳାଶ˚କର ନିଜ ପାଟ ପଟୁଆର ସହ ରବିବାର ଅପରାହ୍ଣରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ନବବିବାହିତ ଦେବଦମ୍ପତିଙ୍କ ଉପରେ ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରିଥିଲେ। କନ୍ୟାଘର ତରଫରୁ ଝିଅଜ୍ବାଇଁଙ୍କୁ ପର˚ପରା ଅନୁଯାୟୀ ବିଭିନ୍ନ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ, ପୀତାମ୍ବରୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖଜା, ଲଡ଼ୁ ଆଦି ଭାର ଓ ଉପହାର ଦିଆ ଯାଇଥିଲା।
ଏହା ପରେ ରବିବାର ରାତିରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି ପରେ ମଧୢରାତ୍ରିରେ ନବ ବିବାହିତ ଦେବଦମ୍ପତି ବାହାରିଛନ୍ତି ନଗର ପରିକ୍ରମାରେ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପାଇଁ। ମାତା ପାର୍ବତୀଙ୍କ ସହ ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବୁଢ଼ାରଜାର ପାହାଡ଼େଶ୍ବର ବାବାଙ୍କର ଭବ୍ୟ ଶୋଭାଯାତ୍ରା ବାହାରିଛି। ଏହି ବୃହତ୍ ଶୋଭାଯାତ୍ରାଗୁଡ଼ିକ ବ୍ୟତୀତ ଆହୁରି ଅନେକ ପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ସମଗ୍ର ସହର ଉତ୍ସବମୁଖର ହୋଇ ଉଠିଛି। କରୋନା କାରଣରୁ ୨ ବର୍ଷ ପାଇଁ ମୁଖ୍ୟ ଶୋଭାଯାତ୍ରା ବନ୍ଦ ଥିବା କାରଣରୁ ଏଥର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।
ନବଯୌବନରେ ସୁଶୋଭିତ ମହାରୁଦ୍ର ଏବ˚ ମହାମାୟାଙ୍କ ଯୁଗଳ ମୂର୍ତ୍ତି ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବାକୁ। ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେବଦମ୍ପତିଙ୍କ ଆଶୀର୍ବାଦ ପାଇବା ପାଇଁ ସମ୍ବଲପୁର ସହରକୁ ଛୁଟିଛି ଲୋକଙ୍କ ସୁଅ। ରବିବାର ମଧୢରାତ୍ରି ସୁଦ୍ଧା ସମ୍ବଲପୁର ସହର ହୋଇ ଉଠିଛି ଲୋକାରଣ୍ୟ। ଲକ୍ଷାଧିକ ଲୋକଙ୍କ ଭିଡ଼ରେ ସମ୍ବଲପୁରର ଅଣଓସାରିଆ ଓ ନିର୍ମାଣାଧୀନ ରାସ୍ତାଗୁଡ଼ିକ ଖୁନ୍ଦି ହୋଇଯାଇଛି। ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷଲକ୍ଷ ଲୋକଙ୍କ ସହ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରାୟ ଦଶ ହଜାର କଳାକାର। ସେମାନଙ୍କ ଦ୍ବାରା ପରିବେଷିତ ବାଦ୍ୟ, ନୃତ୍ୟ, ନାଟ୍ୟରୂପ, ମେଲୋଡ଼ି ଓ ବିଭିନ୍ନ ମନୋର˚ଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ।
ନାନା ପ୍ରକାରର ମୂର୍ତ୍ତି, ପ୍ରଜ୍ଞାପନ ମେଢ଼ ଓ କଳାକୃତି ଶୋଭାଯାତ୍ରାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିଛି। ଏହା ବ୍ୟତୀତ ସହରରେ ଲାଗିଥିବା ମିନାବଜାର ଆଦି ଲୋକଙ୍କ ପାଇଁ ମନୋର˚ଜନ ଓ କିଣାବିକାର ସୁଯୋଗ ସୃଷ୍ଟି କରିଛି। ଯାତ୍ରା ଦେଖିବାକୁ ଆସିଥିବା ଲକ୍ଷାଧିକ ଲୋକ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ହାତ ଖୋଲି ଖର୍ଚ୍ଚ କରୁଥିବାରୁ ଦୋକାନୀମାନେ ବିଶେଷ କରି ରାସ୍ତାକଡ଼ ବିକାଳିମାନେ ବେଶ୍ ଦୁଇପଇସା ଲାଭ କରୁଛନ୍ତି। ରବିବାର ମଧ୍ୟରାତ୍ରିରେ ବାହାରିଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ସୋମବାର ଭୋର୍ ୫ଟା ଯାଏ ଚାଲି ୪ ଘଣ୍ଟା ପାଇଁ ବିଶ୍ରାମ ନେବ। ସୋମବାର ସକାଳ ୯ଟାରେ ପୁଣି ଆରମ୍ଭ ହୋଇ ଦିନ ସାରା ଚାଲିବ। ସୋମବାର ସଂଧ୍ୟାରେ ମହାଆଳତି ଓ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।