ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା’ କାର୍ଯ୍ୟକ୍ରମ ପ୍ରଚଳିତ ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସଂପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ଣ ୪ଟା ୩୦ରେ ସମ୍ବଲପୁର ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଆଳତି ପରେ ବରପିତା ରାମଚରଣ ମିଶ୍ରଙ୍କ ପ୍ରତିନିଧି ରୂପେ ତାଙ୍କ ଭାଇ ବିଭୂତି ଭୂଷଣ ମିଶ୍ର ଥାଳଉଠା ପରମ୍ପରା ସଂପାଦନ କରିଥିଲେ। ଚଳିତବର୍ଷର କନ୍ୟା ପିତାମାତା ଭାବେ ଝାରସୁଗୁଡ଼ା ବମ୍ବେଛକ ନିବାସୀ ପ୍ରତାପ ନନ୍ଦ ଓ ଲିପିକା ନନ୍ଦ ମଧ୍ୟ ଉପସ୍ଥିତ ଥିଲେ।
ଯାସେହିପରି ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରେ ସନ୍ଧ୍ୟାରେ ଲୋକନାଥ ବାବାଙ୍କ ଥାଳଉଠା କାର୍ଯ୍ୟକ୍ରମ ସମାପନ ହୋଇଛି। ପୂଜାର୍ଚ୍ଚନା ପରେ ବର ପିତାମାତା ଅମରନାଥ ସୂପକାର ଏବଂ ଅମୟ ସୂପକାର ମନ୍ଦିରରୁ ଥାଳ ଉଠାଇଥିଲେ। ଚଳିତ ବର୍ଷ କନ୍ୟା ପିତାମାତା ଦାୟିତ୍ବ ନିର୍ବାହ କରୁଥିବା ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ନାୟକ ଉପସ୍ଥିତ ଥିଲେ। ମୁଦିପଡ଼ା ଜାଗେଶ୍ବର ବାବା ମନ୍ଦିରରେ ଥାଳଉଠା କାର୍ଯ୍ୟକ୍ରମରେ ବରପିତା ମଧୁସୂଦନ ନେଗି ଥାଳ ଉଠାଇଥିଲେ। ଏଥରର କନ୍ୟା ପିତାମାତା ବୁର୍ଲା କଣ୍ଟ୍ରାକ୍ଟର କଲୋନି ନିବାସୀ ମୃତ୍ୟୁଞ୍ଜୟ ଦାଶ ଓ ମଧୁସ୍ମିତା ପଣ୍ଡା ଏହି ପବିତ୍ର କାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ। ସେହିପରି ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଥାଳଉଠା କାର୍ଯ୍ୟକ୍ରମ ସଂପନ୍ନ ହୋଇଛି।