ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସ˚ସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବୁଧବାର ରାତି, ଗୁରୁ ପାହାନ୍ତିରେ ଦେବଦେବ ମହାଦେବଙ୍କ ସହ ଜଗତ୍ଜନନୀ ପାର୍ବତୀଙ୍କ ବିବାହ ଗଣ୍ଠି ପଡ଼ିବ। ଏଥି ପାଇଁ ବୁଧବାର ରାତିରେ ବିଭିନ୍ନ ପଡ଼ାରୁ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା। ସବୁ ପଡ଼ାର ଯାତ୍ରାରେ ଘଣ୍ଟ, ଶ˚ଖ, ଦୁଲ୍ଦୁଲି ବାଜା, ଡିଜେ, ଲାଇଟ୍, ସାଉଣ୍ଡ, ରେକର୍ଡ ଡ୍ୟାନ୍ସ ଆଦି ସାମିଲ ଥିଲେ। ଏହାଛଡ଼ା ନନ୍ଦପଡ଼ା ଶୋଭାଯାତ୍ରାରେ ଶବର ନାଚ, କେରଳର କାନ୍ତାରା ନୃତ୍ୟ, କାଳି ନାଚ, ଅଘୋରି ନାଚ, ଡମ୍ବରୁ ନାଚ, ମୁଦିପଡ଼ାରେ ଗଂଜାମର ଯୋଡ଼ିଶଂଖ, କିନ୍ନର ନୃତ୍ୟ, ଠାକୁରପଡ଼ାର କଣ୍ଢେଇ ନାଚ ଆଦି ବରଯାତ୍ରୀ ଶୋଭାଯାତ୍ରାର ପ୍ରମୁଖ ଆକର୍ଷଣ ଥିଲା। ବୁଧବାର ରାତି ପ୍ରାୟ ୧୧ଟା ବେଳେ ନନ୍ଦପଡ଼ାର ବ˚ବ˚ ବରାଡ଼ ବାଲୁ˚କେଶ୍ବର ବାବାଙ୍କ ବରାତ ଧୁମ୍ଧାମ୍ରେ ବାହାରିଥିଲା। ବାଲୁଙ୍କେଶ୍ବର ବାବା ମାରୱାଡ଼ିପଡ଼ା ଛକରୁ ବରବେଶରେ ବାହାରି ହାଟପଡ଼ା, ନନ୍ଦପଡ଼ା, ଦଧିବାମନ ଗଳି, କଂସାରିପଡ଼ା, ବୈଦ୍ୟନାଥ ଛକ, ଗୋଲବଜାର ଛକ, ଲକ୍ଷ୍ମୀ ଟକିଜ୍, ଫାଟକ, ବୁଢ଼ାରଜା ଦେଇ ଜଗନ୍ନାଥ କଲୋନିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ବୃଷଭ ସବାର ବାଲୁ˚କେଶ୍ବର ବାବାଙ୍କ ସହ ସାକ୍ଷୀ ଗୋପୀନାଥ, ପଞ୍ଚବକ୍ତ୍ର, ନନ୍ଦୀ, ଭୃଙ୍ଗୀ ଓ ଅନ୍ୟାନ୍ୟ ଦେବାଦେବୀ ବରଯାତ୍ରାରେ ଯାଇଥିଲେ। ଏହି ବରଯାତ୍ରାରେ ବରପିତା ରାମଚରଣ ମିଶ୍ର, ପଡ଼ାର ମୁରବି, ଯୁବକ, ଯାତ୍ରା କମିଟି ସଦସ୍ୟଙ୍କ ସମେତ ହଜାର ହଜାର ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ରାଜେନ୍ଦ୍ର ମିଶ୍ର ଏବଂ ସୁଲୋଚନା, ବନ୍ଧୁବାନ୍ଧବ ଓ ପରିବାର ଲୋକେ ବରବେଶୀ ମହାଦେବ ଏବ˚ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ବୈଦିକ ଉତ୍କଳୀୟ ବ୍ରାହ୍ମଣ ପରଂପରା ଅନୁଯାୟୀ ଆରମ୍ଭ ହୋଇଥିଲା। ବରଯାତ୍ରୀଙ୍କୁ କନ୍ୟା ପକ୍ଷରୁ ଆତିଥ୍ୟ ପ୍ରଦାନ କରା ଯାଇଥିଲା।
/sambad/media/post_attachments/wp-content/uploads/2023/05/30-14.jpg)
ଝାଡୁଆପଡ଼ାର ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ବରାତି ଶୋଭାଯାତ୍ରା ଜାକଯମକରେ ବାହାରିଥିଲା। ଶୋଭାଯାତ୍ରା ଝାଡ଼ୁଆପଡ଼ା, କୁ˚ଜେଲପଡ଼ା, ପଟ୍ଟନାୟକପଡ଼ା ଦେଇ ବସୁନ୍ଧରା ନର୍ସିଂହୋମ୍ ନିକଟ ବିବାହସ୍ଥଳରେ ପହଞ୍ଚିଥିଲା। ଏହି ବରଯାତ୍ରାରେ ବରପିତା ଆତ୍ମାରାମ ସୁପକାର, ଯାତ୍ରା କମିଟି ସଦସ୍ୟଙ୍କ ସମେତ ପଡ଼ାବାସୀ, ଅସ˚ଖ୍ୟ ଭକ୍ତ ଓ କଳାକାର ସାମିଲ ହୋଇଥିଲେ। ଶୋଭାଯାତ୍ରା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ଡା. ଗିରୀଶ ଓ ଡା. ରେଣୁକାଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାର ଲୋକେ ବରବେଶୀ ଲୋକନାଥଙ୍କୁ ପର˚ପରା ଅନୁଯାୟୀ ପୂଜାର୍ଚ୍ଚନା କରି ସ୍ବାଗତ କରିଥିଲେ। ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ମଧୢରାତ୍ରୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରଣ୍ୟକ ବ୍ରାହ୍ମଣ ପରଂପରାରେ ବିବାହ ହୋଇଥିଲାବେଳେ କନ୍ୟା ପକ୍ଷ ପରଂପରାର ବି ମିଶ୍ରଣ ଦେଖିବାକୁ ମିଳିଥିଲା। ମୁଦିପଡ଼ା ମନ୍ଦିରରୁ ଜାଗେଶ୍ବର ବାବାଙ୍କ ବରଯାତ୍ରା ଉତ୍ସାହ ଉଦ୍ଦୀପନା ମଧୢରେ ପଦ୍ମକେଶରୀ ପାର୍କ, ତ୍ରିନାଥ ମନ୍ଦିର, ପାଣିଟାଙ୍କି ଛକ, ମୁଖ୍ୟ ଡାକ୍ତରଖାନା, ଜିଏମ୍ୟୁ ଛକ, ଲକ୍ଷ୍ମୀ ଟକିଜ୍ ଦେଇ ହୋଟେଲ୍ ଉପହାର ପ୍ୟାଲେସ୍ ନିକଟ କନ୍ୟାଳୟରେ ପହଞ୍ଚିଥିଲା। କନ୍ୟା ପିତାମାତା ଏସ୍ ମନୋଜ କୁମାର ଏବଂ ଏସ୍ ନର୍ମଦାଙ୍କ ସମେତ କନ୍ୟାପକ୍ଷ ବରବେଶୀ ମହାଦେବ ଏବଂ ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଥିଲା। ବରପିତା ମଧୁସୂଦନ ନେଗୀ, କମିଟି କର୍ମକର୍ତ୍ତା ଓ ପଡ଼ାବାସୀ ବର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2023/05/31-17.jpg)
ଠାକୁରପଡ଼ା ଗୁପ୍ତେଶ୍ବର ବାବାଙ୍କ ବରଯାତ୍ରୀ ରାତିରେ ମନ୍ଦିରରୁ ବାହାରି ଦଶମତୀପଡ଼ା, ଗୁରୁ ନାନକ ସ୍କୁଲ, ବେହେରାମୁଣ୍ଡା ଛକ, ରାମଚଣ୍ଡୀ ମନ୍ଦିର, କୁଲତାପଡ଼ା ହନୁମାନ ମନ୍ଦିର ଦେଇ ଭୀମଭୋଇ ପାର୍କ ନିକଟ କନ୍ୟାଳୟରେ ପହଞ୍ଚିଥିଲା। ବରପିତା, କମିଟି ସଦସ୍ୟ, ପଡ଼ାବାସୀ ବହୁ ସଂଖ୍ୟାରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପିତାମାତା ଓ ପରିବାର ପକ୍ଷରୁ ଭବ୍ୟ ସ୍ବାଗତ କରା ଯାଇଥିଲା। ବିଳମ୍ବିତ ରାତ୍ରିରେ ଲୌକିକ ରୀତିନୀତିରେ ଗୁପ୍ତେଶ୍ବର ବାବାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ବଡ଼ବଜାରର ଶୀତଳେଶ୍ବର ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ବିଳମ୍ବିତ ରାତିରେ ବାହାରି ରିଂ ରୋଡ୍, ଧୋବାପଡ଼ା ଛକ, ବଡ଼ବଜାର ଛକ, ସମଲେଶ୍ବରୀ ମନ୍ଦିର ଛକ ଦେଇ ଅମରିପଡ଼ାସ୍ଥିତ କନ୍ୟାଳୟରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ଉତ୍ସାହ ଉଦ୍ଦୀପନା ମଧୢରେ ବିବାହ ଆରମ୍ଭ ହୋଇଥିଲା। ବରପିତା ଜଗଦୀଶ କାଲାନୋରିଆଙ୍କ ସମେତ କମିଟି ସଦସ୍ୟ ଓ ପଡ଼ାବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜାର ପାହାଡେ଼ଶ୍ବର ବାବା, ଦୁର୍ଗାପାଲିର ଗୁଡେ଼ଶ୍ବର ବାବା, ଭତରାର ଶ˚କର ବାବା, ସାକ୍ଷୀପଡ଼ାର ଓଁକାରେଶ୍ବର ବାବା, ସିନ୍ଦୁରପଙ୍କର ତାରକେଶ୍ବର ବାବା, କଟରଧୁଆର ମହାକାଳେଶ୍ବର ବାବା, କୁଲୁଥକାନିର କଳ୍ପେଶ୍ବର ବାବା, ସାଲିଆବଗିଚାର ରାମେଶ୍ବର ବାବା, ଦଳେଇପଡ଼ାର ଗୁପ୍ତେଶ୍ବର ବାବା, ବରେଇପାଲିର ବାବା ବଟୁକନାଥ ବରବେଶରେ ଯାଇ କନ୍ୟାଳୟରେ ପହଞ୍ଚିଛନ୍ତି। ମାତା ପାର୍ବତୀଙ୍କ ସହ ବିବାହ ଉତ୍ସବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/29-16.jpg)
